
ବାରିପଦା (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ବିଧାୟକ ଦାମୋଦର ରାଉତ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ଆଜି ମୟୂରଭଞ୍ଜ ମାଟିରେ ସେ ନବୀନଙ୍କୁ ଜଣେ ଭ୍ରଷ୍ଟ ନେତା କହି ତାଚ୍ଛଲ୍ୟ କରିଛନ୍ତି।
ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦାମ ଯୋଗ ଦେଇ ନବୀନଙ୍କୁ ଟାର୍ଗେଟ କରିବା ସହ ନବୀନ, ଓଡ଼ିଆ ପ୍ରୀତି ନଥିବା ଜଣେ ଭ୍ରଷ୍ଟ ନେତା ବୋଲି କହିଛନ୍ତି।
କେବଳ ସେତିକି ନୁହେଁ ମୟୂରଭଞ୍ଜ ଜିଲ୍ଲା ପାଇଁ ନବୀନ କିଛି କରି ନଥିବା ଅଭିଯୋଗ ଆଣିଛନ୍ତି ଦାମ। କହିଛନ୍ତି, “ନବୀନ ଜିଲ୍ଲାର ଆଦିବାସୀ, ହରିଜନ, ସାଧାରଣ ବର୍ଗ ପାଇଁ କିଛି କରି ନାହାନ୍ତି। ସବୁଥିରେ କେବଳ ମୟୂରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି।”
ଏହାସହ ମୟୂରଭଞ୍ଜର ଆଡ଼ିବନ୍ଧ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି।
ବିଜୁ ଦାୟାଦ ହେବାକୁ ନେଇ ଭର୍ତ୍ସନା
ସଭା ମଞ୍ଚରେ ବିଜୁ ବାବୁଙ୍କ ପୁଅ ହେବାକୁ ନେଇ ଦାମ, ନବୀନଙ୍କୁ ଭର୍ତ୍ସନା କରିଛନ୍ତି। ବିଜୁ ବାବୁଙ୍କ ପରି ବାପର ପୁଅ ହୋଇ କିପରି ସେ ଏପରି କରୁଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି। କହିଛନ୍ତି, “ଜାତିର ସ୍ୱାଭିମାନ ପାଇଁ କୋଟିପତି ବିଜୁ ବାବୁ କୋଠି ବିକି ଦେଇଥିଲେ। ହେଲେ ତାଙ୍କ ପୁଅ କହୁଛନ୍ତି, ଆଜି ଦଳରେ ମିଶି କାଲି କୋଟିପତି ହୁଅ।”
ସବୁ ବିଧାୟକଙ୍କ ନାଁ ଜାଣିନାହାନ୍ତି
ବିଜେଡି ଦଳର ନେତାଙ୍କୁ ନେଇ ମଧ୍ୟ ନବୀନଙ୍କୁ ଦାମ କାଠଗଡ଼ାରେ ଛିଡା କରିଛନ୍ତି। ନବୀନଙ୍କୁ ସବୁ ବିଧାୟକଙ୍କ ନାଁ ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ଦାମ। ଏହାସହ ରାଜ୍ୟରେ କେତେ ତହସିଲ ଅଛି ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି।
ଭୁବନେଶ୍ୱରରେ ପ୍ରତିଦିନ ଘଟୁଛି କୁନ୍ଦୁଲି ଘଟଣା
ସଭାରେ ଦାମ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। କୁନ୍ଦୁଲି ଘଟଣାକୁ ରାଜଧାନୀର ଏକ ଡାକବଙ୍ଗଳା ସହ ଯୋଡ଼ିଛନ୍ତି ଦାମ। ଭୁବନେଶ୍ୱରରେ ଏକ ଡାକବଙ୍ଗଳାରେ ପ୍ରତିଦିନ କୁନ୍ଦୁଲି ଘଟଣା ଘଟୁଥିବା ସେ ଅଭିଯୋଗ କରିଛନ୍ତି।
ପାଣ୍ଡିଆନ୍ ବିରୋଧରେ ମୋଦିଙ୍କ ତଦନ୍ତ ନିର୍ଦ୍ଦେଶକୁ ବେଖାତିର
ସଭାରେ ଦାମ ସରକାରଙ୍କୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ବି ଘେରିଛନ୍ତି। କହିଛନ୍ତି, “ପାଣ୍ଡିଆନଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଡାଲି ଦୁର୍ନୀତି ଅଭିଯୋଗ ରହିଛି। ଗତବର୍ଷ ମାର୍ଚ୍ଚରୁ ମୁଖ୍ୟ ଶାସନ ସଚିବଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଛି। ଆଉ କେହି ନୁହେଁ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଆଜି ଯାଏ ଏହାର ତଦନ୍ତ ହୋଇନି।”
from Odisha Reporter https://ift.tt/2R1x5dR
No comments:
Post a Comment