
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ହୋଇଥିଲା ବ୍ରହ୍ମବିଭ୍ରାଟ୍। ତେଣୁ ଏହାକୁ ଲୁଚାଇଦେବାକୁ ହୋଇଛି ପ୍ରୟାସ। ସେଥିପାଇଁ ବ୍ରହ୍ମବିଭ୍ରାଟ୍ ରିପୋର୍ଟକୁ ସାର୍ବଜନୀନ ନକରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ସୂଚନା ଅଧିକାର ଆଇନ୍ ବଳରେ ମାଗିଲେ ମଧ୍ୟ ମିଳିବନି ରିପୋର୍ଟ। ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ପ୍ରମୁଖ ହେଉଛି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ। ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ହୋଇଥିବା ସ୍ଵୀକାର କରିଛନ୍ତି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର।
ସେ କହିଛନ୍ତି-“ଏଥିରେ ୧୦ରୁ ୧୫ ଜଣ ସେବକ ସଂପୃକ୍ତ ଅଛନ୍ତି। ସଂପୃକ୍ତ ସେବକ ଦଇତାପତି ବା ମହାରଣା ସେବକ ହୋଇପାରନ୍ତି। ସଂପୃକ୍ତ ସେବକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର ପ୍ରଶାସନ ଆଇନ ୨୧ (ଖ) ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। କାରଣ ଦର୍ଶାଅ ନୋଟିସ ହେବ, ୩ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ହେବ।”
ଅକ୍ଟୋବର ୧ରୁ ଆରମ୍ଭ ହେବ ଧାଡ଼ି ଦର୍ଶନ
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସୁଛନ୍ତି। ତେଣୁ ମହାବାହୁଙ୍କୁ ଦର୍ଶନ ପାଇଁ ଅକ୍ଟୋବର ୧ରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।
ଏଣିକି ନିୟମିତ ବ୍ୟବଧାନରେ ବ୍ୟାଙ୍କକୁ ଯିବ ଦାନସୂତ୍ରରେ ମିଳିଥିବା ସୁନା। ଏହା ପ୍ରତି ସୋମବାର SBI ଲକରରେ ଦାଖଲ ହେବ। ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯିବ। ୧୮ଟି ସେକ୍ସନ ମଧ୍ୟରୁ ୧୦ଟି ସେକ୍ସନ ରଖାଯିବାକୁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ସୁପାରିସର ୧୨ଟି ପଏଣ୍ଟରୁ ୧୦ଟି ଲାଗୁ କରିବାକୁ ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2NKnBqf
No comments:
Post a Comment