
ନୂଆଦିଲ୍ଲୀ: ବିଳମ୍ବରେ ହେଉ ପଛେ ଶେଷରେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଛି। ୧୯୮୭ରେ ଉତ୍ତର ପ୍ରଦେଶର ହସିମପୁରାରେ ଘଟିଥିବା ନରସଂହାର ଘଟଣାରେ ତଳ କୋର୍ଟ ୧୬ ଜଣ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଥିଲେ।
ହେଲେ ଦୀର୍ଘ ୩୧ ବର୍ଷ ପରେ ଏହି ସମସ୍ତ ପୂର୍ବତନ ପୁଲିସ୍ କର୍ମଚାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜୀବନ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ହସିମପୁରା ନରସଂହାର ଘଟଣାରେ ୪୨ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ମୃତ୍ୟୁ ଘଟିଥିଲା।
ପୁଲିସ୍ ଜାଣିଶୁଣି ନିରସ୍ତ୍ର ଲୋକଙ୍କୁ ହତ୍ୟା କରିଛି ବୋଲି କୋର୍ଟ କହିଛନ୍ତି।
ଦିଲ୍ଲୀ ହାଇକୋର୍ଟ ପ୍ରୋଭିନସିଆଲ୍ ଆର୍ମଡ୍ କନଷ୍ଟାବୁଲାରୀ(ପିଏସି)ର ୧୬ ଜଣ ଅଧିକାରୀଙ୍କୁ ଅପହରଣ, ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏମାନଙ୍କୁ ନଭେମ୍ବର ୨୨ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି।
କୋର୍ଟ ରାୟ ଦେଲା ବେଳେ କହିଛନ୍ତି, “ ରାଜ୍ୟ ଫୋର୍ସ ଜାଣିଶୁଣି ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରିବାକୁ ଏଭଳି ନରସଂହାର କରିଥିଲା। ଅଭିଯୁକ୍ତମାନେ ଦେଇଥିବା ବୟାନ୍ ସେମାନଙ୍କ ଦୋଷର ପ୍ରମାଣ ଦେଉଛି।”
ମୀରଟ୍ରେ ଏକ ଦଙ୍ଗା ସମୟରେ ଏହି ଘଟଣା ଘଟିଥିଲା। ପିଏସି ପ୍ରଥମେ ସର୍ଚ୍ଚ ଅପରେସନ୍ ବେଳେ ହସିମପୁରାରୁ କିଛି ଲୋକଙ୍କୁ ଉଠାଇ ନେଇଥିଲା। ଏହାପରେ ସେମାନଙ୍କୁ ହତ୍ୟା କରିଥିଲା। ଘଟଣାର ଚାର୍ଜଶିଟ୍ ୧୯୯୬ରେ ଦାଖଲ କରାଯାଇଥିଲା। ମୃତକଙ୍କ ପରିବାର ଲୋକଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୨୦୦୨ରେ ଦିଲ୍ଲୀ ହାଇକୋର୍ଟଙ୍କୁ ଏହାର ବିଚାର ପାଇଁ କହିଥିଲେ।
ଘଟଣାର ଦୀର୍ଘ ୧୯ ବର୍ଷ ପରେ ଅର୍ଥାତ ୨୦୦୬ରେ ପ୍ରଥମ ସାକ୍ଷୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା। ଶୁଣାଣି ସମୟରେ ୩ ଜଣ ସିଆଇଡି ଅଫିସରଙ୍କ ମୃତ୍ୟୁ ଘଟିଥିବାରୁ ସେମାନେ ବୟାନ୍ ଦେଇପାରି ନଥିଲେ।
୨୦୧୫ରେ ଟ୍ରାଏଲ କୋର୍ଟ ସମସ୍ତ ୧୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ଏହାକୁ ଉତ୍ତର ପ୍ରଦେଶ ସରକାର, ଜାତୀୟ ମାନବାଧିକାର କମିଶନ ଓ ପୀଡ଼ିତଙ୍କ ପରିବାର ଲୋକେ ଚ୍ୟାଲେଞ୍ଜ କରିଥିଲେ।
from Odisha Reporter https://ift.tt/2Oj0xKN
No comments:
Post a Comment