ଦାମଙ୍କୁ ଦୁର୍ନୀତି ଅଭିଯୋଗରେ ଫସାଇବାକୁ ବିଜେଡିର ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଦାମଙ୍କୁ ଦୁର୍ନୀତି ଅଭିଯୋଗରେ ଫସାଇବାକୁ ବିଜେଡିର ପ୍ରୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଓ ବିଜେଡି ମଧ୍ୟରେ ତୁଣ୍ଡ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଏକାଧିକ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିବା ଡାକ୍ତର ରାଉତଙ୍କୁ ଏବେ ସେହି ଦୁର୍ନୀତି ମାମଲାରେ ଛନ୍ଦିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ଡାକ୍ତର ରାଉତ ଏବେ ବ୍ୟାକଫୁଟରେ। ଆନ୍ନା ହଜାରେଙ୍କ ଭଳି ସେ ରାଜ୍ୟ ତମାମ ବୁଲି ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ଯେଉଁ ଘୋଷଣା କରିଥିଲେ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଚାରା, ସମବାୟ ବ୍ୟାଙ୍କ, ଓମଫେଡ୍ , ଡଙ୍କାରୀ ପାହାଡ଼ ଓ ରାମକୋ ସିମେଣ୍ଟ ଆଦି ମାମଲାରେ ଦୁର୍ନୀତି ଓ କେଳେଙ୍କାରୀ ପ୍ରସଙ୍ଗ ଉଠାଇ ସରକାରଙ୍କ ନିଦ ହଜାଇ ଦେଇଥିବା ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡି ଏବେ ତାଙ୍କୁ ଦୁର୍ନୀତି ଜାଲରେ ଛନ୍ଦିବା ପାଇଁ ରଣନୀତି ପ୍ରସ୍ତୁତ କରିଛି।

ଡାକ୍ତର ରାଉତଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଅସମ୍ମାନିତ କରିବାକୁ ଯାଇ ବିଧାନସଭାରେ ତାଙ୍କର ସିଟକୁ ମଧ୍ୟ ବଦଳାଇବାକୁ ପଛାଇ ନାହିଁ। ବିଧାନସଭାର ମୌସୁମୀ ଅଧିବେଶନ ଆଉ ଦିନେ-ଦୁଇଦିନରେ ସରିବାକୁ ଥିବାବେଳେ ଡାକ୍ତର ରାଉତଙ୍କ ସିଟ୍ ପରିବର୍ତ୍ତନ କରି ବିଜେଡି ତାଙ୍କୁ ମାନସିକସ୍ତରରେ ଆଘାତ ଦେବାକୁ ପ୍ରୟାସ କରିଛି।

ଏହାଛଡ଼ା ଡାକ୍ତର ରାଉତଙ୍କ ବିଭିନ୍ନ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବା ପାଇଁ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଆଜି ବିଧାନସଭା ଶୂନ୍ୟ କାଳରେ ବିଜେଡି ବିଧାୟକ ସମୀର ଦାଶ ସିଧାସଳଖ ଡାକ୍ତର ରାଉତଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ।

ସେ କହିଥିଲେ ଯେ, ଡାକ୍ତର ରାଉତ ଅବକାରୀ ମନ୍ତ୍ରୀ ଥିବାବେଳେ ୯୩ଟି ମଦ ଦୋକାନ ଖୋଲାଯାଇଛି। ଏଥିରେ ପାରାଦୀପରେ ୩ଟି ସମେତ ଜଗତସିଂହପୁର ଜିଲ୍ଲାରେ ମୋଟ ୮ଟି ମଦ ଦୋକାନ ରହିଛି। ଏସବୁ ମଦଦୋକାନ ଖୋଲିବା ପାଇଁ ଆବଶ୍ୟକ ଆଇନକୁ ପାଳନ କରାଯାଇଛି କି ନାହିଁ ତା’ର ତଦନ୍ତ କରାଯାଉ ବୋଲି ସେ ଦାବି କରିଥଲେ।

ସେହିପରି ବରିଷ୍ଠ ମନ୍ତ୍ରୀ ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ଯେ, ଡାକ୍ତର ରାଉତ ନିଜର କ୍ଷମତାର ଅପବ୍ୟବହାର କରି ପାରାଦୀପରେ ଥିବା କମ୍ପାନୀଗୁଡ଼ିକୁ ଧମକାଇ କୋଟିକୋଟି ଟଙ୍କାର କାରବାର କରୁଛନ୍ତି। ଗ୍ୟାଙ୍ଗଷ୍ଟର ଟିଟୋ ସହ ମଧ୍ୟ ଦାମଙ୍କ ସମ୍ପର୍କ ରହିଛି। ଦାମବାବୁଙ୍କ ପୁଅ ପାରାଦୀପସ୍ଥିତ ଇଫକୋର ପରିବହନ କାମ ନେଇଛନ୍ତି। ତାଙ୍କ ଜ୍ୱାଇଁଙ୍କ ରାଉରକେଲାସ୍ଥିତ ଘରେ ୫୦ହଜାର ଟଙ୍କା ମାସିକ ଭଡ଼ାରେ ସ୍ମଲସ୍କେଲ ଇଣ୍ଡଷ୍ଟ୍ରିର ଅଫିସ ଚାଲୁଛି। ଜାତିକଥା କହି ସେ ସମାଜରେ ଭେଦଭାବ ସୃଷ୍ଟି କରୁଥିଲେ। ତାଙ୍କ ନାଁରେ ଜାତିଆଣ ଆକ୍ଷେପ ଯୋଗୁ କୋର୍ଟରେ ମାମଲା ଚାଲିଛି ଓ ସେ ଏବେ ଜାମିନରେ ଅଛନ୍ତି।

ସବୁବେଳେ ଅବାନ୍ତର କଥା କହି ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଦାମବାବୁ ଚାହୁଁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି । ତା’ଛଡ଼ା ଦାମବାବୁ ତାଙ୍କ ସମକକ୍ଷ ନେତା ସହ ଲଢ଼େଇ ନକରି ବବି, ଅରୁଣଙ୍କ ଭଳି ପିଲାଙ୍କ ପଛରେ କାହିଁକି ଲାଗୁଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ଆଜି ଗୋଟିଏ ଦିନରେ ଡାକ୍ତର ରାଉତଙ୍କ ବିଧାନସଭାରେ ସିଟ୍ ପରିବର୍ତ୍ତନ, ସମୀର ଦାଶଙ୍କ ମଦ ଲାଇସେନ୍ସ ପ୍ରଦାନରେ ଦୁର୍ନୀତି ଅଭିଯୋଗ ଓ ସୂର୍ଯ୍ୟ ପାତ୍ରଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ କେଳେଙ୍କରୀରେ ତାଙ୍କର ସମ୍ପୃକ୍ତି ଅଭିଯୋଗରୁ ବିଜେଡିର ଦାମଙ୍କ ପ୍ରତି କଡ଼ା ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।

ଅପରପକ୍ଷରେ ବିଜେଡିର ଆକ୍ରମଣାତ୍ମକ ରଣନୀତି ଉପରେ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ ସେ କାପୁରୁଷ ନୁହନ୍ତି। ଶିଅଳବିଜେଡି ନେତାମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଡାହା ମିଛ। ତାଙ୍କ ପୁଅ ନାଁରେ କୌଣସି ପରିବହନ କମ୍ପାନୀ ନାହିଁ। ତାଙ୍କ ପୁଅ ତା’ ଜୀବଦଶା ମଧ୍ୟରେ ୩-୪ଥର ଇଫକୋ କମ୍ପାନୀ ଭିତରକୁ ଯାଇଥିବ କି ନାହିଁ ସନ୍ଦେହ। ସେହିପରି ତାଙ୍କ ଜ୍ୱାଇଁଙ୍କ କୌଣସି ଘର ଭୁବନେଶ୍ୱର କି ରାଉରକେଲାରେ ନାହିଁ।

ଜାତିଆଣ ମାମଲାରେ ତାଙ୍କ ନାଁରେ ଯେଉଁ ମାମଲା ଅଛି ତାକୁ ଉଦ୍ଦେଶ୍ୟମୂଳକ ଭାବେ ସରକାର ଚଳାଇ ରଖିବାକୁ ଚାହୁଁଛନ୍ତି। ତେଣୁ ଯେଉଁ କେସରେ ଦମ୍ ନାହିଁ ସେଥିରେ ତାଙ୍କୁ ଜାମିନ ମିଳିବ ନାହିଁ ତ ଆଉ କ’ଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି। ବବି(ପ୍ରଣବ ପ୍ରକାଶ ଦାସ), ଅରୁଣ ସାହୁଙ୍କ ପଛରେ ସେ ପଡ଼ିନାହାନ୍ତି ବରଂ ସେମାନେ ତାଙ୍କ ପଛରେ ପଡ଼ିଥିବା ଡାକ୍ତର ରାଉତ କହିଛନ୍ତି।

ତେବେ ରାଜ୍ୟବ୍ୟାପୀ ବୁଲି ସରକାରଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ପର୍ଦ୍ଦାଫାସ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଡାକ୍ତର ରାଉତ ପୂର୍ବରୁ ଯେଉଁ ଘୋଷଣା କରିଥିଲେ ତାହା କିଭଳି ହେବ ଓ କେବେ କରିବେ ବୋଲି ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ। ଡାକ୍ତର ରାଉତ କହିଥିଲେ ଯେ, ସେ ରାଜ୍ୟ ବୁଲିବେ କି ନାହିଁ ତାହା ଏବେ ମିଡିଆକୁ କହିବା ଜରୁରୀ ନୁହେଁ ।ଯେତେବେଳେ ସେ ବୁଲିବେ, ମିଡିଆ ଜାଣିବ।

ଦୁର୍ନୀତି ମାମଲାରେ ଡାକ୍ତର ରାଉତଙ୍କୁ ଛନ୍ଦିବା ପାଇଁ ବିଜେଡି ଏବେଠୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିବାବେଳେ ଆଗାମୀ ଦିନରେ ଏହା ଅଧିକ ଶାଣିତ ହେବାର ଆଶଙ୍କା ରହିଛି। କାରଣ, ନିର୍ବାଚନୀ ବର୍ଷରେ ବିରୋଧୀ ଦଳକୁ ଡାକ୍ତର ରାଉତଙ୍କ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗ ମିଳିବାର ସମ୍ଭାବନା ରହିଛି। ଯାହାକି ଉଭୟ ବିଜେଡି ଓ ସରକାରଙ୍କୁ ଅଡ଼ୁଆରେ ପକାଉଛି । ତେଣୁ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଦାମଙ୍କ ଶାଣିତ ସ୍ୱର ଉପରେ ଅଙ୍କୁଶ ଲଗାଇବା ପାଇଁ ବିଜେଡି ଏଭଳି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ତେବେ ବିଜେଡିର ଏଭଳି ଆଭିମୁଖ୍ୟକୁ ଦେଖି ଡାକ୍ତର ରାଉତ ଭବିଷ୍ୟତରେ ନିଜର ରଣନୀତିରେ ପରିବର୍ତ୍ତନ କରିବେ ନା ଅଡ଼ୁଆରେ ପଡ଼ିବା ଆଶଙ୍କାରେ ଚୁପ୍ ରହି ପରୋକ୍ଷରେ ସାଲିସ୍ କରିବାକୁ ବାଧ୍ୟ ହେବେ, ତାହା ଉପରେ ସମସ୍ତଙ୍କ ନଜର।



from Odisha Reporter https://ift.tt/2MGfghN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages