
ମୁମ୍ବାଇ: ପ୍ରଥମେ ରୋହିତ ଶର୍ମା ଓ ଅମ୍ବାତି ରାୟିଡୁଙ୍କ ବିସ୍ଫୋରକ ଶତକ ଏବଂ ଏହାପରେ ଯୁବ ତାରକା ଖଲୀଲ ଅହମ୍ମଦଙ୍କ ଘାତକ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ୍ ଏକ ପ୍ରକାରର ଆତ୍ମସମର୍ପଣ କରିଛି। ଫଳରେ ୫ଟିକିଆ ସିରିଜ୍ର ୪ର୍ଥ ଦିନିକିଆକୁ ଟିମ୍ ଇଣ୍ଡିଆ ବେଶ ସହଜରେ ୨୨୪ ରନ୍ର ବିଶାଳ ବ୍ୟବଧାନରେ ଜିତି ନେଇଛି। ଏଥିସହ ସିରିଜ୍ରେ ୨-୧ରେ ଆଗୁଆ ମଧ୍ୟ ହୋଇଯାଇଛି।

ଭାରତର ବିଶାଳ ୩୭୮ ରନ୍ର ଟାଗେର୍ଟର ପିଛା କରୁଥିବା ଇଣ୍ଡିଜ୍ ଦଳ ମାତ୍ର ୩୬.୨ ଓଭର୍ରେ ୧୫୩ ରନ୍ କରି ଅଲଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ଅଧିନାୟକ ଜେସନ୍ ହୋଲ୍ଡର୍ ଶେଷ ପର୍ଯ୍ୟନ୍ତ ୫୪ ରନ୍ କରି ନଟ୍ଆଉଟ୍ ରହିଥିଲେ। ଭାରତ ପକ୍ଷରୁ ଖଲୀଲ ଅହମ୍ମଦ ଓ କୁଲଦୀପ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି। ସେହିଭଳି ଦୁଇଟି ୱିକେଟ୍ ରନ୍ ଆଉଟ୍ରୁ ମିଳିଛି।

ଆଜିର ମ୍ୟାଚ୍ରେ ବିସ୍ଫୋରକ ଶତକ ପାଇଁ ରୋହିତ ଶର୍ମା ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଟସ୍ ଜିତି ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ୧୬୨ ଓ ଅମ୍ବାତି ରାୟିଡୁଙ୍କ ୧୦୦ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭର୍ରେ ୫ ୱିକେଟ୍ ହରାଇ ବିଶାଳ ୩୭୭ ରନ୍ କରିଥିଲା। ୩୭୮ ରନ୍ର ଟାର୍ଗେଟ ପାଇଥିବା ଇଣ୍ଡିଜ୍ ପୂର୍ବ ମ୍ୟାଚ୍ ଗୁଡ଼ିକ ଭଳି ଏଥର ଭଲ ଆରମ୍ଭ କରିପାରି ନଥିଲା। ଦଳୀୟ ସ୍କୋର ୨୦ ଥିବା ବେଳେ ଓପନର୍ ଚନ୍ଦ୍ରପଲ୍ ହେମରାଜଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରି ପ୍ରଥମ ଝଟ୍କା ଦେଇଥିଲେ।

ଏହାର କିଛି ସମୟ ପରେ ଦୁଇଟି ଯାକ ମ୍ୟାଚ୍ରେ ଜବରଦସ୍ତ ଇନିଂସ୍ ଖେଳିଥିବା ସାଇ ହୋପ୍ ରନ୍ ଆଉଟ୍ ହୋଇ ଦଳୀୟ ଶିବିରରେ ନିରାଶା ଖେଳାଇ ଦେଇଥିଲେ। କୁଲଦୀପ ଯାଦବଙ୍କ ସିଧା ଥ୍ରୋ ଯୋଗୁ ଖାତା ଖୋଲିବା ଆଗରୁ ହୋପ୍ ପ୍ୟାଭିଲିୟନ୍ ଫେରିଥିଲେ। ୨୦ ରନ୍ରେ ଦୁଇଟି ୱିକେଟ୍ ହରାଇଥିବା ଇଣ୍ଡିଜ୍ ଓପନର୍ କିଏରନ୍ ପାୱେଲ୍ଙ୍କୁ ମଧ୍ୟ ରନ୍ ଆଉଟ୍ ଯୋଗୁ ହରାଇଥିଲା। ବିରାଟ୍ଙ୍କ ଥ୍ରୋରେ ଆଉଟ୍ ହେବା ପୂର୍ବରୁ ପାୱେଲ ମାତ୍ର ୪ ରନ୍ କରିଥିଲେ।

୨୦ ରନ୍ରେ ୩ ୱିକେଟ୍ ହରାଇଥିବା ଇଣ୍ଡିଜ୍ର ସବୁ ଭରସା ବିସ୍ଫୋରକ ହେଟମେୟର ଓ ଅଭିଜ୍ଞ ସାମୁଏଲ୍ସଙ୍କ ଉପରେ ରହିଥିଲା। କିନ୍ତୁ ଉଭୟଙ୍କୁ ନବାଗତ ଖଲୀଲ ଅହମ୍ମଦ ଆଉଟ୍ କରି ଇଣ୍ଡିଜ୍ ବ୍ୟାଟିଂ ଲାଇନ୍ ଅପ୍କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଖଲୀଲ ମିଡଲ୍ ଅର୍ଡର ରୋଭମାନ୍ ପାୱେଲ୍ଙ୍କ ୱିକେଟ୍ ମଧ୍ୟ ଦଖଲ କରିଥିଲେ। ୫୦ ରନ୍ ଭିତରେ ଅଧା ଇଣ୍ଡିଜ୍ ବ୍ୟାଟସ୍ମ୍ୟାନ୍ ପ୍ୟାଭିଲିୟନ୍ ଫେରିଯିବାରୁ ଭାରତର ବିଜୟ ଏକପ୍ରକାରର ପକ୍କା ହୋଇଯାଇଥିଲା।

ଏହାପରେ କୁଲଦୀପ ଯାଦବ ଯଥାକ୍ରମେ ଫାବିଆନ୍ ଆଲେନ୍ ଓ ଆଶଲେ ନର୍ସଙ୍କୁ ଆଉଟ୍ କରିଦେଇଥିଲେ। ଗୋଟିଏ ପଟେ ଅଧିନାୟକ ଜେସନ୍ ହୋଲ୍ଡର ଛିଡ଼ା ହୋଇଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍ମ୍ୟାନ୍ ଭାରତୀୟ ବୋଲର୍ଙ୍କ ସାମ୍ନା କରିପାରି ନଥିଲେ। ରବୀନ୍ଦ୍ର ଜାଡେଜା କେମୋ ପଲ୍ଙ୍କୁ ଆଉଟ୍ କରିଥିବା ବେଳେ କୁଲଦୀପ କେମାର ରୋଚ୍ଙ୍କୁ ବୋଲ୍ଡ କରି ଇଣ୍ଡିଜ୍ ପାଳିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଭାରତ ପ୍ରଥମ ମ୍ୟାଚ୍ଟିକୁ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ଟି ଟାଏ ହୋଇଥିଲା। ସେହିପରି ତୃତୀୟ ଦିନିକିଆକୁ ଇଣ୍ଡିଜ୍ ଦଳ ଜିତି ସିରିଜ୍ ୧-୧ରେ ସ୍ତ୍ଥିତି ବରାବର କରିଥିଲା। ଏବେ ଭାରତ ୪ର୍ଥ ଦିନିକିଆ ଜିତି ୨-୧ରେ ସିରିଜରେ ଆଗୁଆ ରହିଛି।
୫ମ ତଥା ସିରିଜ୍ର ଶେଷ ଦିନିକିଆ ଗୁରୁବାର ଖେଳାଯିବ।

from Odisha Reporter https://ift.tt/2yDXqrs
No comments:
Post a Comment