
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି-୨୦୧୮ ପଡ଼ିଆର ନାମକରଣ ବିଜୁ ପଟ୍ଟନାୟକଙ୍କ ହକି ଷ୍ଟାଡ଼ିୟମ ଭାବେ ନାମିତ ହୋଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକି ଗ୍ରାଉଣ୍ଡକୁ ‘ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ’ ନାଁରେ ରାଜ୍ୟ କ୍ରୀଡ଼ା ବିଭାଗ ନାମିତ କରିଛି। ତେବେ ୧୯୭୮ ମସିହାରେ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ଓ ନାମକରଣ ହୋଇଥିବା ‘କଳିଙ୍ଗ ଷ୍ଟାଡ଼ିୟମ’ ଭିତରେ ସମାନ୍ତରାଳ ଷ୍ଟାଡ଼ିୟମ ନିର୍ମାଣ କରି କାହା ନିର୍ଦ୍ଦେଶରେ ବିଜୁଙ୍କ ନାଁରେ ନାମିତ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ଆସନ୍ତା ମାସରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ୍ ହକି ମ୍ୟାଚ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଷ୍ଟାଡ଼ିୟମ ଭିତରେ ବିଶ୍ୱକପ୍ ହକି ପାଇଁ ସ୍ୱତନ୍ତ୍ର ଗ୍ରାଉଣ୍ଡ ତିଆରି ହୋଇଛି। କିନ୍ତୁ ଏହି ଗ୍ରାଉଣ୍ଡର ପ୍ରବେଶ ପଥରେ ଏକ ବିରାଟ ବୋର୍ଡ ମରାଯାଇଛି ଯେଉଁଥିରୁ ଏହା ସ୍ପଷ୍ଟ ଯେ ଏହା ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ ଭାବେ ନାମିତ ହୋଇଛି।
ରାଜ୍ୟ କ୍ରୀଡ଼ା ବିଭାଗ ଏହି ହକି ଷ୍ଟାଡିୟମର ନାମକରଣ କାହା ନିର୍ଦ୍ଦେଶରେ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିିଛି। ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ ଭିତରେ ପୁଣି ଗୋଟିଏ ଷ୍ଟାଡିୟମ ନିର୍ମାଣ କରି ତାକୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରାଯିବା କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ କାମ। ଏଥିପାଇଁ ସରକାରୀସ୍ତରରେ ଅନୁମୋଦନ ନିଆଯାଇନି। ମୁଖ୍ୟମନ୍ତ୍ରୀ କିମ୍ବା କ୍ରୀଡ଼ାମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଏଭଳି କୌଣସି ଫାଇଲ୍ ସରକାରୀସ୍ତରରେ ଆଗକୁ ବଢ଼ିନି।
ତେଣୁ ‘କଳିଙ୍ଗ’ ଷ୍ଟାଡିୟମ ଭିତରେ ବିଜୁଙ୍କ ନାଁରେ ହକି ଷ୍ଟାଡିୟମ କରାଯିବା ଦ୍ୱାରା ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିବା ଯଥାର୍ଥ। ଏପରିକି ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡ଼ିୟମର ନବକଳେବରକୁ ଉଦଘାଟନ କରିବା ସମୟରେ ମଧ୍ୟ ବିଜୁଙ୍କ ନାଁରେ ଷ୍ଟାଡିୟମର ନାମକରଣ କିଭଳି ହେଲା ତାକୁ ନେଇ ପ୍ରଶ୍ନ ଉଠାଇ ନାହାନ୍ତି।
ଉଲ୍ଲେଖଯୋଗ୍ୟ,୧୯୭୮ ମସିହାରେ ବିଜୁବାବୁଙ୍କ ପ୍ରୟାସରେ ଏହି କଳିଙ୍ଗ ଷ୍ଟାଡ଼ିୟମ ନିର୍ମାଣ ହୋଇଥିଲା। କିନ୍ତୁ କେବେବି କଳିଙ୍ଗ ଷ୍ଟାଡ଼ିୟମର ନାଁ ବିଜୁଙ୍କ ନାମରେ ନାମିତ କରିବାର ଉଦ୍ୟମ ଆଜିପର୍ଯ୍ୟନ୍ତ ହୋଇନଥିଲା। କଳିଙ୍ଗ ଷ୍ଟାଡିୟମର ଗର୍ବଗୌରବକୁ ବଜାୟ ରଖିବା ପାଇଁ ବିଶ୍ୱ କପ୍ ହକି ଗ୍ରାଉଣ୍ଡକୁ ବିଜୁଙ୍କ ନାଁରେ ନାମିତ କରିବା ଭଳି ପଦକ୍ଷେପରୁ ରାଜ୍ୟ ସରକାର ବିରତ ରହିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଓଡ଼ିଶାର ପୂର୍ବ କୀର୍ତ୍ତିରାଜି,ଐତିହ ଓ ସଂସ୍କୃତିର ପ୍ରତୀକ ‘କଳିଙ୍ଗ’ର ନାମକୁ ଅସମ୍ମାନିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁସି କରିବା ପାଇଁ ତାଙ୍କ ପିତାଙ୍କ ନାଁରେ ହକି ଷ୍ଟାଡ଼ିୟମକୁ ନାମିତ କରିବା ଭଳି ପଦକ୍ଷେପରୁ କ୍ରୀଡ଼ା ବିଭାଗ ନିବୃତ୍ତ ରହିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2S1MkVA
No comments:
Post a Comment