
କଟକ(ଓଡ଼ିଶା ରିପୋର୍ଟର): ଗତ ୨ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏବେ ନୂଆମୋଡ଼ ନେଇଛି। ଓକିଲ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ରାଜ୍ୟ ସରକାର ଖେଳିଥିବା ରାଜନୀତିକ କାର୍ଡ ଏବେ ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି। ଆସନ୍ତାକାଲି ଦିନ ୧୨ଟାରେ ସବୁ ଜିଲ୍ଲା ବାର କାଉନସିଲ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ୧ ତାରିଖ ସାଢ଼େ ୧୧ଟାରେ ବାର ଆସୋସିଏସନର ସବୁ ପଦାଧିକାରୀ ଓ ହାଇକୋର୍ଟ ବାର ଆସୋସିଏସନର ଏକ ମିଳିତ ବୈଠକ ବସି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଓକିଲ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯେଉଁ ସହଯୋଗୀ ଓକିଲମାନେ ପଦକ୍ଷେପ ନେଇଥିଲେ ସେମାନଙ୍କ ବିରୋଧରେ ବାର କାଉନସିଲ ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆସୋସିଏସନର ଜରୁରୀ ବୈଠକରେ ଗତକାଲି ହାଇକୋର୍ଟ ପରିସରରେ ଓକିଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଥାନାରେ ମାମଲା ରୁଜୁ ସହ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଓକିଲଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କିଛି ସହଯୋଗୀ ଓକିଲମାନେ କରିଥିବା କାର୍ଯ୍ୟକୁ ନାପସନ୍ଦ କରାଯାଇଥିଲା। ବାର କାଉନସିଲ ଆସୋସିଏସନର ନିଷ୍ପତ୍ତିକୁ ବିରୋଧ କରି ଗତକାଲି ବିଜୁ ଆଇନଜୀବୀ ସାମ୍ମୁଖ୍ୟ ସହ ଜଡ଼ିତ ଥିବା ଓକିଲମାନେ ଯେଉଁ ପରିସ୍ଥିତି ସୃଷ୍ଟି କଲେ ତାହା ସୁସ୍ଥ ପରମ୍ପରା ନୁହେଁ ବୋଲି ସଦସ୍ୟମାନେ ମତ ରଖି ଉଦବେଗ ପ୍ରକାଶ କରିଥିଲେ। ଏଥିପାଇଁ ଦାୟୀ ୪ଜଣ ଓକିଲଙ୍କ ବିରୋଧରେ ବାର କାଉନସିଲ ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୁ ଆଇନଜୀବୀ ସାମ୍ମୁଖ୍ୟ ସହ ଜଡ଼ିତ ୪ଜଣ ଓକିଲଙ୍କ ମଧ୍ୟରୁ ୨ଜଣଙ୍କ ସଦସ୍ୟତା ନିଲମ୍ବନ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
from Odisha Reporter https://ift.tt/2AAOQez
No comments:
Post a Comment