
ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ୨୦୦ ଟଙ୍କା ଯେଭଳି ହରିଲୁଟ୍ ନହେବ, ସେଥିପାଇଁ ଚାଷୀଙ୍କ ସହ ମିଶି ବିଜେପି ଆଗାମୀ ଦିନରେ ଧାନମଣ୍ଡି ଜଗିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଧାନକିଣା ନେଇ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତିରେ କିଛି ନୂତନତ୍ୱ ନାହିଁ। ପ୍ରତିବର୍ଷ ଚାଷୀଙ୍କଠୁ ସିଧା ଧାନ କିଣିବା ନାଁରେ ମିଲରଙ୍କ ସହ ମିଶି ଚାଷୀମାନଙ୍କୁ ଶୋଷଣ କରାଯାଏ। ସେଥିପାଇଁ ଓଡ଼ିଶାର ଚାଷୀମାନଙ୍କ ମହଲରେ ବଡ଼ ବିରୋଧ ରହିଛି।
ଏଥର ମୋଦି ସରକାର ସହାୟକ ମୂଲ୍ୟରେ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ପୂର୍ବ ବର୍ଷ ତୁଳନାରେ ରାଜ୍ୟର ୧୫ ଲକ୍ଷ ଚାଷୀ ପରିବାରକୁ ୧୦୦୦ରୁ ୧୨୦୦ କୋଟି ଟଙ୍କା ଅଧିକ ଯିବ। ୭୨ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ପୂର୍ବ ବର୍ଷଗୁଡ଼ିକର ଟଙ୍କା ମଧ୍ୟ ଯାଇନାହିଁ।
ବିଜେଡି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କ ଟଙ୍କା ଯେଭଳି ହରିଲୁଟ୍ ନହେବ ଓ ସେମାନଙ୍କର ଧାନର ମାନ, ଓଜନ ସହ ଠିକ ସମୟରେ ଯେଭଳି ନିଜର ଦେୟ ପାଇବେ ସେଥିପାଇଁ ଏଥର ଚାଷୀମାନଙ୍କ ସହ ମିଶି ବିଜେପି ମଣ୍ଡି ଜଗିବ। ଧାନର ସଠିକ ମୂଲ୍ୟ ନଦେଲେ ଏହା ଜନଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ପ୍ରଧାନ ସତର୍କ କରାଇ ଦେଇଛନ୍ତି।
ସେହିପରି ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିନା ଟେଣ୍ଡରରେ କାମ ପାଇଁ ନିଷ୍ପତ୍ତି ସିଧାସିଧା କିଛି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇବାକୁ ଏହା ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର। ବିନା ନିୟମ, ବିନା ଗାଇଡଲାଇନରେ ୧୨ ଶହ କୋଟି ଟଙ୍କା ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କୁ ବଣ୍ଟାଯିବାର ବ୍ୟବସ୍ଥା କରାଯାଇଛି।
ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟଙ୍କ ଅଧିକାରକୁ ଛଡା଼ଇ ନେଇ ମୁଖ୍ୟମନ୍ତ୍ରୀ ନିଜେ ସରପଞ୍ଚ ର କାମ କରୁଛନ୍ତି।ମୁଖ୍ୟମନ୍ତ୍ରୀ ବାଟୁଂଥିବା ଟଙ୍କାକୁ ବିଭାଗ ଦ୍ୱାରା କ୍ରିୟାନ୍ୱିତ କରିବାର ଅର୍ଥ ହେଉଛି ଜେଇଇଙ୍କ ପାଖରେ ଟଙ୍କା ରଖି ଦଳୀୟ କର୍ମୀଙ୍କୁ ଲାଭ ପହଞ୍ଚାଇବା । ଏନେଇ ବିଜେପି ନିକଟରେ ମହାଲେଖାକାରଙ୍କ ଦ୍ୱାରସ୍ଥ ହୋଇଛି।
ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ଶିଶୁ, ମହିଳା ଓ ଅଙ୍ଗନବାଡ଼ିର ସମସ୍ୟା ସମାଧାନରେ ଅର୍ଥ ଖର୍ଚ୍ଚ କରି ମା’ ଓ ଶିଶୁଙ୍କ ଯତ୍ନ ନେବା ବଦଳରେ ଦଳୀୟ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିବା ମୁଖ୍ୟମନ୍ତ୍ରୀଙ୍କ ତୋଗଲକୀ ମାନସିକତାକୁ ପଦାରେ ପକାଇ ଦେଇଛି।
ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାରୀ କର୍ମଚାରୀଙ୍କ ସମ୍ବନ୍ଧରେ ଖୋଦ ମୁଖ୍ୟମନ୍ତ୍ରୀ ‘ଷ୍ଟପ ପିସି’ କହିଥିଲେ। ବିଭାଗସ୍ତରରେ କାମର କ୍ରିୟାନ୍ୱୟନ ପାଇଁ କ୍ୟାବିନେଟ ନିଷ୍ପତ୍ତି ପିସିକୁ ପ୍ରୋତ୍ସାହନ। ଏବେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ‘ଷ୍ଟପ ପିସି’ କହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରାଜ୍ୟରେ ନିର୍ବାଚିତ ପ୍ରତିନିଧି ବଦଳରେ ବଡ଼ ଅଫିସରମାନେ ଶାସନକୁ ଅକ୍ତିଆର ରଖିବା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଗଣତନ୍ତ୍ରରେ ନିର୍ବାଚିତ ଜନପ୍ରତିନିଧି ମାନେ କ୍ଷମତାର ଅଧିକାରୀ ହେଲେ ସେମାନେ ଲୋକଙ୍କ ପାଖରେ ଉତରଦାୟୀ। ମାତ୍ର ଓଡ଼ିଆଙ୍କ ଭାବନା ବୁଝୁନଥିବା ନୂଆ କଳାପାହାଡ଼ମାନେ ଓଡ଼ିଶାକୁ ଦୁର୍ନୀତିରେ ବୁଡ଼େଇ ଦେଲେଣି ବୋଲି ସେ କହିଛନ୍ତି ।
from Odisha Reporter https://ift.tt/2xCSl2m
No comments:
Post a Comment