
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ, ହିଂସା ଓ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ଆଜି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ୍ ଜାରି କରାଯାଇଛି। ହିଂସା ପୀଡ଼ିତା ମହିଳା ଓ ଝିଅମାନେ ଯେକୌଣସି ସମୟରେ ଏହି ହେଲପଲାଇନକୁ ଫୋନ୍ କଲେ ସେମାନଙ୍କୁ କଂଗ୍ରେସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଘୋଷଣା କରିଛନ୍ତି।
ଆଜି ପିସିସି ମୁଖ୍ୟାଳୟରେ ଆୟୋଜିତ ‘ସ୍ୱାଭିମାନ ସଂକଳ୍ପ ସମାବେଶ’ରେ ଅଧ୍ୟକ୍ଷତା କରି ଶ୍ରୀମତୀ ଜେନା କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଶାସକ ଦଳର ଚାପ ଓ ପୁଲିସର ନିଷ୍କ୍ରିୟତା ଯୋଗୁ ପୀଡ଼ିତା ମହିଳାମାନଙ୍କୁ ନ୍ୟାୟ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ୨୪ ଘଣ୍ଟିଆ ହେଲପଲାଇନ୍ ନମ୍ବର – ୭୦୦୮୯୯୯୮୫୮ ଖୋଲାଯାଇଛି। ଏହି ନମ୍ବରକୁ ମହିଳାମାନେ ଯେତେବେଳେ ଚାହିଁବେ ଫୋନ୍ କରି ସହାୟତା ନେଇପାରିବେ। ପୀଡ଼ିତା ମହିଳାଙ୍କୁ ସଙ୍ଗେସଙ୍ଗେ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଏହାସହିତ ଶ୍ରୀମତୀ ଜେନା ନିଜର ଟିମ୍ ଆସନ୍ତା ୮ରୁ ୧୦ଦିନ ମଧ୍ୟରେ ଗଢ଼ିବେ ବୋଲି ସୂଚନା ଦେଇଛନ୍ତି। ତେବେ ତାଙ୍କର ଟିମରେ କେଉଁମାନଙ୍କୁ ସାମିଲ କରାଯିବ ସେଥିପାଇଁ ତାଙ୍କ ଉପରେ ଚାପ ନପକାଇବାକୁ ସେ ଦଳର ବରିଷ୍ଠ ନେତାମାନଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ଭାବେ କମିଟିରେ ସ୍ଥାନ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେହିପରି ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ସନ୍ଧ୍ୟା ସାୱାଲାଖେ କହିଥିଲେ ଯେ. ମହିଳାମାନେ ଦୃଢ଼ ସଂକଳ୍ପ ନେଲେ କିଛି ବି ଅସମ୍ଭବ ନୁହେଁ। କଂଗ୍ରେସ ମହିଳାମାନେ ଯଦି ୧୦ଟି ଲେଖାଏ ପରିବାରକୁ କଂଗ୍ରେସ ସପକ୍ଷରେ ଆଣିପାରିବେ ତା’ହେଲେ ୧୮ବର୍ଷ ଧରି ଏଠାରେ ଥିବା ଅତ୍ୟାଚାରୀ, ମହିଳାବିରୋଧୀ ବିଜେଡି ସରକାରକୁ ହଟାଇବା ସମ୍ଭବପର ହୋଇପାରିବ। ଦଳର ମହିଳା ସଂଗଠନକୁ ଜିଲ୍ଲା ଓ ବ୍ଲକସ୍ତରରେ ସୁଦୃଢ଼ କରିବାକୁ ତଥା ସମସ୍ତେ କଂଗ୍ରେସକୁ କ୍ଷମତାସୀନ କରାଇବା ଦିଗରେ ମିଳିମିଶି କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ସେହିପରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଦୀର୍ଘବର୍ଷ ହେଲା ମହିଳା କଂଗ୍ରେସ ରାଜ୍ୟରେ ଦୁର୍ବଳ ହୋଇ ରହିଛି। ତେଣୁ ମହିଳା କଂଗ୍ରେସ ସଂଗଠନରେ ଅଧିକ ସଂଖ୍ୟକ ନୂଆନୂଆ ମହିଳା ଓ ଯୁବତୀମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ବିଜେଡି ସରକାରରେ ଯେଭଳି ମହିଳାଙ୍କ ବିରୋଧରେ ହିଂସା ବଢ଼ିଛି, ରାଜ୍ୟରେ ଅରାଜକତା ଦେଖାଦେଇଛି, ତା’ର ମୁକାବିଲା କରିବା ପାଇଁ କଂଗ୍ରେସର ମହିଳା କର୍ମୀମାନଙ୍କୁ ଆଗକୁ ଆସିବାକୁ ପଡ଼ିବ। କେବଳ ପଦପଦବୀ ପଛରେ ଦୌଡ଼ି ନୁହେଁ, ବରଂ ଲୋକଙ୍କ ପାଖକୁ ଯାଇ ଭ୍ରଷ୍ଟାଚାରୀ ଶାସନ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ପଡ଼ିବ ବୋଲି ସେ କହିଥିଲେ।
ଏହି ସଂକଳ୍ପ ସମାବେଶରେ ରାଜ୍ୟର ବିଭିନ୍ନ ଭାଗରୁ ଦଳର ୨ହଜାରରୁ ଅଧିକ ନିର୍ବାଚିତ ଓ ପରାଜିତ କଂଗ୍ରେସ ନେତ୍ରୀଙ୍କ ସମେତ ସାଂଗଠନିକ ପଦପଦବୀରେ ଥିବା ନେତ୍ରୀ ଯୋଗ ଦେଇଥିଲେ। ଦଳର ବହୁ ବରିଷ୍ଠ ନେତା ମଧ୍ୟ ଏହି ସଂକଳ୍ପ ସମାବେଶରେ ଉପସ୍ଥିତ ଥିଲେ।
from Odisha Reporter https://ift.tt/2PRtHSM
No comments:
Post a Comment