
ଭୁବନେଶ୍ୱର: ଦିନକୁ ଦିନ ହୁହୁ ହୋଇ ବଢ଼ୁଛି ତୈଳ ଦର। ଓଡ଼ିଶାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଟପିସାରିଲାଣି। ଏଣେ ଏହାକୁ ବିରୋଧ କରି ରାଜନୈତିକ ଦଳମାନେ ପ୍ରତିବାଦ ନାଁରେ ବାଇକ୍ ରାଲି କରି ଅଯଥାରେ ପେଟ୍ରୋଲ ନଷ୍ଟ କରୁଛନ୍ତି। ଏଥିରେ ନା ଦର ହ୍ରାସ ପାଉଛି ନା ଗାଡ଼ି ମୋଟର ବ୍ୟବହାର କମୁଛି। ଖାଲି ଯାହା ରାସ୍ତାରେ ଟ୍ରାଫିକ୍ ଜାମ୍ ହେବା ସହିତ ପରିବେଶ ଉପରେ କୁପ୍ରଭାବ ପଡ଼ିବା ସାର ହେଉଛି।
ଏଭଳି ସ୍ଥିତିରେ ଜଣେ ଯୁବକ ତୈଳଦର ବୃଦ୍ଧି ପ୍ରତିବାଦ, ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଲାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ହେଉଛନ୍ତି ବିଭୂତି ଭୂଷଣ ପଣ୍ଡା। ଏଥିପାଇଁ ସେ ଭଦ୍ରକରୁ ସାଇକେଲ ଯୋଗେ ବାହାରି ପୁରୀ ଅଭିମୁଖେ ନିଜର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ମଙ୍ଗଳବାର ସକାଳୁ ଭଦ୍ରକ କଲେଜ ଛକରୁ ବାହାରି ସନ୍ଧ୍ୟାରେ ସେ ଭୁବନେଶ୍ୱରେ ପହଞ୍ଚିଛନ୍ତି।
ବିଭୂତି ନିଜ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଉଦ୍ୟମ ବଳେ ସର୍ବସିଦ୍ଧି। ଏହି କଥା ଆମେ ପିଲା ଦିନୁ ଶିଖି ଆସିଛେ। କୌଣସି କାର୍ଯ୍ୟର ସଫଳ ରୂପାୟନ ପାଇଁ ଅନୁରୂପ ଉଦ୍ୟମ ଅନିବାର୍ଯ୍ୟ। ତେଣୁ ଖାଲି ଯେ, ରାଲି, ଧାରଣା, ପୋଡ଼ାଜଳା ଓ ଭଙ୍ଗାରୁଜାରେ ସମାଧାନର ବାଟ ରହିଛି ତାହାନୁହେଁ, ବରଂ ଆଜିର ଯୁବପିଢ଼ି ବିକଳ୍ପ ପନ୍ଥା ବାଛିବା ଉଚିତ। ସେଥିପାଇଁ ମୋର ଆଜିର ଏ ଯାତ୍ରା”।
ଅନାବଶ୍ୟକ ସ୍ଥଳେ ବାଇକ୍ ବ୍ୟବହାର ନକରି ସାଇକେଲ ବ୍ୟବହାର କଲେ ଆମ ଶରୀର ସୁସ୍ଥ ରହିବା ସହିତ ଆମର ପେଟ୍ରୋଲ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଖାଲି ସେତିକି ନୁହେଁ, ରାସ୍ତାଘାଟରେ ଗହଳି କମିବା ସାଙ୍ଗକୁ ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରିବ। ଏହା ଯୁବପିଢ଼ିଙ୍କ ପାଇଁ ଏକ ଆହ୍ୱାନ ହେବା ଆବଶ୍ୟକ ବୋଲି ବିଭୂତି କହିଛନ୍ତି
from Odisha Reporter https://ift.tt/2Ne6I24
No comments:
Post a Comment