ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରୁନି କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରୁନି କଂଗ୍ରେସ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଇଥିବା ଡେଡଲାଇନ୍ ସତ୍ତ୍ୱେ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସକ୍ଷମ ହୋଇ ପାରିନି। ଅଗଷ୍ଟ ମାସ ଯାଇ ସେପ୍ଟେମ୍ବର ସରିବାକୁ ବସିଲାଣି, କିନ୍ତୁ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ଦେବାରେ ରାଜ୍ୟ କଂଗ୍ରେସ ବିଫଳ ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା ୫୦ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଜାରି କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦମ୍ଭୋକ୍ତି ମଧ୍ୟ ଘୋଷଣାରେ ରହିଯାଇଛି।

ଏପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫୋକସରେ ଓଡ଼ିଶା ରହିଛି ବୋଲି କର୍ମୀଙ୍କୁ ସନ୍ଦେଶ ଦେବା ପାଇଁ ବାରମ୍ବାର ତାଙ୍କର ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଉଛି। କିନ୍ତୁ ରାହୁଲ ଏପର୍ଯ୍ୟନ୍ତ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇପାରୁନି।

ସୂଚନା ଅନୁସାରେ ରାହୁଲ ଗାନ୍ଧି ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ୨ଥର ଓଡ଼ିଶା ଗସ୍ତରେ ଆସିବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଗଷ୍ଟରେ ରାହୁଲ ଓଡ଼ିଶା ଆସିବେ ବୋଲି ଜୁଲାଇ ମାସରେ କହିଥିଲେ। ତାଙ୍କ ପୂର୍ବରୁ ବିଦାୟୀ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ରାହୁଲ ଗାନ୍ଧି ଜୁନ୍ରେ ଆସିବେ ବୋଲି ଫେବୃୟାରୀ ମାସରେ କହିଥିଲେ।

ତେଣୁ ପ୍ରଦେଶ କଂଗ୍ରେସ ନେତାମାନଙ୍କର ନିଜ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ନେଇ ଏଭଳି ବାରମ୍ବାର ମତ ଓ ସମୟ ନିର୍ଘଣ୍ଟ ଘୋଷଣାକୁ ଏବେ ଦଳୀୟ କର୍ମୀମାନେ ବି ନାପସନ୍ଦ କରିବାରେ ଲାଗିଲେଣି।

ତେବେ ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଂଗଠନିକ ପ୍ରକ୍ରିୟା ଚୂଡ଼ାନ୍ତ ହୋଇନଥିବାରୁ ରାହୁଲ ଓଡ଼ିଶା ଗସ୍ତରେ ଆସିପାରୁନାହାନ୍ତି। ବିଶେଷକରି, କଂଗ୍ରେସ ବ୍ଳକ୍ ସଭାପତି ପଦ ଉଚ୍ଛେଦ କରାଯାଇ ଜିଲ୍ଲା ପରିଷଦ ଜୋନ୍ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ସମସ୍ତ ଜୋନରେ କଂଗ୍ରେସ ସଭାପତିମାନେ ଏପର୍ଯ୍ୟନ୍ତ ନିଜର କମିଟି ଗଠନ କରିବାରେ ସକ୍ଷମ ହୋଇନାହାନ୍ତି।

ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଏପର୍ଯ୍ୟନ୍ତ ସମସ୍ତ ଜୋନାଲ କମିଟିଗୁଡ଼ିକ ଗଠନ ଚୂଡ଼ାନ୍ତ ହୋଇପାରିନଥିବାରୁ ଦଳ ଭିତରେ ଅସନ୍ତୋଷ ଲାଗି ରହିଛି। ଯେଉଁମାନଙ୍କୁ ବ୍ଲକ୍ ସଭାପତି ପଦରୁ ହଟାଯାଇଛି ସେମାନଙ୍କୁ କିଭଳି ସଂଗଠନରେ ଥଇଥାନ କରାଯିବ ତା’ର ବାଟ ବାହାରିନଥିବାରୁ ରାଜ୍ୟବ୍ୟାପୀ ଏହାର ପ୍ରତିକ୍ରିୟା ଦେଖାଦେଲାଣି। ତେଣୁ ଏଭଳି ସ୍ଥିତିରେ ରାହୁଲଙ୍କ ଓଡ଼ିଶା ଗସ୍ତବେଳେ ଦଳୀୟ ନେତାମାନେ ସ୍ୱର ଉଠାଇବାର ଥିବାରୁ ସାଂଗଠନିକ ପ୍ରକ୍ରିୟା ଶେଷ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

ସେହିପରି ଯେଉଁ ଫର୍ମୂଲାରେ ରାଜ୍ୟରେ ପ୍ରାର୍ଥୀ ଚୟନ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଘୋଷଣା କରିଥିଲେ ତାହା କେବଳ ଦଳର ଆଶାୟୀ ପ୍ରାର୍ଥୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ଜଣାପଡ଼ିଛି।

କାରଣ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ବିଶ୍ୱସ୍ତ ଟିମ୍ ମାଧ୍ୟମରେ ରାଜ୍ୟବ୍ୟାପୀ ଏବେ ସର୍ଭେ କାର୍ଯ୍ୟ ଚଳାଇଛନ୍ତି। ଯୁବ କଂଗ୍ରେସର ସଦସ୍ୟମାନଙ୍କ ଦ୍ୱାରା ଏହି ସର୍ଭେ ଚାଲିଛି ଓ ଏହାର ରିପୋର୍ଟ ମିଳିବା ପରେ ହିଁ ଏଆଇସିସି ଦ୍ୱାରା ଓଡ଼ିଶା ବିଧାନସଭା ନିମନ୍ତେ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ମୋହର ମରାଯିବ। ତେଣୁ ତା’ ପୂର୍ବରୁ ପିସିସି ପଦାଧିକାରୀମାନେ ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରି ଦଳୀୟ ନେତାମାନଙ୍କ ଆକ୍ରୋଶର ଶିକାର ହେବାକୁ ଚାହୁଁନାହାନ୍ତି।

ସୂତ୍ର ଅନୁସାରେ ପିସିସି ପକ୍ଷରୁ ଯେଉଁ ପ୍ରାଥମିକ ତାଲିକା ଏଆଇସିସିକୁ ଦିଆଯାଇଥିଲା, ତାହା କୁଆଡ଼େ ଏବେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପାଖରେ ହିଁ ରହିଛି। ଖୁବଶୀଘ୍ର ପିସିସି ନିର୍ବାଚନ କମିଟିର ଆଉ ଏକ ବୈଠକ ବସି ଏହି ତାଲିକାରେ କେତେକ ଅଦଳବଦଳ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।

ତେଣୁ ଏସବୁ କାରଣରୁ ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଓ ପ୍ରାର୍ଥୀ ତାଲିକା ଘୋଷଣା ଚୂଡ଼ାନ୍ତ ରୂପ ନେଇପାରୁନି ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2MReO0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages