
ଟିଟିଲାଗଡ଼ (ମାନସ ମହାନ୍ତି): ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ ଏବେ ବି ଧାଉଁଛି। ତନ୍ତ୍ର ସାଧନା ଜରିଆରେ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ମଣିଷ ବଳି ଦେବାକୁ ବି ପଛାଉନି। ଏପରି ଏକ ଲୋମହର୍ଷଣକାରୀ ଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଛି। ପୁଲିସ ତଦନ୍ତ କରି ଘଟଣା ଉପରୁ ପର୍ଦ୍ଦା ଉଠାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି।
ପୂରା ଘଟଣା ଏମିତି। ଶୋଭାବନ ରଣା ଓ କୁଞ୍ଜ ରଣା ଦୁଇଜଣ ମିଶି ଗୁଣିଗାରେଡ଼ି କରନ୍ତି। ତେବେ ଶୋଭାବନଙ୍କ ପରିବାର ଲୋକେ ସବୁବେଳେ ଅସୁସ୍ଥ ରହୁଥିଲେ। ସେଥିରୁ ମୁକ୍ତି ପାଇବା ପାଇଁ ବଳି ଦେବାକୁ ଶୋଭାବନକୁ କୁଞ୍ଜ କହିଥିଲା। ବଳି ଦେବାକୁ ଥିବା ପିଲା ନାଁର ପ୍ରଥମ ଅକ୍ଷର ‘ମ’ ଓ ଘର ପୂର୍ବ ଦିଗରେ ରହିବ ବୋଲି ଉଲ୍ଲେଖ କରିଥିଲା।
କୁଞ୍ଜ କଥାରେ ପଡ଼ି ଗତ ୧୩ ତାରିଖରେ ଶୋଭାବନ ଶୁଣ୍ଢିମୁଣ୍ଡା ଗାଁର ମାମୁ ହୀରା ରଣାଙ୍କ ଘରକୁ ଯାଇଥିଲେ। ସେହିରାତିରେ ମାମୁଙ୍କ ପୁଅ ଘନଶ୍ୟାମ ଓରଫ ମିଠୁନ୍(୯)କୁ ନଦୀ ପଠାକୁ ଡାକି ଆଣିଥିଲା। ସେଠାରେ ତନ୍ତ୍ର ସାଧନା ପରେ ଶୋଭାବନ ଓ କୁଞ୍ଜ ତାକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ପରେ ଦୁହେଁ ମୃତ ଦେହକୁ ଅଲଗା ଅଲଗା ସ୍ଥାନରେ ବାଲିରେ ପୋତି ଦେଇଥିଲେ।
ଅନ୍ୟପକ୍ଷରେ ପୁଅ ନିଖୋଜ ନେଇ ୧୪ ତାରିଖ ସକାଳେ ମିଠୁନର ବାପା ହୀରା ଥାନାରେ ଅଭଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ମିଠୁନର ପତ୍ତା ପାଇନଥିଲା। ତେବେ ୧୬ ତାରିଖରେ ବାଲିରେ ପୋତା ଯାଇଥିବା ମିଠୁନ୍ର ଗଣ୍ଡି ମିଳିଥିଲା। ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ତା’ର ମୁଣ୍ଡ ମିଳିଥିଲା।
ତେବେ ଶବ ବ୍ୟବଚ୍ଛେଦ ପରେ ଗୁଣି ଗାରେଡ଼ି ଯୋଗୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। ପରିବାରର ଏପରି ଦୁଃଖଦ ସମୟରେ ଭଣଜା ଶୋଭାବନ ସାନ୍ତ୍ୱନା ଦେବାକୁ ଆସିନଥିଲେ। ଏଥିପାଇଁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ଶୋଭାବନକୁ ଆଣି ଜେରା କରିଥିଲା। ପରେ ହତ୍ୟା ଉପରୁ ପର୍ଦ୍ଦା ଉଠିଥିଲା। ତନ୍ତ୍ର ସାଧନ ପାଇଁ ସେମାନେ ମିଠୁନକୁ ହତ୍ୟା କରିଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି।
from Odisha Reporter https://ift.tt/2yLzule
No comments:
Post a Comment