
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତିତ୍ଲି’ ବାତ୍ୟା ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଭୂତପଙ୍କାଳରୁ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ଏହାକୁ ମିଶାଇ ଏଯାଏ ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି। ଘରଠାରୁ ଗୋଟିଏ କିଲୋମିଟର ଦୂରରେ ମୃତଦେହ ମିଳିଛି। ତେବେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନି।
ଅକ୍ଟୋବର ୧୧ ଓ ୧୨ରେ ‘ତିତ୍ଲି’ ପ୍ରଭାବରେ ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ ଭୂତପଙ୍କାଳ ଗାଁରୁ ୬ ଜଣ ଭାସି ଯାଇଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ଓ ଆଶ୍ରୟ ନେଇଥିବା ୨ ଜଣ ଥିଲେ।
ଅନ୍ୟପକ୍ଷରେ ଆଜି ‘ତିତଲି’ ବାତ୍ୟା ପରବର୍ତ୍ତୀ ବନ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା ହୋଇଛି। ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଯୋଗଦେଇ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି।
ଗଜପତି ଜିଲ୍ଲାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଟଙ୍କା ବଣ୍ଟାଯାଇଛି। ଅଧିକାଂଶ କ୍ଷତିଗ୍ରସ୍ତଙ୍କୁ ଡିବିଟି ଜରିଆରେ କ୍ଷତିପୂରଣ ଦିଆଯାଇଥିବା ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି। ଏହାସହ ବିଦ୍ୟୁତ ସେବା ପୁନର୍ବାହାଲ ହୋଇଥିବା ଓ ଗମନାଗମନ ସୁବିଧା ଲାଗି ରାସ୍ତାଗୁଡ଼ିକ ମରାମତି କରାଯାଇଥିବା ସେ କହିଛନ୍ତି।
from Odisha Reporter https://ift.tt/2JkQF1U
No comments:
Post a Comment