ନରମିଲେ ଦାମ, ବୈଜୟନ୍ତ କହିଲେ କଙ୍ଗାରୁ କୋର୍ଟ ଚାଲିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ନରମିଲେ ଦାମ, ବୈଜୟନ୍ତ କହିଲେ କଙ୍ଗାରୁ କୋର୍ଟ ଚାଲିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକିଛିଦିନ ଧରି ଏକାଧିକ ଦୁର୍ନୀତି ଅଭିଯୋଗ ଆଣି ବିଜେଡି ସରକାରକୁ ଅଡ଼ୁଆରେ ପକାଇଥିବା ପାରାଦୀପ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ଦଳୀୟ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ନିଜର ସ୍ୱରକୁ ନରମ କରିଛନ୍ତି।

ଆଜି ସକାଳେ ଗଣମାଧ୍ୟମକୁ ଶାଣିତ ବୟାନ ଦେଇ ଉଭୟ ଦଳ ଓ ସରକାରର ଗୁମର ପଦାରେ ପକାଇଥିବା ଡାକ୍ତର ରାଉତ ଅପରାହ୍ନରେ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ଆଭିମୁଖ୍ୟକୁ ଦଳ ଓ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି। 

ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ପ୍ରାୟ ୨ହଜାର କର୍ମୀ ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଡାକ୍ତର ରାଉତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଏରସମାରେ ବିପ୍ଲବ ଦିବସ ସମାରୋହ ପାଳନ କରିବା ଆଳରେ  ଡାକ୍ତର ରାଉତ ରାଜ୍ୟ ସରକାର ବିରୁଦ୍ଧରେ ବୟାନବାଜି କରିଥିବା ଓ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେବାପରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ମଧ୍ୟ ଅଭିଯୋଗ ଉପରେ ବିଚାର କରିବେ ବୋଲି ଦଳୀୟ କର୍ମୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। 

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଡାକ୍ତର ରାଉତଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ଶେଷମୁହୂର୍ତ୍ତରେ ଏହି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତରୁ ଫେରିବା ପରେ ହିଁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। 

ତେବେ ସକାଳେ ଗଣମାଧ୍ୟମକୁ କଡ଼ା ପ୍ରତିକ୍ରିୟା ଦେବା ପରେ ଡାକ୍ତର ରାଉତ ଅପରାହ୍ନରେ ନିଜର ଫେସବୁକ୍ ପେଜରେ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି ଯେ ବିଜୁବାବୁ ହେଉଛନ୍ତି ତାଙ୍କର ପ୍ରଜ୍ଞାପୁରୁଷ। ବିଜୁବାବୁ ତାଙ୍କୁ ରାଜନୀତିକୁ ଆଣିଥିଲେ ଓ ସେ ତାଙ୍କର ପରାମର୍ଶକୁ ମାନି ଚାଲିଛନ୍ତି। ତାଙ୍କୁ କିଏ ସମାଲୋଚନା ବା ନିନ୍ଦା କଲା ସେଥିରେ ସେ ବ୍ୟତିବ୍ୟସ୍ତ ନୁହନ୍ତି। ସେ ମନ୍ତ୍ରୀ ଥିବାବେଳେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ତେଣୁ ସେତେବେଳେ ଶାସନରେ ନାନା ଅଘଟଣ ଘଟୁଥିଲେ ମଧ୍ୟ ବାହାରେ କହିପାରୁନଥିଲେ। 

ଭିଡିଓରେ ଡା. ରାଉତ କହିଛନ୍ତି, “ଯାହା କରିବା କଥା କାଗଜପତ୍ରରେ କରି ଛାଡ଼ି ଦେଉଥିଲି। କିନ୍ତୁ କାଗଜପତ୍ରରେ ଲେଖିଲେ ମଧ୍ୟ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୋତେ ବ୍ୟଥିତ କରୁଥିଲା।”

ଏବେ ମନ୍ତ୍ରୀ ପଦରୁ ଯିବା ପରେ ସେ ଶାସନରେ ଯେଉଁସବୁ ଦୁର୍ନୀତି ଘଟୁଛି ତାକୁ ଦେଖି ମତ ଦେଉଛନ୍ତି। ନବୀନ ପଟ୍ଟନାୟକ ୨୦ବର୍ଷ ହେଲା ଶାସନରେ ରହିଛନ୍ତି। ଶାସନରେ ଯେଉଁ ଦୁର୍ନୀତି-ଭ୍ରଷ୍ଟାଚାର ହେଉଛି ତାହା ତାଙ୍କ ନଜରକୁ ଆସୁଛି କି ନାହିଁ ସେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କୁ ଏସବୁ ମର୍ମାହତ କରୁଛି। ତାଙ୍କର କୌଣସି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କହିବାର ନାହିଁ। ସେ ଦଳ କିମ୍ବା ଦଳପତିଙ୍କ ସମ୍ପର୍କରେ ମଧ୍ୟ କିଛି କହିନାହାନ୍ତି କିମ୍ବା ଭବିଷ୍ୟତରେ ତାଙ୍କର କହିବାର ମଧ୍ୟ ନାହିଁ। ସେ ଯାହା କହୁଛନ୍ତି ପ୍ରଶାସନ ସମ୍ପର୍କରେ କହୁଛନ୍ତି। ଶାସନରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ନଲାଗିଲେ ରାଜ୍ୟର ସ୍ୱାର୍ଥ ବାଧିତ ହେବ। ତେଣୁ ସେସବୁ ଲୋକଲୋଚନକୁ ଆଣୁଛନ୍ତି। ଯଦି ଏହା ସତ୍ୱେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୁଏ ତା’ହେଲେ ତାଙ୍କର କିଛି କହିବାର ନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି।

କଙ୍ଗାରୁ କୋର୍ଟ ଭଳି ଚାଲିଛି: ବୈଜୟନ୍ତ

ଡାକ୍ତର ରାଉତଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକଙ୍କ ପାଖରେ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀର ବିଧାୟକ ଓ ଶତାଧିକ କର୍ମୀ ଅଭିଯୋଗ କରିବା ଉପରେ ଗଣମାଧ୍ୟମକୁ ପ୍ରତିକ୍ର୍ରିୟା ଦେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, “ଦାମବାବୁ ଜଣେ ବରିଷ୍ଠ ନେତା। ତାଙ୍କ ସମ୍ପର୍କରେ କୌଣସି ପୂର୍ବାନୁମାନ କରିବାକୁ ଚାହୁଁନି। ସେ ଯେଉଁ ଆରୋପ ଆଣିଛନ୍ତି ତାହା ବହୁତ ଗମ୍ଭୀର।” 

“ମୂଳରୁ ମୁଁ ବିଜେଡି ସହ ସମ୍ପୃକ୍ତ ଥିଲି। ଶାସନର ୨/୩ଟି ପାଳିରେ ଏଭଳି ଅଭିଯୋଗ ଆସିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏବେ କାହିଁକି ହେଉନି ତାହା ସରକାର କହିପାରିବେ। 

(ଡା. ରାଉତଙ୍କ) ଆରୋପରେ ସତ୍ୟତା ଅଛି କି ନାହିଁ ତାହା ଯାଞ୍ଚ ହେବା ଦରକାର। ତେବେ ମୁଁ ଭାବୁଛି, ବିଜୁ ବାବୁଙ୍କ ସମର୍ଥକମାନେ ଆଉ କେହି ଦଳରେ ରହିଲେନି।ଏହା ଭଲ କଥା ନୁହେଁ।”

ତାଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଶୈଳୀରେ ଏବେ ଦାମବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା କହିଛନ୍ତି ଯେ “ ମୋ ବିରୁଦ୍ଧରେ ଯେତେବେଳେ ଲୋକମାନେ ଆସି ଅଭିଯୋଗ କରୁଥିଲେ ସେତେବେଳେ ସେମାନେ ଗେଟରୁ ବାହାରିବା ପରେ ଗଣମାଧ୍ୟମକୁ ହିଁ କହୁଥିଲେ ଯେ ଏସବୁ କହିବା ପାଇଁ ସେମାନଙ୍କୁ କୁହାଯାଇଥିଲା। ସେମାନଙ୍କର ମନରେ କିଛି ଅଭିଯୋଗ ନଥିଲା। ତେଣୁ ଏସବୁ କଙ୍ଗାରୁ କୋର୍ଟ ଭଳି ହେଉଛି। ଏହା ଆମ ରାଜ୍ୟ ପାଇଁ  କି ଗଣତନ୍ତ୍ର ପାଇଁ ଭଲ ନୁହେଁ।”



from Odisha Reporter https://ift.tt/2x4BRzz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages