
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ମିଡିଆ,କର୍ପୋରେଟ୍ ଓ ସିନେମା ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ୩ ଜଣ ପାୱାରଫୁଲ୍ ମିଡଲମ୍ୟାନ୍ କୁଆଡ଼େ ରାଜ୍ୟରେ ଅଧିକ ସକ୍ରିୟ ହୋଇପଡ଼ିଥିବା ଚର୍ଚ୍ଚା।
ଶୁଣିବାକୁ ମିଳୁଛି ରାଜ୍ୟର ୩ ପ୍ରମୁଖ ଦଳ- ବିଜେଡି, ବିଜେପି ଓ କଂଗ୍ରେସର କିଛି ପ୍ରଭାବଶାଳୀ ନେତା ଓ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ଏହି ମିଡିଲମ୍ୟାନ୍ ଓରଫ ହାଇପ୍ରୋଫାଇଲ୍ ଦଲାଲମାନେ କୁଆଡ଼େ ଆଗାମୀ ନିର୍ବାଚନ ପାଇଁ ଏବେଠୁ ଡିଲ୍ କରିବାରେ ଲାଗିଛନ୍ତି। ଏକ ନିର୍ଦ୍ଦିଷ୍ଟ କ୍ଷମତାକେନ୍ଦ୍ରର ଇଙ୍ଗିତରେ କୁଆଡ଼େ ଏହି ୩ଜଣ ମିଡଲମ୍ୟାନ୍ ଏବେ ରାଜନୀତିକ ଡିଲ୍ କରୁଛନ୍ତି। ବିଜେଡିର କିଛି ନେତାଙ୍କୁ ଟ୍ରାପ୍ କରିବା ଓ ବିଜେପି-କଂଗ୍ରେସର କିଛି ନେତାଙ୍କୁ ବିଜେଡିରେ ମିଶାଇବା ପାଇଁ ସେମାନେ କୁଆଡ଼େ ଆକର୍ଷଣୀୟ ଅଫର୍ ମଧ୍ୟ ଦେଉଛନ୍ତି। ଯେଉଁ ରାଜନେତାଙ୍କର କିଛି ଦୁର୍ବଳତା ରହିଛି(ବ୍ୟବସାୟିକ ଅବା ଅନ୍ୟାନ୍ୟ କୌଣସି ଦୋଷତ୍ରୁଟି), ତାକୁ ଆଧାର କରି ସେମାନଙ୍କୁ ଧମକଚମକ ଦେବାକୁ ମଧ୍ୟ ଏହି ମିଡଲମ୍ୟାନ୍ ପଛାଉ ନାହାନ୍ତି।
ଚର୍ଚ୍ଚା ହେଉଛି, ଦଶହରା ପୂଜା ପାଇଁ ଏହି ୩ ମିଡଲମ୍ୟାନ୍ କୁଆଡ଼େ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ବିଜେଡିର ଅସନ୍ତୁଷ୍ଟ ଥିବା ୪ରୁ ୫ଜଣ ନେତାଙ୍କୁ ରାଜ୍ୟ ବାହାରକୁ ଛୁଟି ବିତାଇବା ନିମନ୍ତେ ପଠାଇଥିଲେ। ଆଉ ବିଜେପିର ଜଣେ ବିଧାୟକଙ୍କୁ ଏମାନେ ଏବେ ଏଭଳି ଟ୍ରାପ୍ କରିଛନ୍ତି ଯେ ସିଏ କୁଆଡ଼େ ଆଗାମୀ ନିର୍ବାଚନରେ ବିଜେଡି ଟିକେଟରେ ବିଧାୟକ ଭାବେ ଲଢ଼ିବାକୁ ବି ସମ୍ମତି ଦେଇଛନ୍ତି।
କଂଗ୍ରେସରେ ଗୋଷ୍ଠୀକନ୍ଦଳକୁ ବଢ଼ାଇବାରେ ମଧ୍ୟ ଏମାନଙ୍କର କିଛି ଭୂମିକା ରହୁଛି। ଏମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ। ଗତ କିଛିମାସ ହେଲା ରାଜ୍ୟ ରାଜନୀତିରେ ଏମାନେ ଅଧିକ ସକ୍ରିୟ ହୋଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ କ୍ଷମତାକେନ୍ଦ୍ର ପକ୍ଷରୁ ଏମାନେ କୁଆଡ଼େ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଛନ୍ତି। ଅବଶ୍ୟ ରାଜନୀତିକ ଗତିବିଧି ପାଇଁ ଏହି ଅଣରାଜନୀତିକ ବ୍ୟକ୍ତିମାନଙ୍କୁ ବାସ୍ତବରେ ସେହି କରିଡର ଦାୟିତ୍ୱ ଦେଇଛି ନା ଏମାନେ ନିଜର ପତିଆରା ଦେଖାଇ ଫାଇଦା ନେବାକୁ ଏଭଳି କରୁଛନ୍ତି, ତାହା ଏବେ ମଧ୍ୟ ରହସ୍ୟଘେରରେ।
ମାତ୍ର ସମ୍ପୃକ୍ତ କ୍ଷମତାକେନ୍ଦ୍ରଙ୍କ ନାଁ କହି କୁଆଡ଼େ ଏହି ମିଡିଆ, ସିନେମା ଓ କର୍ପୋରେଟ୍ କ୍ଷେତ୍ରରେ କାମ କରୁଥିବା ଏହି ୩ଜଣ ହାଇପ୍ରୋଫାଇଲ୍ ମିଡଲମ୍ୟାନ ଏବେ ରାଜ୍ୟ ରାଜନୀତି ଓ ଟିକେଟ୍ ବଣ୍ଟନରେ ସେମାନଙ୍କର ବଡ଼ ଭୂମିକା ରହିବ ବୋଲି ସନ୍ଦେଶ ଦେବାକୁ ଉଦ୍ୟମ କରୁଛନ୍ତି। ଏହି ୩ଜଣଙ୍କୁ ବିଭିନ୍ନ ସମୟରେ ପାୱାର କରିଡରରେ ଦେଖିବାକୁ ମିଳୁଥିବାରୁ ଏମାନଙ୍କର ଏପରି କାର୍ଯ୍ୟ ସମ୍ଭବତଃ ସେହି କରିଡରର ଇଙ୍ଗିତରେ ହେଉଥିବା ଚର୍ଚ୍ଚା।
from Odisha Reporter https://ift.tt/2yDp0FA
No comments:
Post a Comment