
ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁସାରେ ବିଧାନ ପରିଷଦ ଗଠନ ହେଲେ ଏହାର ମୋଟ ସଭ୍ୟ ସଂଖ୍ୟା ୪୯ ରହିବ। ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ। ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ବର୍ଷରେ ଅବସର ନେବେ। ଏଥିରେ ବାର୍ଷିକ ୩୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): ବିଧାନ ପରିଷଦ ଗଠନକୁ ନେଇ ଆଜି ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି। ଶାସକ ଓ ବିରୋଧୀ ସଦସ୍ୟଙ୍କ ପରସ୍ପରବିରୋଧୀ ବୟାନ ଭିତରେ ବିଧାନ ପରିଷଦ ଗଠନ ପାଇଁ ଆସିଥିବା ସଂକଳ୍ପ ପ୍ରସ୍ତାବ ବହୁମତରେ ଗୃହୀତ ହୋଇଛି। କଂଗ୍ରେସ ଓ ବିଜେପି ସଦସ୍ୟଙ୍କ କକ୍ଷତ୍ୟାଗ ମଧ୍ୟରେ ଏହି ସଂକଳ୍ପ ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା ଓ ୧୧୮-୦ ଭୋଟରେ ଏହା ବିଧାନସଭାରେ ଗୃହୀତ ହୋଇଛି।
ଏହି ସଂକଳ୍ପ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଧାନ ପରିଷଦ ଗଠନକୁ ନେଇ ବିଜେଡି ସରକାରର ରାଜନୀତିକ ଉଦ୍ଦେଶ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ଋଣଭାର ଓ ଦୁର୍ନୀତିରେ ରାଜ୍ୟ ବୁଡ଼ି ରହିଥିବା ନିର୍ବାଚନୀ ବର୍ଷରେ ନିଜର ଦଳୀୟ ନେତାମାନଙ୍କୁ ଥଇଥାନ କରିବା ପାଇଁ ବିଜେଡି ସରକାର ଏବେ ବିଧାନ ପରିଷଦ ଗଠନ ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରି ବିରୋଧୀ ଏହାର କଡ଼ା ବିରୋଧ କରିଥିଲେ।
ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ସଂକଳ୍ପ ଆଗତ କରି କହିଥିଲେ ଯେ, ବିଧାନ ପରିଷଦ ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ରିପୋର୍ଟ ଦେଇଛନ୍ତି। ଏବେ ଦେଶର ୭ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି।
ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁସାରେ ବିଧାନ ପରିଷଦ ଗଠନ ହେଲେ ଏହାର ମୋଟ ସଭ୍ୟ ସଂଖ୍ୟା ୪୯ ରହିବ। ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ। ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ବର୍ଷରେ ଅବସର ନେବେ। ଏଥିରେ ବାର୍ଷିକ ୩୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
କିଏ ଓ କେମିତି ଚୟନ ହେବେ ପରିଷଦର ସଦସ୍ୟ
ମୋଟ ୪୯ ଜଣଙ୍କ ମଧ୍ୟରୁ ୧୬ ଜଣ, ବିଧାନସଭାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ। ସେହିପରି ଅନ୍ୟ ୧୬ ଜଣ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ସମସ୍ତ ସହରାଞ୍ଚଳର ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ। ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷର ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ‘ଇଲେକ୍ଟରାଲ କଲେଜ’ ମାଧ୍ୟମରେ ନିର୍ବାଚିିତ ହେବେ।
୪ ଜଣ ସଦସ୍ୟଙ୍କୁ ମାଧ୍ୟମିକ ବା ତଦୁର୍ଦ୍ଧ ସ୍କୁଲ୍ରେ ୩ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ‘ଇଲେକ୍ଟରାଲ କଲେଜ’ ମାଧ୍ୟମରେ ନିର୍ବାଚିତ ହେବେ। ଅବଶିଷ୍ଟ ୯ ଜଣ ସଭ୍ୟଙ୍କୁ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ରାଜ୍ୟପାଳ ମନୋନୀତ କରିବେ।
ଏବେ ଭୁବନେଶ୍ୱରସ୍ଥିତ ‘ପୁରୁଣା ବିଧାନସୌଧ’ରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ। ଓଡ଼ିଶା ବିଧାନସଭାର ଚାରିଶହରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହାର କରାଯାଇପାରିବ ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2CxtDFg
No comments:
Post a Comment