
ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଆସନ୍ତାକାଲି ଅବସର ନେବେ। ତେବେ ଆସନ୍ତାକାଲି ଗାନ୍ଧି ଜୟନ୍ତୀ ଥିବାରୁ କୋର୍ଟ ବନ୍ଦ ରହିବ। ତେଣୁ ଆଜି ହିଁ ସିଜେଆଇ ଜିଷ୍ଟିସ୍ ମିଶ୍ର ଶେଷଥର ପାଇଁ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ। ମାତ୍ର ୨୫ ମିନିଟ୍ ପାଇଁ କୋର୍ଟ କାର୍ଯ୍ୟ ପରିଚାଳନା କରିବାକୁ ଶେଷଥର ପାଇଁ ଆସିଥିବା ସିଜେଆଇ ଜଷ୍ଟିସ୍ ମିଶ୍ରଙ୍କ ସହ ଆଜି ପରବର୍ତ୍ତୀ ସିଜେଆଇ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଉପସ୍ଥିତ ରହିଥିଲେ।
ଜଷ୍ଟିସ୍ ମିଶ୍ରଙ୍କର ଆଜି ଶେଷ ଦିନ ହୋଇଥିବାରୁ ଜଣେ ଓକିଲ ଗୀତ ଗାଇ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ। କିନ୍ତୁ ଜଷ୍ଟିସ୍ ମିଶ୍ର ସିଧାସଳଖ ଏପରି କରିବାକୁ ମନା କରିଦେଥିଲେ। ଦୀର୍ଘ ୧୩ ମାସ କାଳ ସିଜେଆଇ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ମିଶ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ‘ଆଧାର’ର ବୈଧତା, ଏଲଜିବିଟି, ସାଵରୀମାଳା ମନ୍ଦିର ପ୍ରବେଶ ମାମଲା ଠାରୁ ଆରମ୍ଭ କରି ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅପରାଧୀ ୟାକୁବ୍ ମେନନ୍ଙ୍କୁ ଫାଶୀ ଦଣ୍ଡାଦେଶ ନିଷ୍ପତ୍ତି ଜଷ୍ଟିସ୍ ମିଶ୍ରଙ୍କ ବେଞ୍ଚରେ ହିଁ କରାଯାଇଥିଲା।
ତେବେ ଆଜି ୨୫ ମିନିଟ୍ର କୋର୍ଟ କାର୍ଯ୍ୟ ମଧ୍ୟରେ ଜଷ୍ଟିସ୍ ମିଶ୍ର ବେଶ ଭାବପ୍ରବଣ ହୋଇଯାଇଥିଲେ। ୨୫ ମିନିଟ୍ର କୋର୍ଟ କାର୍ଯ୍ୟ ପରେ ଜଣେ ଓକିଲ ହିନ୍ଦୀ ଫିଲ୍ମ ଗୀତ ‘ତୁମ୍ ଜିଓ ହଜାର ସାଲ୍’ ଗୀତ ଗାଇବାକୁ ଚାହିଁଥିଲେ। କିନ୍ତୁ ଜଷ୍ଟିସ୍ ମିଶ୍ର କହିଥିଲେ, ଏବେ ମୁଁ ଯାହା କହୁଛି ସେଇଟା ହୃଦୟରୁ କହୁଛି। ସନ୍ଧ୍ୟା ବେଳେ ମୋ ମନ କ’ଣ ଚାହୁଁଛି ସେକଥା କହିବି। ଅର୍ଥାତ ତାଙ୍କ ହୃଦୟ ଏବେ ଗୀତ ଶୁଣିବାକୁ ଚାହୁଁନାହିଁ ବୋଲି ଜଷ୍ଟିସ୍ ମିଶ୍ର ଓକିଲ ଜଣଙ୍କୁ କହିଥିଲେ।
ଆଜିର କୋର୍ଟ କାର୍ଯ୍ୟ ସମୟରେ ଜଷ୍ଟିସ୍ ମିଶ୍ର ଓ ଜଷ୍ଟିସ୍ ଗୋଗୋଇଙ୍କ ସହ ଜଷ୍ଟିସ୍ ଏଏମ୍ ଖାନ୍ୱିଲକର ମଧ୍ୟ ଉପସ୍ଥିତ ଥିଲେ। ସେ କହିଥିଲେ ଆଜି କୌଣସି ପ୍ରକାରର ଜରୁରୀ ମାମଲାର ଶୁଣାଣି ହୋଇପାରିବ ନାହିଁ। ଜରୁରୀ ମାମଲାର ଶୁଣାଣି ଆସନ୍ତା ୩ ତାରିଖରେ ହିଁ କରାଯିବ ବୋଲି ସେ କହିଥିଲେ।
ଓକିଲ ଆର୍ପି ଲୁଥାର ଆଜି ସିଜେଆଇଙ୍କ ବେଞ୍ଚରେ ହାଜର ହେବା ସହ ବରିଷ୍ଠ ଓକିଲ ଇନ୍ଦିରା ଜୈସିଂ ଓ ପ୍ରଶାନ୍ତ ଭୂଷଣ ନିକଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦେଇଥିବା ରୁଲିଂକୁ ସମାଲୋଚନା କରି ଟ୍ୱିଟ୍ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଖଣ୍ଡପୀଠ ଏହାର ଶୁଣାଣି କରିନଥିଲେ।
୧୯୯୬ ମସିହା ଜାନୁଆରୀ ୧୭ରେ ଜଷ୍ଟିସ୍ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୧୯୯୭ ଡିସେମ୍ବର ୧୯ରେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୯ ଡିସେମ୍ବର ୨୩ରେ ତାଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ୨୦୧୦ ମସିହା ମେ’ ୨୪ରେ ଜଷ୍ଟିସ୍ ମିଶ୍ର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୦ ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ୍ ମିଶ୍ର ୨୦୧୭ ଅଗଷ୍ଟ ୨୮ରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ।
from Odisha Reporter https://ift.tt/2ItLTif
No comments:
Post a Comment