
ହାଇଦ୍ରାବାଦ୍: ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ରିଷଭ ପନ୍ତ ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍କୁ ଏକ ପ୍ରକାରର ନିଜ ନିୟନ୍ତ୍ରଣକୁ ଆଣିପାରିଛି।
ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ତା’ର ପ୍ରଥମ ଇନିଂସ୍ରେ ୩୦୮ ରନ୍ କରିଛି। ଏହାର ଅର୍ଥ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ର ପ୍ରଥମ ଇନିଂସ୍ ସ୍କୋର ୩୧୧ ଠାରୁ ମାତ୍ର ୩ ରନ୍ ପଛରେ ରହିଛି।

ଆଜି ଷ୍ଟମ୍ପ ଅପସାରଣ ବେଳକୁ ପନ୍ତ ୮୫ ଓ ରାହଣେ ୭୫ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ହାତରେ ଆହୁରି ୬ଟି ୱିକେଟ୍ ଥିବାରୁ ଦଳ ପ୍ରଥମ ଇନିଂସ୍ରେ ବୃହତ ଅଗ୍ରଣୀ ଲକ୍ଷ୍ୟରେ ରହିଛି। ଉଭୟ ପନ୍ତ ଓ ରାହଣେ ୫ମ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୪୬ ରନ୍ର ଭାଗିଦାରୀ କରିଛନ୍ତି। ଆଜି ଶେଷ ସେସନରେ ଇଣ୍ଡିଜ୍ ବାହିନୀ ଆଦୌ ୱିକେଟ୍ ପାଇନାହିଁ।

ଟସ୍ ପାଇ ପ୍ରଥମ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ଆଜି ଦୁଇ ନଟ୍ଆଉଟ୍ ବ୍ୟାଟସ୍ମ୍ୟାନ୍ ରୋଷ୍ଟନ୍ ଚେଜ୍ ଓ ଦେବେନ୍ଦ୍ର ବିଶୁ ଆରମ୍ଭରୁ ବେଶ ସତର୍କତାର ଇନିଂସ୍ ଆରମ୍ଭ କରିଥିଲେ। ତେବେ ଉମେଶ ଯାଦବ ପ୍ରଥମେ ବିଶୁ(୨)ଙ୍କୁ ବୋଲ୍ଡ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

କିନ୍ତୁ ଗତକାଲି ୯୮ ରନ୍ କରି ଅପରାଜିତ ଥିବା ରୋଷ୍ଟନ୍ ଶତକ ହାସଲ କରି ଭାରତୀୟ ବୋଲର୍ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଅଧିକ କିଛି କରିବା ପୂର୍ବରୁ ଉମେଶ ଯାଦବ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ସେ ପ୍ୟାଭିଲିୟନ୍ ଫେରିବା ପୂର୍ବରୁ ୧୦୬ ରନ୍ କରିଥିଲେ। ଏହାର ପରବର୍ତ୍ତୀ ବଲ୍ରେ ଉମେଶ ଶାନ୍ନୋନ ଗ୍ରାବିଏଲ୍ଙ୍କୁ ଆଉଟ୍ କରି ଇଣ୍ଡିଜ୍ ଇନିଂସ୍ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଦଳ ଗତକାଲିର ଇନିଂସ୍ରେ ଆଜି ମାତ୍ର ୧୬ ଜଣ ଯୋଡ଼ି ୩୧୧ରେ ଅଲଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୬ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୩ଟି ଓ ରବିଚନ୍ଦ୍ରନ ଅଶ୍ୱିନ୍ ୧ଟି ୱିକେଟ୍ ପାଇଛନ୍ତି।
ଟିମ ଇଣ୍ଡିଆର ପ୍ରଥମ ଇନିଂସ
୩୧୧ ରନ୍ର ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଦୁଇ ଓପନର୍ କେଏଲ୍ ରାହୁଲ ଓ ନବାଗତ ପୃଥ୍ୱୀ ଶ’ଙ୍କ ମଧ୍ୟରୁ ପୃଥ୍ଵୀ ଆରମ୍ଭରୁ ବଡ଼ ଶଟ୍ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ବ୍ୟାଟ୍ରୁ ଆସିଥିଲା ଚୌକା ଓ ଛକା। ତେବେ ପ୍ରଥମ ଟେଷ୍ଟ ପରି ରାହୁଲ ଦ୍ୱିତୀୟ ଟେଷ୍ଟ୍ରେ ମଧ୍ୟ ପୁଣି ବିଫଳ ହୋଇଥିଲେ। ଦଳୀୟ ସ୍କୋର ୬୧ ଥିବା ବେଳେ ବ୍ୟକ୍ତିଗତ ୪ ରନ୍ କରିଥିବା ରାହୁଲଙ୍କୁ ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଠର କ୍ଲିନ୍ ବୋଲ୍ଡ କରିଦେଇଥିଲେ।

ଅନ୍ୟପଟେ କିନ୍ତୁ ପୃଥ୍ୱୀ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ ଜାରି ରଖି ପୁଣି ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଏଥିରେ ଭରପୂର ସହଯୋଗ କରିଥିଲେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ଦଳୀୟ ସ୍କୋର ୯୮ ଥିବା ବେଳେ ପୃଥ୍ୱୀ ବଡ଼ ଶଟ୍ ଖେଳିବାକୁ ଯାଇ ଜୋମେଲ ୱାରିକାନ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ସେ ପ୍ୟାଭିଲୟନ୍ ଫେରିଲା ବେଳକୁ ୭୦ ରନ୍ କରିଥିଲେ।

ପୃଥ୍ୱୀ ଆଉଟ୍ ହେବାର ୪ ରନ୍ ପରେ ଚେତେଶ୍ୱର ପୂଜାର(୧୦) ମଧ୍ୟ ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ଶାନ୍ନୋନ ଗ୍ରାବିଏଲ୍ ଆଉଟ୍ କରିଥିଲେ। ୧୦୨ ରନ୍ରେ ୩ ୱିକେଟ୍ ହରାଇ ସମାନ୍ୟ ଅଡ଼ୁଆରେ ପଡ଼ିଥିବା ଟିମ୍ ଇଣ୍ଡିଆର ଇନିଂସ ଅଧିନାୟକ ବିରାଟ୍ କୋହଲି ଏବଂ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ।

ଦଳୀୟ ସ୍କୋର ୧୬୨ ଥିବା ବେଳେ ବିରାଟ୍ ବ୍ୟକ୍ତିଗତ ୪୫ ରନ୍ରେ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ଜାସ୍ନ୍ ହୋଲ୍ଡର ଏଲ୍ବିଡବ୍ଲ୍ୟୁ କରିଦେଇଥିଲେ।
from Odisha Reporter https://ift.tt/2A7P4cR
No comments:
Post a Comment