
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହେଲିକପ୍ଟର ବିବାଦ ପ୍ରସଙ୍ଗରେ ବୈଜୟନ୍ତଙ୍କୁ DGCAର କ୍ଳିନ୍ଚିଟ୍ ପରେ ବି ପୁରୀ ପୋଲିସ୍ର ମନମାନି । ସିଲ୍ କରିଥିବା ଇମ୍ଫା ଏଭିଏସନ୍ ହ୍ୟାଙ୍ଗର୍ ଖୋଲି ହେଲିକପ୍ଟର ରିଲିଜ୍ କରିବା ବଦଳରେ ବାହାନା ଖୋଜି ପୁଣିଥରେ DGCAକୁ ମାଗିଛି ତଥ୍ୟ। ଏହି ମାମଲାରେ ପୁଲିସ ପ୍ରଶାସନର ରାଜନୈତିକ ଅଭିସନ୍ଧି ପଦାକୁ ଆସିଥିବା ବେଳେ ବୈଜୟନ୍ତଙ୍କ ବିରୋଧରେ ଆକ୍ରୋଶ ରଖି ଏପରି କରାଯାଉଥିବା ବିରୋଧୀ କହିଛନ୍ତି। ପୁଲିସର ଏଭଳି ମତିଗତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଚିଲିକା ଉପରେ ବିପଜ୍ଜନକ ଉଡ଼ାଣ ହୋଇନି କି ହ୍ରଦରେ ଅବତରଣ କରିନି ହେଲିକପ୍ଟର। ପୁରୀ ପୁଲିସକୁ ବି ରିପୋର୍ଟ ମିଳିସାରିଛି। ଦିନକ ତଳୁ ରିପୋର୍ଟ ଆସିସାରିଥିଲେ ବି ପୁରୀ ପୁଲିସ କିନ୍ତୁ ସିଲ୍ କରିଥିବା ହ୍ୟାଙ୍ଗର୍ ଖୋଲୁନାହିଁ କି ଏହା ଭିତରେ ବନ୍ଦ ଥିବା ୩ଟି ହେଲିକପ୍ଟର ଛାଡୁନାହିଁ । ଓଲଟା ଖୋଜି ଅଣ୍ଡାଳି ପୁଣିଥରେ ଡିଜିସିଏକୁ ମାଗିଛି ତଥ୍ୟ । ହେଲିକପ୍ଟର ଚିଲିକା ଜଳରାଶିଠାରୁ କେତେ ଉଚ୍ଚରେ ଉଡିଥିଲା ସେ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ମାଗିଛି ପୁରୀ ପୁଲିସ। ସେପଟେ ଇମ୍ଫା ହ୍ୟାଙ୍ଗର ଖୋଲିବା ପ୍ରସଙ୍ଗରେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଆମେ ଡିଜିସିଏ ରିପୋର୍ଟ ପୁରୀ ପୋଲିସ୍କୁ ଦେଇସାରିଛୁ। ଏବେ ସବୁକିଛି ପୁଲିସ ହାତରେ।
ଏ ସମ୍ପର୍କରେ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର କହିଛନ୍ତି ଯେ, ଜଣେ ସରକାରୀ ଅଫିସର ଅଭିସଦ୍ଧିମୂଳକ ଲକ୍ଷ୍ୟ ରଖି କାହାକୁ ହଇରାଣ କରିବା ଅନୁଚିତ୍ । ନିରୀହ ଜନତାଙ୍କୁ ହଇରାଣ କରିବା ଅନୁଚିତ୍ । ସେମିତି କଲେ ତାହା ଗଣତନ୍ତ୍ର ପାଇଁ ବହୁତ ବିପଜ୍ଜନକ। ପୂର୍ବତନ ଡିଜି ବିପିନ୍ ବିହାରୀ ମିଶ୍ର କହିଛନ୍ତି ଯେ, ଯଦି ଏତଲାରେ ଏତିକି କଥା ଲେଖାଯାଇଥାଏ , ହେଲିକପ୍ଟରଟି ଅତି ପାଖକୁ ଖସିଆସିଥିଲା ଏବଂ ବିନା ପରମିଶନ୍ରେ ଗଲେ, ତା’ହେଲେ କେସ୍ଟା ବନ୍ଦ ହେବା ଉଚିତ୍। ୩ଟି ହେଲିକପ୍ଟରରୁ କେଉଁ ହେଲିକପ୍ଟରଟି ଉଡ଼ିଥିଲା ସେନେଇ ବୋଧ ହୁଏ ପୁଲିସ୍ ପାଖରେ ଖବର ନାହିଁ।
ଏ ସମ୍ପର୍କରେ ବିଜେପି ନେତା ସୁରେଶ ପୂଜାରି କହିଛନ୍ତି ଯେ,ଥରେ ବୈଷୟିକ ଦୃଷ୍ଟିକୋଣରରୁ ସ୍ପଷ୍ଟ ହେବା ପରେ ଏସ୍ପି ନିଜକୁ ଆଇନରୁ ଊର୍ଦ୍ଧ୍ୱରୁ ଭାବି ଯଦି କହାକୁ ଦଣ୍ଡିତ କରିବାକୁ ଚାହୁଁଥିବେ ତେବେ ଏସ୍ପି ନିଜେ ମଧ୍ୟ ଅପଦସ୍ତ ହେବେ ଏବଂ ରାଜ୍ୟ ସରକାର ମଧ୍ୟ ଅପଦସ୍ତ ହେବେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,ବର୍ତ୍ତମାନ କ୍ଲିଅରାନ୍ସ ପାଇଲା ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ ନ କରିବା ଦ୍ୱାରା ଏଥିରୁ ସ୍ପଷ୍ଟ ହେଉଛି ରାଜନୈତିକ ଆକ୍ରୋଶ ମନୋଭାବ ରହିଛି। ପ୍ରଶାସନ ଦ୍ୱାରା ଏଭଳି କାର୍ଯ୍ୟ କରିବା ଉଚିତ୍ ନୁହଁ। ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ମତରେ କେବେ ପରିବର୍ତ୍ତନ କରନ୍ତି ନାହିଁ। ଆଇନ୍ ହିଁ ତା’ବାଟରେ ଯାଉଛି।
from Odisha Reporter https://ift.tt/2yCdev8
No comments:
Post a Comment