
ନୂଆଦିଲ୍ଲୀ: ୧୯୭୧ ମସିହା। ନିର୍ବାଚନ ସରି ଯାଇଥାଏ। ଆଉ ପ୍ରଥମଥର ପାଇଁ ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ସଞ୍ଜୟ ଗାନ୍ଧି ଖୁବ୍ ଖୁସ ମିଜାଜରେ ଥିବା ନଜରକୁ ଆସିଥିଲେ। ସଞ୍ଜୟ ଗାନ୍ଧିଙ୍କୁ ନେଇ ପାର୍ଟି କାର୍ଯ୍ୟାଳୟରୁ ଆରମ୍ଭ କରି ସବୁଠି ମାହୋଲ ସରଗରମ ଥିଲା।
କିନ୍ତୁ ସଞ୍ଜୟ ଖୁସିର କାରଣ କିଛି ଅଲଗା ଥିଲା। ଅର୍ଥାତ ସେ କିଛି ଗୋଟେ ଅଲଗା ଚକ୍କରରେ ଥିଲେ। ଆଇ ସେଇଟା ହେଉଛି କାର୍। କାର୍ ପ୍ରତି ସଞ୍ଜୟଙ୍କ ଅହେତୁକ ଦୁର୍ବଳତା ଥିଲା। ଭାରତ ଫେରିବା ପୂର୍ବରୁ ଇଂଲଣ୍ଡର ନାମୀ କାର୍ କମ୍ପାନୀ Rolls Royceରେ କିଛି ଦିନ ଟ୍ରେନିଂ ନେଇଥିଲେ ସଞ୍ଜୟ। ସେଠାରୁ ଫେରିବା ପରେ ଭାରତରେ ଏକ କାର୍ କମ୍ପାନୀ ଖୋଲିବା ପାଇଁ ସଞ୍ଜୟ ଗାନ୍ଧିଙ୍କର ଭାରି ଇଚ୍ଛା ଥିଲା। ସଞ୍ଜୟ ଗାନ୍ଧି ନିଜର ଏକ କାର୍ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଜମି ଖୋଜିବା ଆରମ୍ଭ କଲେ। କିନ୍ତୁ ମା’ ଇନ୍ଧିରାଙ୍କ ଇଚ୍ଛା ଥିଲା ପୁଅ ସଞ୍ଜୟ ସକ୍ରିୟ ରାଜନୀତିରେ ରୁହନ୍ତୁ ଓ ସେଥିରେ ବେଶୀ ସମୟ ଦିଅନ୍ତୁ।
ସେତେବେଳେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ଦାୟିତ୍ୱ ସଞ୍ଜୟ ନିଅନ୍ତୁ ବୋଲି ଇନ୍ଧିରା ଚାହୁଁଥିଲେ। କିନ୍ତୁ ସଞ୍ଜୟଙ୍କର ସେଥିପ୍ରତି ବିଶେଷ ଆଗ୍ରହ ନଥିଲା। ତାଙ୍କର ପୂରା ନଜର କାର୍ ଫ୍ୟାକ୍ଟ୍ରି ଉପରେ ଥିଲା।
ସଞ୍ଜୟ ଭାରି ଜିଦ୍ଖୋର ଥିଲେ। ତାଙ୍କ ଜିଦ୍ ଆଗରେ କାହାରି ମର୍ଜି ଚାଲୁ ନଥିଲା। ତେବେ ସେ ସମୟରେ ଛୋଟ କାର୍ ନିର୍ମାଣ ପାଇଁ ଲାଇସେନ୍ସ ଲାଗି ୧୮ଟି ଆବେଦନ ଆସିଥିଲା। ହେଲେ କେବଳ ପ୍ରଧାନମନ୍ତ୍ରୀଙ୍କ ପୁଅ ସଞ୍ଜୟଙ୍କୁ ହିଁ ଲାଇସେନ୍ସ ମଞ୍ଜୁର ହୋଇଥିଲା। ତତ୍କାଳୀନ ହରିୟାଣା ମୁଖ୍ୟମନ୍ତ୍ରୀ ବଂଶୀଲାଲ ଏଥିପାଇଁ ସଞ୍ଜୟଙ୍କୁ ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ୩୦୦ ଏକର ଜମି ଯୋଗାଇଦେଇଥିଲେ।
ତେବେ ସଞ୍ଜୟଙ୍କୁ ଏହି ସୁବିଧା ମିଳିବା ପରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଖାଲି ବିପକ୍ଷ ନୁହଁ ଦଳ ଭିତରୁ ମଧ୍ୟ ବିରୋଧର ସ୍ୱର ତେଜିଥିଲା। ସଞ୍ଜୟଙ୍କୁ ଲାଇସେନ୍ସ ଆବଣ୍ଟନ ଏବଂ ଶାଗମାଛ ଦରରେ ଜମି ଯୋଗାଇ ଦେବାକୁ ନେଇ ସୁଷ୍ଟି ହୋଇଥିଲା ଝଡ଼।
ତେବେ ଇନ୍ଦିରା ଗାନ୍ଧିଙ୍କୁ ଅଧିକ ବାଧିଥିଲା, ଯେତେବେଳେ ତାଙ୍କ ଘନିଷ୍ଟ ସହଯୋଗୀ ତଥା ପରାମର୍ଶଦାତା ପି.ଏନ୍. ହକସର ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ।
ପ୍ରଖ୍ୟାତ ଐତିହାସିକ ରାମଚନ୍ଦ୍ର ଗୁହା ତାଙ୍କ ବହି ‘India After Gandhi’ ରେ ଲେଖିଛନ୍ତି ଯେ, ସଞ୍ଜୟ ଗାନ୍ଧିଙ୍କ ‘ମାରୁତି’ କାର୍ ପ୍ରୋଜେକ୍ଟକୁ ରଦ୍ଦ କରିବା ସହ ନିଜ ପୁଅ ଯୋଗୁ ଉପୁଜ୍ଜିଥିବା ସଙ୍କଟରୁ ବର୍ତ୍ତିବା ପାଇଁ ତାଙ୍କୁ ଘରୁ ଅଲଗା କରିଦେବାକୁ ପି.ଏନ୍. ହକସର ପରାମର୍ଶ ଦେଇଥିଲେ। ଅବଶ୍ୟ ହକ୍ସର ଦେଇଥିବା ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ ଇନ୍ଦିରା। କୁହାଯାଉଛି ଏହି ପରାମର୍ଶ କାରଣରୁ ଇନ୍ଦିରା- ହକ୍ସରଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଆଉ ହକ୍ସରଙ୍କୁ ଇନ୍ଦିରାଙ୍କ ଠାରୁ ଦୂରେଇବାକୁ ପଡ଼ିଥିଲା।
ସେପଟେ କଂଗ୍ରେସକୁ ଭିତରୁ ମଜଭୁତ କରିବା ପାଇଁ ଜଣେ ଯୋଗ୍ୟ ନେତା ସନ୍ଧାନରେ ଥିଲେ ଇନ୍ଦିରା। ଆଉ ଏହାକୁ ସଞ୍ଜୟ ଖୁବ୍ ଦକ୍ଷତାର ସହ ପରିଚଳାନା କରିପାରିଥିଲେ। ପରେ ଉଭୟ ମା-ପୁଅଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଲା। ଆଉ ସଚିବାଳୟରେ ପିଏନ୍ ହକ୍ସରଙ୍କ ପ୍ରଭୁତ୍ୱ ହ୍ରାସ ପାଇଲା। ରାମଚନ୍ଦ୍ର ଗୁହା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି ଯେ, ୧୯୭୨ ବେଳକୁ କଂଗ୍ରେସ ଦଳରେ ପାରିବାରିକ ରାଜନୀତି ତେଜିବାରେ ଲାଗିଲା। ଯାହାକୁ ନେଇ ଆଗୁଆ ସତର୍କ କରିଥିଲେ ହକ୍ସର।
from Odisha Reporter https://ift.tt/2LVBmg3
No comments:
Post a Comment