
ବିଶାଖାପଟନମ୍: ଅଧିନାୟକ ବିରାଟ୍ କୋହଲିଙ୍କ ୩୬ ତମ ଦିନିକିଆ ଶତକକୁ ପୁଂଜି କରି ଟିମ୍ ଇଣ୍ଡିଆ ସ୍ଥାନୀୟ ୱାଇଏସ୍ଆର୍ ଷ୍ଟାଡିୟମ୍ରେ ଚାଲିଥିବା ଭ୍ରମଣକାରୀ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନକିଆରେ ପ୍ରଥମ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୩୨୧ ରନ୍ କରିଛି।
କୋହଲି ୧୨୯ ବଲ୍ରୁ ୧୩ ଚୌକା ଓ ୪ ଛକା ଜରିଆରେ ୧୫୭ ରନ୍ର ଆକର୍ଷଣୀୟ ଇନିଂସ୍ କରି ଶେଷ ଯାଏ ଅପରାଜିତ ରହିଥିଲେ। ତେବେ ନିଜ ୩୭ ତମ ଦିନିକିଆ ଶତକ ହାସଲ କରିବା ପୂର୍ବରୁ ୮୧ ରନ୍ କରିବା ମାତ୍ରେ ବିଶ୍ୱର ସବୁଠାରୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ଭାବେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ୧୦ ହଜାର ରନ୍ କ୍ଲବ୍ରେ ସାମିଲ୍ ହୋଇଛନ୍ତି।

ସଚିନ୍ ୨୫୯ ଇନିଂସ୍ରେ ଏହି ରନ୍ ସଂଗ୍ରହ କରିଥିବାବେଳେ କୋହଲି ଏହି ଲ୍ୟାଣ୍ଡ୍ମାର୍କ ପାଇଁ ମାତ୍ର ୨୦୫ ଟି ଇନିଂସ ଖେଳିଛନ୍ତି।
୧୦ ହଜାର ରନ୍ କରିବାରେ ବିରାଟ୍ ବିଶ୍ୱର ତ୍ରୟୋଦଶ ଏବଂ ୫ମ ଭାରତୀୟ କ୍ରିକେଟର୍।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ କିନ୍ତୁ ଗତ ମ୍ୟାଚ୍ରେ ଅପରାଜିତ ଶତକ ହାସଲ କରିଥିବା ‘ହିଟ୍ ମ୍ୟାନ୍’ ରୋହିତ୍ ଶର୍ମାଙ୍କୁ ସଅଳ ହରାଇଥିଲା। ମାତ୍ର ୪ କନ୍ କରି କେମାର ରୋଚ୍ଙ୍କ ବଲ୍ରେ ହେଟ୍ମୟାର୍ଙ୍କ ଦ୍ୱାରା ଧରା ପଡ଼ି ରୋହିତ୍ ପ୍ୟାଭିଲିୟନ୍ ଫେରିବାବେଳକୁ ଦଳର ସ୍କୋର ଥିଲା ମାତ୍ର ୧୫।

ଏହାପରେ ସାଥୀ ବାମହାତୀ ଓପନର୍ ଶିଖର ଧୱନ୍ ଅଧିନାୟକ କୋହଲିଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୨୫ ରନ୍ ଯୋଡ଼ିବା ପରେ ଅଫସ୍ପିନର୍ ନର୍ସ୍ଙ୍କ ବଲ୍ରେ ଲେଗ୍ ବିଫୋର୍ ହୋଇଥିଲେ। ଧୱନ୍ ୩୦ ବଲ୍ରୁ ୪ ଚୌକା ଓ ଗୋଟିଏ ଛକା ଜରିଆରେ ବ୍ୟକ୍ତିଗତ ୨୯ ରନ୍ କରି ଆଉଟ୍ ହେବା ବେଳକୁ ଟିମ୍ ଇଣ୍ଡିଆର ସ୍କୋର୍ ଥିଲା ୮.୪ ଓଭର୍ରେ ୪୦ ରନ୍। ଏହା ପରେ କିନ୍ତୁ ତୃତୀୟ ୱିକେଟ୍ ପାଇଁ କ୍ୟାପ୍ଟେନ୍ କୋହଲି ଓ ହାଇଦ୍ରାବାଦୀ ଅମ୍ବାତି ରାୟୁଡ଼ୁଙ୍କ ମଧ୍ୟରେ ହୋଇଥିବା ୧୩୯ର ବଡ଼ ଭାଗୀଦାରୀ ଭାରତୀୟ ଦଳକୁ ଏକ ବୃହତ୍ ସ୍କୋର୍ର ମୂଳଦୂଆକୁ ଦୃଢ଼ କରିଥିଲା।

ରାୟୁଡ଼ୁ ୮୦ ବଲ୍ରୁ ୮ଟି ଚୌକା ସହାୟତାରେ ୭୩ ରନ୍ କରି ପ୍ୟାଭିଲିୟନ୍ ଫେରିବା ବେଳକୁ ଦଳୀୟ ସ୍କୋର୍ ୧୭୯ ରେ ପହଞ୍ଚିଥିଲା। ଏହା ପରେ ଧୋନି(୨୦) ଓ ରିଷଭ ପନ୍ତ (୧୭)ଙ୍କ ୱିକେଟ୍ ନେଇ ଇଣ୍ଡିଜ୍ ବୋଲିଂ ବାହିନୀ ଟିମ୍ ଇଣ୍ଡିଆର ଅସ୍ଥିର ମଧ୍ୟକ୍ରମର ଦୁର୍ବଳତା ପଦାରେ ପକାଇବାକୁ ଚେଷ୍ଟା କରିଥିଲେ ହେଁ କ୍ରିଜ୍ର ଅପରପାର୍ଶ୍ୱରେ ଦୃଢ଼ ପ୍ରାଚୀର ଭଳି ଛିଡ଼ା ହୋଇ ବିରାଟ୍ ଏଥିରେ ବାଧକ ସାଜିଥିଲେ। ମ୍ୟାଚ୍ର ୪୯ତମ ଓଭର୍ରେ ମାତ୍ର ୧୩ ରନ୍ କରି ଜାଡେଜା ଇଣ୍ଡିଜ୍ର ପଦାର୍ପଣକାରୀ ବାମହାତୀ ଫାଷ୍ଟ୍ ବୋଲର୍ ମ୍ୟାକ୍କୟଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

ୱେଷ୍ଟ୍ଇଣ୍ଡିଜ୍ ପକ୍ଷରୁ ନର୍ସ୍ ଓ ମ୍ୟାକ୍କୟ ପ୍ରତ୍ୟେକ ଦୁଇଟି ଏବଂ ରୋଚ୍ ଓ ସାମୁଏଲ୍ସ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ମ୍ୟାଚ୍ ଜିତିବା ପାଇଁ ଭ୍ରମଣକାରୀ ଦଳ ପାଇଁ ୩୨୨ ରନ୍ ଟାର୍ଗେଟ୍ ରହିଛି।
ଗୁୱାହାଟିର ଖେଳା ଯାଇଥିବା ପ୍ରଥମ ଦିନିକିଆରେ ବିଜୟ ସହ ଟିମ୍ ଇଣ୍ଡିଆ ଏବେ ଭ୍ରମଣକାରୀ ଇଣ୍ଡିଜ୍ ବିପକ୍ଷ ୫ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି।
from Odisha Reporter https://ift.tt/2CBjOEN
No comments:
Post a Comment