
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ କୁନ୍ଦୁଲିର ଗଣଦୁଷ୍କର୍ମ ପୀଡ଼ିତା ନବମ ଶ୍ରେଣୀ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ ଆଜି ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ବାଚସ୍ପତି ପ୍ରଦୀପ ଅମାତ୍ ଭୁବନେଶ୍ୱର ବାହାରେ ଥିବାରୁ ସେ ଫେରିବା ପରେ ତାଙ୍କୁ ନଭେମ୍ବର ୬ତାରିଖରେ ଭେଟି ଆନୁଷ୍ଠାନିକ ଭାବେ ଇସ୍ତଫା ପତ୍ର ଦେବେ ବୋଲି ସୂଚନା ଦେଇଛନ୍ତି। ତେବେ କଂଗ୍ରେସର ଏହି ବିଧାୟକ କାହିଁକି ଏଭଳି ନିଷ୍ପତ୍ତି ନେଲେ ଓ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର।
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, କଂଗ୍ରେସରେ ଚାଲିଥିବା କନ୍ଦଳ କାରଣରୁ ଶ୍ରୀ ଶଗରିଆ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ କାରଣ ଭାବେ ଦର୍ଶାଇ ବିଧାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପିସିସି ଦଳିତ ସେଲର ଅଧ୍ୟକ୍ଷ ପଦରୁ ତାଙ୍କୁ କାଢ଼ି ଦିଆଯିବା ପରଠୁ ସେ ଅସନ୍ତୁଷ୍ଟ ଥିଲେ। ଯେଉଁଥିପାଇଁ ପିସିସି ସାଧାରଣ ସମ୍ପାଦକ ପଦବୀକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ତା’ଛଡ଼ା କୋରାପୁଟ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ ତାଙ୍କର ଏବେ ଅହି-ନକୂଳ ସମ୍ପର୍କ। ଜିଲ୍ଲାରେ ବଢ଼ି ଚାଲିଥିବା ସାଂଗଠନିକ କନ୍ଦଳର ସମାଧାନ ପାଇଁ କଂଗ୍ରେସ ନେତୃତ୍ୱ କୌଣସି ପଦକ୍ଷେପ ନନେବା ଯୋଗୁ ସେ ଦଳର ବିଧାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
କଂଗ୍ରେସ ପକ୍ଷରୁ ତାଙ୍କୁ ଏଆଇସିସି ଦଳିତ ସେଲର ଉପସଭାପତି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ପ୍ରଦେଶ ସଂଗଠନ ଏଥିରେ ଆପତ୍ତି ଉଠାଇଥିଲା। ଯେଉଁଥିପାଇଁ ସେ ଦଳ ଛାଡ଼ିବା ଭଳି ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଆଜି ବିଧାୟକ ପଦରୁ ଇସ୍ତଫା ଦେବାବେଳେ ଦଳ ସମ୍ପର୍କରେ ସେ କୌଣସି ପ୍ରତିକୂଳ ମନ୍ତବ୍ୟ ଦେଇନାହାନ୍ତି ଓ ଦଳୀୟ ନେତୃତ୍ୱଙ୍କ ସହ ଡିଲ୍ ପାଇଁ ଦ୍ୱାର ଉନ୍ମୁକ୍ତ ରଖିଛନ୍ତି।
ତେବେ ଶ୍ରୀ ଶଗରିଆଙ୍କ ନିକଟତମ ସୂତ୍ର ଅନୁସାରେ ସେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲେ ବି ଆଗାମୀ ନିର୍ବାଚନରେ ବିଜେପି କିମ୍ବା ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ନାହିଁ। ସମ୍ଭବତଃ ସେ ସ୍ୱାଧୀନ କିମ୍ବା ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିଜକୁ ଦଳିତ ନେତା ଭାବେ ପ୍ରତିପାଦନ କରିବା ପାଇଁ ସେ ଏଭଳି ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଶଗରିଆ ଆଜି କହିଛନ୍ତି ଯେ ଯେଉଁ ସାମ୍ବିଧାନିକ ପଦ ତାଙ୍କୁ ଲୋକେ ଦେଇଛନ୍ତି ତାକୁ ବ୍ୟବହାର କରି ଜଣେ ଗରିବ ଦଳିତ ଝିଅ(କୁନ୍ଦୁଲି ପୀଡ଼ିତା)କୁ ନ୍ୟାୟ ଦେବାରେ ସେ ସକ୍ଷମ ହୋଇପାରିଲେ ନାହିଁ। ତେଣୁ ସେ ପଦବୀରେ ରହିବାର ତାଙ୍କର କୌଣସି ନୈତିକ ଅଧିକାର ନାହିଁ। ୧୫ବର୍ଷୀୟା ସେହି ପୀଡ଼ିତା ଝିଅ ନ୍ୟାୟ ପାଇବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସବୁ ରାଜନୀତିକ ଦଳର ନେତୃତ୍ୱଙ୍କ ନିକଟକୁ ଆସି ସୁଦ୍ଧା ନ୍ୟାୟ ପାଇଲା ନାହିଁ। ଶେଷରେ ସେ ଆତ୍ମହତ୍ୟା କଲା। ତେଣୁ ନିଜର ବିବେକ ତାଙ୍କୁ ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦବୋକୁ ବାଧ୍ୟ କରିଛି ବୋଲି ସେ କହିଛନ୍ତି।
from Odisha Reporter https://ift.tt/2qk2Lj6
No comments:
Post a Comment