
ଇମ୍ଫାଲ୍:ମଣିପୁରର ଥାରୋଇଜାମ୍ରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ଗାଁ ଲୋକ ପିଟିପିଟି ହତ୍ୟା କରିଛନ୍ତି। ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ବର୍ଷୀୟ ଫାରୁକ୍ ଖାନ୍ କିନ୍ତୁ ମୃତ୍ୟୁ ପୂର୍ବରୁ ବେଶ କିଛି ସମୟ ଯନ୍ତ୍ରଣା ସହ ଲଢ଼େଇ କରିଥିଲେ।
ସେ ଲୋକଙ୍କ ଆକ୍ରମଣରେ ଆହତ ହୋଇ ତଳେ ପଡ଼ି ସାହାଯ୍ୟ ପାଇଁ ଆତୁର ନିବେଦନ କରିଥିଲେ ହେଁ କେହି ବି ତାଙ୍କ କଥା ଶୁଣି ନଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ସେଠାରେ ବନ୍ଧୁକ ଧରିଥିବା ୪ ଜଣ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରେ ଜଣେ ସବ୍ଇନ୍ସ୍ପେକ୍ଟର ମଧ୍ୟ ରହିଥିଲେ। ହେଲେ ସେମାନେ ଫାରୁକଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ।
ଶେଷରେ ଫାରୁକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଛି। ଯେଉଁଥିରେ ପୁଲିସ୍ କର୍ମଚାରୀଙ୍କ ନିଷ୍ଠୁର ନିଷ୍କ୍ରିୟତା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏ ସଂକ୍ରାନ୍ତ ଭିଡିଓ ଭାଇରାଲ୍ ହେବା ପରେ ସମସ୍ତ ୪ ଜଣ ପୁଲିସ୍ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
ଥୋଉବାଲ୍ ଜିଲ୍ଲାର ଅଧିବାସୀ ଫାରୁକ ଖାନ୍ ଥାରୋଇଜାନ୍ରୁ ବାଇକ୍ ଚୋରି କରିଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଗାଁ ଲୋକମାନେ ମାଡ଼ ମାରିଥିଲେ। ଏହି ସମୟରେ ଫାରୁକଙ୍କ ସହ ଆଉ ଦୁଇ ଜଣ ଯୁବକ ଥିଲେ ହେଁ ସେମାନେ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। ଗାଁ ଲୋକମାନେ ଫାରୁକ୍ ବ୍ୟବହାର କରୁଥିବା କାର୍କୁ ଜାଳିଦେଇଛନ୍ତି।
ମଣିପୁର ମାନବାଧିକାର କମିଶନ୍ ଆସନ୍ତା ୨୨ ତାରିଖ ସୁଦ୍ଧା ଘଟଣାର ରିପୋର୍ଟ ଦେବାକୁ ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2MG4IPJ
No comments:
Post a Comment