
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଆଜି ଏହାର ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ।
ବିଧି ବ୍ୟବସ୍ଥା ଅନୁଯାୟୀ ସମସ୍ତ ତଥ୍ୟ ଓ ସୁପାରିସ ସହିତ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ହୋଇଛି ଯେ, ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ଗଠନ ପ୍ରସ୍ତାବକୁ ବିଚାର ଲାଗି ଗ୍ରହଣ କରିବା ପୂର୍ବରୁ ରାଜ୍ୟ ସରକାର ଜଷ୍ଟିସ ସି.ଆର୍. ପାଲ କମିଶନଙ୍କ ରିପୋର୍ଟ ପ୍ରକାଶ କରନ୍ତୁ। ଏନେଇ ହାଇକୋର୍ଟ କେନ୍ଦ୍ରକୁ ଅବଗତ କରାଇବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ସେହିପରି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରାଯାଉ। ଏଥିପାଇଁ ଆବଶ୍ୟକ ହେଉଥିବା ଜମି, କୋର୍ଟ ବିଲଡିଂ, ବିଚାରପତିଙ୍କ ଆବାସିକ ସ୍ଥାନ ଆଦି ନିରୂପଣ କରିବା ସହିତ ପ୍ରସ୍ତାବିତ ବେଞ୍ଚର କାର୍ଯ୍ୟକ୍ଷେତ୍ର ମଧ୍ୟ ନିରୂପଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ।
ସମସ୍ତ ବିଷୟ ଚୂଡ଼ାନ୍ତ କରି ହାଇକୋର୍ଟଙ୍କ ଅନୁମତିରେ ବିଧି ମୁତାବକ ପ୍ରସ୍ତାବ ପଠାଇଲେ କେନ୍ଦ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ। ବିଭିନ୍ନ ସମୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଆଇନ୍ଜୀବୀଙ୍କ ପକ୍ଷରୁ ପ୍ରବଳ ଦାବି ପରେ ନିକଟରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
from Odisha Reporter https://ift.tt/2x44oEK
No comments:
Post a Comment