
କୋଚି: ଜଲନ୍ଧରର ବିଶପ୍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ଶେଷରେ କେରଳ ପୁଲିସ୍ ନନ୍ ଦୁଷ୍କର୍ମ ମାମଲାରେ ଗିରଫ କରିଛି। ତାଙ୍କୁ କୋଚିରେ ଲଗାତର ୩ ଦିନ କାଳ ଜେରା କରାଯିବା ପରେ ଆଜି ଅପରାହ୍ମରେ ଗିରଫ କରାଯାଇଥିବା ଜଣାପଡ଼ିଛି।
ବିଶପ ଫ୍ରାଙ୍କୋ ଜଣେ ନନ୍ଙ୍କୁ ୨୦୧୪ରୁ ୨୦୧୬ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଯୌନ ଉତ୍ପୀଡ଼ନ ମାମଲାରେ ଫ୍ରାଙ୍କୋ ପ୍ରଥମ ଭାରତୀୟ କ୍ୟାଥଲିକ୍ ବିଶପ୍ ଭାବେ ଗିରଫ ହୋଇ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି।
ଜଲନ୍ଧରରେ ବିଶପ୍ ଭାବେ କାର୍ଯ୍ୟ କରୁଥିବା ଫ୍ରାଙ୍କୋ କେରଳ ଗସ୍ତ କରିଥିବା ବେଳେ ସେଠାରେ ଜଣେ ନନ୍ଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୪ ମେ’୫ ତାରିଖରେ କେରଳର କୁରଭିଲାଙ୍ଗଡ୍ଠାରେ ଆୟୋଜିତ କନଭେଣ୍ଟ୍ରେ ରହିବା ବେଳେ ଫ୍ରାଙ୍କୋ ନନ୍ଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଏହାପରେ ୨୦୧୪ରୁ ୨୦୧୬ ମଧ୍ୟରେ ଫ୍ରାଙ୍କୋ ୧୩ ଥର ବିଭିନ୍ନ ସମୟରେ କେରଳ ଆସି ସେହି ନନ୍ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ନନ୍ ଜଣଙ୍କ ଆକ୍ରୋଶମୂଳକ ଭାବେ ଏଭଳି ଅଭିଯୋଗ ଆଣିଥିବା ପ୍ରାଙ୍କୋ କହି ଆସୁଥିଲେ।
କିଛି ମାସ ହେଲା ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଆନ୍ଦୋଳନ ହେବାରୁ ପୁଲିସ୍ ବାଧ୍ୟ ହୋଇ ଫ୍ରାଙ୍କୋଙ୍କୁ ସମନ୍ସ ଜାରି କରିଥିଲା। ଜେରା ବେଳେ ଫ୍ରାଙ୍କୋ ଅଭିଯୋଗକୁ ଖଣ୍ଡନ କରିଥିଲେ।
ତେବେ ଭିଡିଓ ଫୁଟେଜ୍, ଫ୍ରାଙ୍କୋଙ୍କ ଡ୍ରାଇଭର୍ଙ୍କୁ ଜେରା ଏବଂ ସମ୍ପୃକ୍ତ କନଭେଣ୍ଟରେ ତଦନ୍ତ କରିବା ପରେ ପୁଲିସ୍ ନନ୍ଙ୍କ ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା। ତେଣୁ ଆଜି ମଧ୍ୟାହ୍ଣରେ ଫ୍ରାଙ୍କୋଙ୍କୁ ଗିରଫ କରାଯାଇଛି।
from Odisha Reporter https://ift.tt/2OGZsNy
No comments:
Post a Comment