
ଥିରୁଭନନ୍ତପୁରମ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ସରକାର ଗତକାଲିଠାରୁ ସମସ୍ତ ବର୍ଗର ମହିଳାଙ୍କ ପାଇଁ ଖୋଲା ରଖିଥିଲେ ହେଁ ପ୍ରବଳ ବିରୋଧ ଯୋଗୁ ଏଯାଏ ଜଣେ ହେଲେ ବି ମହିଳା ଏହା ମଧ୍ୟକୁ ପ୍ରବେଶ କରିପାରି ନାହାନ୍ତି। ଗୋଟିଏ ପଟେ କୋର୍ଟଙ୍କ ନିର୍ଦ୍ଦେଶ ଓ ଅନ୍ୟପଟେ ଶହଶହ ବର୍ଷର ପରମ୍ପରା ମଧ୍ୟରେ ଫସିଯାଇଛନ୍ତି କେରଳ ସରକାର।
ସାବରୀମାଲା ମନ୍ଦିରରେ ପୂଜା ପାଉଥିବା ଆୟାପ୍ପା ସ୍ୱାମୀଙ୍କ ଦର୍ଶନ ସମସ୍ତେ କରିପାରିବେ ବୋଲି କେରଳ ସରକାର କହୁଥିଲେ ହେଁ ବିଜେପି ତଥା କିଛି ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଆସୁଛନ୍ତି। ଏହାକୁ ନେଇ ଗତକାଲିଠାରୁ ଆରମ୍ଭ ହୋଇଥିବା ଛକାପଞ୍ଝା ଆଜି ବି ଜାରି ରହିଛି।

ଏହି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଆୟାପ୍ପା ସ୍ୱାମୀଙ୍କ ମୁଖ୍ୟ ପୂଜକ ମହିଳା ଭକ୍ତଙ୍କୁ ଏଠାକୁ ନ ଆସିବାକୁ ନିବେଦନ କରିଛନ୍ତି। ମୁଖ୍ୟ ପୂଜକ କାନ୍ଦାରୁ ରାଜେଭାରୁ କହିଛନ୍ତି, ” ଯଦି ମହିଳାମାନେ ପ୍ରଭୁ ଆୟାପ୍ପାଙ୍କ ମନ୍ଦିରରେ ପ୍ରବେଶ କରନ୍ତି, ତା’ହେଲେ ଏହାର ପରିଚାଳନା କରୁଥିବା ତାନ୍ତ୍ରି ପରିବାର ମନ୍ଦିରକୁ ସବୁଦିନ ପାଇଁ ବନ୍ଦ କରି ଦେବେ ବୋଲି ଗଣମାଧ୍ୟମରେ କେତେକ ରିପୋର୍ଟ ପ୍ରକାଶ ପାଇଛି।
ହେଲେ ଏଥିରେ କୌଣସି ସତ୍ୟତା ନାହିଁ। ଆମେ କେବେ ହେଲେ ଏକଥା କହିନୁ। କିନ୍ତୁ ୧୦-୫୦ ବର୍ଷ ବୟସର ମହିଳାମାନେ ମନ୍ଦିର ଭିତରେ ପ୍ରବେଶ କରିବା କାର୍ଯ୍ୟରୁ ନିବୃତ୍ତ ରହିବା ଦରକାର। ବର୍ଷ ବର୍ଷ ଧରି ଏହି ପରମ୍ପରା ରହି ଆସିଛି, ତେଣୁ ଏହାକୁ ଭାଙ୍ଗିବାକୁ କେହି ଚେଷ୍ଟା କରନ୍ତୁ ନାହିଁ। ନଚେତ୍ ପରିସ୍ଥିତି ଭୟଙ୍କର ହୋଇପାରେ।

ମାସିକ ପୂଜା ଓ ଅନ୍ୟ ନିୟମ ପାଳନ କରିବା ଆମ କର୍ତ୍ତବ୍ୟ। ତେଣୁ ଏହାକୁ ଭାଙ୍ଗିବା ଠିକ୍ ନୁହେଁ। ସାବରୀମାଲା ଏମିତି ଏକ ସ୍ଥାନ ଯେଉଁଠାରେ ମହିଳାଙ୍କୁ ସମ୍ମାନ ଦିଆଯାଏ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ। କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଭକ୍ତମାନଙ୍କ ଭାବାବେଗକୁ ବୁଝିବା ଦରକାର” ବୋଲି ସେ କହିଛନ୍ତି।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ମୁତାବକ କେରଳ ସରକାର ଗତକାଲିଠାରୁ ମନ୍ଦିରର ଦ୍ୱାରକୁ ଖୋଲା ରଖିଛନ୍ତି। ହେଲେ ବିଜେପି ଓ ଅନ୍ୟ ସଂଗଠନର ବିରୋଧ ଯୋଗୁ ଆଜି ବି କେହି ମହିଳା ମନ୍ଦିରରେ ପ୍ରବେଶ କରିବା ଲାଗି ସାହସ ଜୁଟାଇ ପାରିନାହାନ୍ତି।

କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ ସବୁପ୍ରକାରର ବ୍ୟବସ୍ଥା କରିଛି। ବ୍ୟାପକ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ହେଲେ ପୂର୍ବଭଳି ବିରୋଧ ଲାଗି ରହିଛି। ପାମ୍ବା, ନିଲାକଲ୍, ସାନ୍ନିଧାମ ଏବଂ ଇଲାଭୁଙ୍ଗୁଲ ବେସ୍ କ୍ୟାମ୍ପରେ ଆନ୍ଦୋଳନକାରୀ ପୂର୍ବଭଳି ଧାରଣାରେ ବସିଛନ୍ତି। ଆଜି ନ୍ୟୁୱର୍କ ଟାଇମସର ମହିଳା ପ୍ରତିନିଧି କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ଅଭିମୁଖେ ଯାଇଥିଲେ।

କିନ୍ତୁ ତାଙ୍କୁ ମଧ୍ୟ ଜୋରଦାର ବିରୋଧ କରାଯାଇଥିଲା। ଫଳରେ ସେ ବାଧ୍ୟ ହୋଇ ଫେରିଆସିଥିଲେ। ଉତ୍ତେଜନାକୁ ଦେଖି ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ସେପଟେ ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି କେରଳରେ ବନ୍ଦ ପାଳନ କରାଯାଇଛି। ବିଜେପି ବନ୍ଦକୁ ସମର୍ଥନ ଦେଇଥିବା ବେଳେ କଂଗ୍ରେସ ପରମ୍ପରା ବଜାୟ ରଖାଯିବା ଉପରେ ଗୁରୁତ୍ୱ ଦେବାକୁ କହିଛି।

from Odisha Reporter https://ift.tt/2ylP5J2
No comments:
Post a Comment