
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଜାପାନୀ ଜ୍ୱରରେ ୧୦୩ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ୨ ବର୍ଷ ବିତିଲାଣି। ହେଲେ ଏଯାଏ ମୃତକଙ୍କ ପରିବାରକୁ ପକ୍କା ଘର ଖଣ୍ଡିଏ ମିଳି ପାରିପାରିନି।
ଘଟଣାକୁ ଗମ୍ଭୀରତାର ସହ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଯାଇ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହ ପକ୍କା ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କେବଳ ଟଙ୍କା ଦିଆଯାଇଥିବା ବେଳେ ପକ୍କା ଘର ଲାଗି ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହେଲେଣି।
ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱରର ବିଭୀଷିକା ଦେଖିବାକୁ ମିଳିଥିଲା। ଜାପାନୀ ଜ୍ୱର ଛଡ଼ାଇ ନେଇଥିଲା ଅନେକ ପରିବାରର କୋମଳମତି ଶିଶୁଙ୍କ ଜୀବନ। ଉଜାଡ଼ି ଦେଇଥିଲା ଅନେକ ସଂସାର। ସରକାରୀ ଭାବେ ୧୦୩ ଜଣ ଏହି ଜ୍ୱରରେ ମୃତ୍ୟୁ ବରଣ କରିଥିବା କୁହାଯାଇଥିବା ବେଳେ ବେସରକାରୀ ସଂଖ୍ୟା ୨୦୦ରୁ ଅଧିକ।
ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଓ ପକ୍କା ଘର ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଏପର୍ଯ୍ୟନ୍ତ ପୀଡ଼ିତା ପରିବାରକୁ ପକ୍କା ଘର ମିଳିନାହିଁ। ପକ୍କାଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି। ହେଲେ ଏପର୍ଯ୍ୟନ୍ତ ପକ୍କା ଘର ମିଳିନଥିବା ଅଭିଯୋଗ ହୋଇଛି।
ଜଣେ ମୃତକଙ୍କ ପରିବାରର ବୀର କାବାସୀ କହିଛନ୍ତି-“କ୍ଷତିପୂରଣ ବାବଦକୁ ଅର୍ଥ ମିଳିଥିଲା। ହେଲେ ପକ୍କା ଘର ପାଇଁ ଆଜି ପର୍ଯ୍ୟନ୍ତ ଟଙ୍କା ପାଇନାହିଁ। ଫଳରେ ଘର ନିର୍ମାଣ କରୁପାରୁନୁ। କେବେ ଟଙ୍କା ମିଳିବ ମଧ୍ୟ ଜଣିପାରୁନାହୁଁ।”
ମୃତକଙ୍କ ପରିବାରର ଦଲିଆ ମାଡ଼କାମୀ କହିଛନ୍ତି-“ପକ୍କାଘର ପାଇଁ ମୁଁ ଜିଲ୍ଲାପାଳଙ୍କ ଅଫିସ୍ ଯାଇଥିଲି। ସେଠାରେ କାଗଜପତ୍ର ମାଗିଥିଲେ। ସବୁ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇଁ ଅର୍ଥ ମିଳିନି। ଏଥିପାଇଁ ବହୁବାର ଜିଲ୍ଲାପାଳଙ୍କ ଅଫିସ୍ ଯାଇ ନିରାଶ ହୋଇ ଫେରୁଛି।”
ହିତାଧିକାରୀ ଲାଖା ମାଢ଼ି କହିଛନ୍ତି-“ଜାପାନୀ ଜ୍ୱରରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଓ ପକ୍କା ଘର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୩ ଲକ୍ଷ ଟଙ୍କା ମିଳିଲା। ହେଲେ ଏପର୍ଯ୍ୟନ୍ତ ଘର ତିଆରି ପାଇଁ ଟଙ୍କା ମିଳିନି। ଫଳରେ ଆମେ ଘର ତିଆରି କରିପାରୁନୁ।”
ଅଭିଯୋଗକୁ ସ୍ୱୀକାର କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ। ଏନେଇ ସରକାରଙ୍କୁ ପୁଣି ଥରେ ଅବଗତ କରାଯିବା ସହ ଖୁବ ଶୀଘ୍ର ସେମାନଙ୍କୁ ଘର ବାବଦକୁ ଟଙ୍କା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
from Odisha Reporter https://ift.tt/2zOHd3H
No comments:
Post a Comment