
ଦୁବାଇ: ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟିମ୍କୁ ଜବରଦସ୍ତ ଝଟ୍କା ଲାଗିଛି। ଆଚରଣବିଧି ଉଲ୍ଳଙ୍ଘନ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଟିମ୍ର କୋଚ୍ ଷ୍ଟୁଆର୍ଟ ଲ’ଙ୍କୁ ଆଇସିସି ପକ୍ଷରୁ ଭାରତ ବିପକ୍ଷ ଦୁଇଟି ମ୍ୟାଚ୍ରୁ ନିଲମ୍ବନ କରାଯାଇଛି। ଏଥିସହ ତାଙ୍କୁ ୧୦୦% ଜୋରିମାନା ସହ ୩ଟି ଡିମେରିଟ୍ ପଏଣ୍ଟ ମଧ୍ୟ ମିଳିଛି।
ଭାରତ- ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ୍ର ୩ୟ ଦିନରେ ଷ୍ଟୁଆର୍ଟ ଯେଉଁ ଆଚରଣ ପ୍ରଦର୍ଶନ କରିଥିଲେ, ତଦ୍ନୁଯାୟୀ ତାଙ୍କୁ ଆଇସିସି ପକ୍ଷରୁ ଦଣ୍ଡିତ କରାଯାଇଛି।
ରବିବାର ଭାରତ ବୋଲିଂ କରୁଥିବା ବେଳେ ୱେଷ୍ଟଇଣ୍ଡିଜ୍ ଓପନର୍ କିରନ୍ ପାୱେଲ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ଷ୍ଟୁଆର୍ଟ ଟିଭି ଅମ୍ପାୟାରଙ୍କ ରୁମ୍କୁ ଯାଇ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ। ଏହାପରେ ସେ ୪ର୍ଥ ଅମ୍ପାୟାରଙ୍କ ରୁମ୍କୁ ଯାଇ ଖେଳାଳିଙ୍କ ଉପସ୍ଥିତିରେ ସେଠାରେ ଥିବା ଅଫିସିଆଲ୍ମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ।
ସୋମବାର ଷ୍ଟୁଆର୍ଟ ଲ’ ନିଜର ଏଭଳି କାର୍ଯ୍ୟ କରିଥିବା କଥା ମାନିଥିଲେ। ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ଙ୍କ ପ୍ରସ୍ତାବ କ୍ରମେ ଦୁଇ ଫିଲ୍ଡ ଅମ୍ପାୟାର, ତୃତୀୟ ଅମ୍ପାୟାର ଓ ୪ର୍ଥ ଅମ୍ପାୟାର ମିଳିତ ଭାବେ ଷ୍ଟୁଆର୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।
ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ହାଇଦ୍ରାବାଦ୍ ଟେଷ୍ଟ୍ ସମୟରେ ଷ୍ଟୁଆର୍ଟ ଆଇସିସିର ଧାରା ୨.୭କୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆସନ୍ତା ୨୧ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ।
from Odisha Reporter https://ift.tt/2EnNYxZ
No comments:
Post a Comment