ସପ୍ତାହକ ପରେ ଓଡିଶା କେନ୍ଦ୍ରକୁ ମାଗିଲା ହଜାରେ କୋଟିର ଅନ୍ତରୀଣ ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ସପ୍ତାହକ ପରେ ଓଡିଶା କେନ୍ଦ୍ରକୁ ମାଗିଲା ହଜାରେ କୋଟିର ଅନ୍ତରୀଣ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ର ତାଣ୍ଡବକୁ ସପ୍ତାହେ ବିତିଯିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ତୁରନ୍ତ ଏକ ହଜାର କୋଟି ଟଙ୍କାର ଅନ୍ତରୀଣ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ତିତଲିରେ ପ୍ରଭାବିତ ଆନ୍ଧ୍ରପ୍ରଦେଶର ସରକାର ବାତ୍ୟାର ଦୁଇଦିନ ପରେ କେନ୍ଦ୍ର ସରକାରଙ୍କ ପାଖରେ ୧୨୦୦କୋଟି ଟଙ୍କାର ମଧ୍ୟବର୍ତ୍ତୀ ସହାୟତା ତୁରନ୍ତ ଦେବାକୁ ଦାବି କରି ନିଜର ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିଥିଲାବେଳେ ନିଜର ପାରିବାପଣିଆ ଦେଖାଇବାକୁ ଯାଇ ଲୋକଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ଚାପି ରଖିଥିବା ଓଡ଼ିଶା ସରକାର ଆଜି ଆନୁଷ୍ଠାନିକ ଭାବେ କେନ୍ଦ୍ର ନିକଟରେ ସହାୟତା ଦାବି କରିଛନ୍ତି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅକ୍ଟୋବର ୧୧ତାରିଖରେ ପଲାସା ନିକଟରେ ଉପକୂଳରେ ମାଡ଼ ହୋଇଥିବା ସାମୁଦ୍ରିକ ଝଡ଼ ‘ତିତଲି’ରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦର୍ଶାଇଛନ୍ତି।

ସର୍ବାଧିକ କ୍ଷତି ଗଞ୍ଜାମ ଓ ଗଜପତିରେ ହୋଇଥିବାବେଳେ ମୋଟ ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି। ୬୦.୧୧ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୫୭,୧୩୧ଟି ବାସଘର ଭାଙ୍ଗିଛି। ୨.୭୩ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ୫୭ଜଣ ପ୍ରାଣ ହରାଇଥିବାବେଳେ ୧୦ଜଣ ଏବେ ବି ନିଖୋଜ ଅଛନ୍ତି।ତେଣୁ ଗଜପତି ଓ ଗଞ୍ଜାମରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ୧୦୦୦କୋଟି ଟଙ୍କା ମଧ୍ୟବର୍ତୀକାଳୀନ ସହାୟତା ମଞ୍ଜୁର କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏହାସହିତ ନଷ୍ଟ ହୋଇଥିବା ୫୭,୧୩୧ଟି ବାସଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ତୁରନ୍ତ ଆବଣ୍ଟନ କରାଯିବା ପାଇଁ ଲେଖିଛନ୍ତି।

ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ବାତ୍ୟାରେ ମୋଟ ୨୭୭୦.୨୮କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତେବେ ଏନଡିଆରଏଫରୁ ଓଡ଼ିଶାକୁ ୨୦୧୪.୦୯ କୋଟି ଟଙ୍କାର ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରେ ଥିବା ଅର୍ଥ ବାଦ ଏହି ସହାୟତା ଦେବାକୁ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ ତିତଲି ଯୋଗୁ ଆନ୍ଧ୍ରପ୍ରଦେଶର ୨ଟି ଜିଲ୍ଲା ଶ୍ରୀକାକୁଲମ୍ ଓ ବିଜୟନଗରମ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଠାକାର ସରକାର ମାତ୍ର ୨ଦିନ ଭିତରେ ପ୍ରାକ୍ ଆକଳନ କରି ୨୮୦୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ତଥା ମଧ୍ୟବର୍ତ୍ତୀକାଳୀନ ସହାୟତା ଭାବେ ୧୨୦୦କୋଟି ଟଙ୍କାର ଦାବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିଥିଲେ।

ଆନ୍ଧ୍ର ସରକାର ଏଭଳି ତ୍ୱରିତ୍ ପଦକ୍ଷେପ ନେଇଥିବାବେଳେ ଓଡ଼ିଶା ସରକାର ଏହି ମଧ୍ୟବର୍ତ୍ତୀ ସହାୟତା ମାଗିବାକୁ କାହିଁକି ଏତେ ବିଳମ୍ବ କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ସମ୍ଭବତଃ ମୃତ୍ୟୁ ସଂଖ୍ୟାକୁ ଚପାଇବାକୁ ପ୍ରୟାସ କରିଥିବା ରାଜ୍ୟ ସରକାର ଅବଶ୍ୟ ବିରୋଧୀ ଦଳ ଓ ଗଣମାଧ୍ୟମ ଚାପରେ ପ୍ରକୃତ ସଂଖ୍ୟା କହିଛି। କିନ୍ତୁ ଏହି ତଥ୍ୟ ହାତରେ ନଥିବାରୁ ବୋଧହୁଏ କେନ୍ଦ୍ର ସରକାରକୁ ସମ୍ପୂର୍ଣ୍ଣ ତଥ୍ୟ ସହ ଆନୁଷ୍ଠାନିକ ଭାବେ ଅବଗତ କରାଇବା ଓଡ଼ିଶା ପକ୍ଷରେ ସମ୍ଭବପର ହୋଇନଥିଲା।

ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲରୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ର ସରକାରଙ୍କ ୯୦ ପ୍ରତିଶତ ଓ ରାଜ୍ୟର ୧୦ ପ୍ରତିଶତ ଅନୁଦାନ ରହୁଛି ।



from Odisha Reporter https://ift.tt/2CTm3EB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages