
ଦୁବାଇ: ଏସିଆ କପ୍ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ସାରିଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ଆଫ୍ଗାନିସ୍ତାନ ବିପକ୍ଷ ସୁପର୍ ଫୋର୍ର ଅନ୍ତିମ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ। ଏଯାଏ ଏସିଆ କପ୍ରେ ଅପରାଜେୟ ରହିଥିବା ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ନିଜର ବିଜୟ ଧାରା ଅବ୍ୟାହତ ରଖିବାକୁ ଚେଷ୍ଟା କରିବ।
ସେହିଭଳି ଟିମ୍ ଫାଇନାଲ୍ରେ ପ୍ରବେଶ କରି ସାରିଥିବାରୁ କିଛି ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଟିମ୍ ଇଣ୍ଡିଆ ମ୍ୟାନେଜ୍ମେଣ୍ଟ ଚିନ୍ତା କରୁଛି। ବିଶେଷ କରି ସ୍ପିଡ୍ଷ୍ଟର ଭୁବନେଶ୍ୱର କୁମାର ଓ ଦୁଇ ରିଷ୍ଟ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ଆସନ୍ତକାଲି ମ୍ୟାଚ୍ରେ ବିଶ୍ରାମ ମିଳିପାରେ।

ଆସନ୍ତକାଲି ଅପରାହ୍ଣ ୫ଟାରେ ଦୁବାଇ ପଡ଼ିଆରେ ଉଭୟ ଟିମ୍ ମୁହାଁମୁହିଁ ହେବେ।
ଅନ୍ୟପଟେ ଏସିଆ କପ୍ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିବା ଆଫ୍ଗାନିସ୍ତାନ ଆସନ୍ତାକାଲି ସମ୍ମାନ ପାଇଁ ଲଢ଼େଇ କରିବ। ଲିଗ୍ ପର୍ଯ୍ୟାୟରେ ଶକ୍ତିଶାଳୀ ଶ୍ରୀଲଙ୍କା ଓ ବାଂଲାଦେଶକୁ ହରାଥିବା ଆଫ୍ଗାନିସ୍ତାନ କିନ୍ତୁ ସୁପର୍ ଫୋର୍ରେ ପାକିସ୍ତାନଠାରୁ ପ୍ରଥମେ ପରାସ୍ତ ହୋଇଥିଲା। ଏହାପରେ ରବିବାର ବାଂଲାଦେଶରଠାରୁ ମାତ୍ର ୩ ରନ୍ରେ ପରାସ୍ତ ହୋଇ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି।

କିନ୍ତୁ ଆଫ୍ଗାନିସ୍ତାନ ଉଭୟ ମ୍ୟାଚ୍ରେ କଡ଼ା ଟକ୍କର ଦେଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଆଫ୍ଗାନିସ୍ତାନ ବେଶ ଭଲ ପ୍ରଦର୍ଶନ କରିଛି। ବ୍ୟାଟିଂ ଦାୟିତ୍ୱ ଅଧିନାୟକ ଅଶଗର ଆଫ୍ଗାନ୍, ଇଶାନ୍ଉଲ୍ଲା ଜାମାତ, ମହମ୍ମଦ ନବି ପ୍ରମୁଖଙ୍କ ଉପରେ ନିର୍ଭର କରିବ। ଏମାନେ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି।
ସେହିପରି ବୋଲିଂ ବିଭାଗର ସଫଳତା ଷ୍ଟାର ସ୍ପିନର ରଶିଦ୍ ଖାନ୍ଙ୍କ ଉପରେ ନିର୍ଭର କରିବ। ରଶିଦଙ୍କ ବ୍ୟତୀତ ମୁଜବୀ ଉର ରେହମାନ ଓ ଅଫତାବ ଆଲାମଙ୍କ ଭଳି ବୋଲର ମଧ୍ୟ ଆଫ୍ଗାନିସ୍ତାନ ପାଖରେ ରହିଛନ୍ତି। ତେଣୁ ଏମାନେ ବିଶ୍ୱର ଯେକୌଣସି ବ୍ୟାଟିଂ ଲାଇନ୍ ଅପ୍କୁ ଚ୍ୟାଲେଞ୍ଜ ଦେଇ ପାରିବେ।

from Odisha Reporter https://ift.tt/2zqHlWV
No comments:
Post a Comment