
ଅମୃତସର: ପଞ୍ଜାବର ଅମୃତସର ନିକଟ ଜୋରା ଫାଟକ ନିକଟରେ ଘଟିଥିବା ଟ୍ରେନ୍ ଟ୍ରାଜେଡିରେ ୬୧ ଜଣଙ୍କ ଜୀବନ ଯାଇଛି। ଲୋକମାନେ ରେଳ ଟ୍ରାକ୍ ପାଖରେ ଆୟୋଜିତ ରାବଣପୋଡ଼ି ଦେଖୁଥିବା ବେଳେ ଲୌହ ଦାନବର ରକ୍ତ ଭୋଜିର ଶିକାର ହୋଇଛନ୍ତି। ରାବଣପୋଡ଼ିର ଦୃଶ୍ୟ ଉପଭୋଗ କରୁଥିବା ଲୋକଙ୍କ ଉପରେ ଜଲନ୍ଧରରୁ ଅମୃତସର ଯାଉଥିବା ଟ୍ରେନ୍ ମାଡ଼ି ଯିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି।

ଦୋଷ ଲଦାଲଦି
ପଞ୍ଜାବର କ୍ଷମତାସୀନ କଂଗ୍ରେସ ସରକାର ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରେଳ ବିଭାଗର ଅପାରଗତା ପାଇଁ ଘଟିଥିବା କହୁଥିବା ବେଳେ ରେଳ ବିଭାଗ କିନ୍ତୁ ରାଜ୍ୟ ମୁଣ୍ଡରେ ଦୋଷ ଲଦିଛି। ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏହି ଦୁର୍ଘଟଣାକୁ ରାଜନୀତିକ ରଙ୍ଗ ଦିଆଯାଉଛି। ତେବେ ଏହି ଘଟଣା ପାଇଁ ଦାୟୀ କିଏ? କାହା ଭୁଲ ପାଇଁ ରାବଣପୋଡ଼ିର ମଜା ନେଉଥିବା ଲୋକଙ୍କ ଜୀବନ ଚାଲିଗଲା? ଏସବୁ ପ୍ରଶ୍ନର ଉତ୍ତର କେହି ଦେଉନାହାନ୍ତି। ସମସ୍ତେ କେବଳ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା କାର୍ଯ୍ୟରେ ଲାଗିଛନ୍ତି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି ସତ, କିନ୍ତୁ ଜୀବନ ଜଣଙ୍କର ହେଉ କି ହଜାର ଜଣଙ୍କର, ଏହା ମୂଲ୍ୟକୁ ଟଙ୍କାରେ କେବେ ତଉଲାଇ ଯାଇ ନପାରେ। ଟଙ୍କା ପାଇ ଯେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଟି ଯେ ଏ ଦୁଃଖକୁ ଭୁଲି ପାରିବ, ତାହା ଅସମ୍ଭବ।

ଏହି ଘଟଣାରେ ୪ଟି ପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି। ପ୍ରଥମେ ରେଳ ଧାରଣା ପାଖରେ କାର୍ଯ୍ୟକ୍ରମର ଅୟୋଜନ କରିଥିବା ସଂଗଠନ, ଦ୍ୱିତୀୟରେ ସ୍ଥାନୀୟ ପୁଲିସ୍ ଓ ପ୍ରଶାସନ, ତୃତୀୟରେ ରେଳ ବିଭାଗ ଓ ୪ର୍ଥରେ ଡ୍ରେନ୍ ଡ୍ରାଇଭର୍। ଏହି ୪ ପକ୍ଷଙ୍କ ଭୂମିକାକୁ ନେଇ ୩ଟି ଲେଖାଏ ପ୍ରଶ୍ନ ଉଠୁଛି। ଯଦି ଏହି ପ୍ରଶ୍ନର ଉତ୍ତର ମିଳିଯିବ, ତା’ହେଲେ ପୂରା ଘଟଣା ପାଇଁ ଦାୟୀ କିଏ, ତାର ସୂଚନା ମିଳିପାରିବ।
ଆୟୋଜକଙ୍କୁ ୩ଟି ପ୍ରଶ୍ନ
୧: ବିଜୟା ଦଶମୀରେ ରାବଣପୋଡ଼ି ଭଳି ଏକ ବଡ଼ କାର୍ଯ୍ୟକ୍ରମ ରେଳ ଧାରଣା ପାଖରେ କାହିଁକି କରାଗଲା?
୨: ରେଳ ଧାରଣା ପାଖରେ କାର୍ଯ୍ୟକ୍ରମ କରିବାକୁ ଅନୁମତି ନିଆଯାଇଥିଲା ନା ନାହିଁ?
୩: ବିନା ଅନୁମତିରେ କାହିଁକି ରେଳ ଧାରଣା ପାଖରେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା? ଏବେ ଏହାର ଉତ୍ତରଦାୟିତ୍ୱ କିଏ ନେବ?

ପ୍ରଶାସନକୁ ୩ଟି ପ୍ରଶ୍ନ
୧: ଯଦି ରେଳ ଧାରଣା ପାଖରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଲୋଡ଼ା ଯାଇଥିଲା, ତା’ହେଲେ ଏଥିପାଇଁ କିଏ ଅନୁମତି ଦେଇଥିଲା?
୨: ଯଦି କାର୍ଯ୍ୟକ୍ରମ ପାଇଁ ଅନୁମତି ଥିଲା, ତା’ହେଲେ କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାହିଁକି କରାଯାଇ ନଥିଲା?
୩:ଯଦି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ତା’ହେଲେ କାହା ଭୁଲ୍ ଯୋଗୁ ଏତ ସଂଖ୍ୟକ ଲୋକଙ୍କ ଜୀବନ ଗଲା?
ରେଳ ବିଭାଗକୁ ୩ଟି ପ୍ରଶ୍ନ
୧: କ’ଣ ରେଳ ଧାରଣା ପାଖରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଛି ବୋଲି ରେଳ ଅଧିକାରୀମାନେ ଜାଣିଥିଲେ କି ?
୨: ଯଦି କାର୍ଯ୍ୟକ୍ରମ ସମ୍ପର୍କରେ ଜଣା ଥିଲା, ତା’ହେଲେ ଏଥିପାଇଁ ରେଳ ବିଭାଗ ପକ୍ଷରୁ କି କି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା?
୩: ଯଦି ରେଳବାଇ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ତା’ହେଲେ କେଉଁଠି ଭୁଲ୍ ରହିଲା?

ଟ୍ରେନ୍ ଡ୍ରାଇଭରଙ୍କୁ ୩ଟି ପ୍ରଶ୍ନ
୧: ଟ୍ରେନ୍ ଡ୍ରାଇଭରଙ୍କୁ କ’ ଣ ଏତେ ବଡ଼ ଭିଡ଼ ଦୂରରୁ ଦେଖାଯାଇ ନଥିଲା?
୨: ଯଦି ଡ୍ରାଇଭରଙ୍କୁ ଭିଡ଼ ଦେଖାଯାଉଥିଲା, ତା’ହେଲେ ସେ ବାରମ୍ବାର ହର୍ଣ୍ଣ ମାରିଥିଲେ କି?
୩: ହର୍ଣ୍ଣ ବଜାଇବା ବ୍ୟତୀତ ଟ୍ରେନ୍ ଚାଳକ ଗାଡ଼ିର ଗତିକୁ କମ୍ କରିଥିଲେ ନା ନାହିଁ?

from Odisha Reporter https://ift.tt/2R323lP
No comments:
Post a Comment