
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଡିଜେଲ ଦର ପେଟ୍ରୋଲ ତୁଳନାରେ ଅଧିକ କାହିଁକି? ଏହି ପ୍ରଶ୍ନକୁ ନେଇ ଏବେ ରାଜ୍ୟରେ ହୋହାଲ୍ଲା ଲାଗି ରହିଛି। ଏଥିପାଇଁ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍କୁ ଦାୟୀ କରିଛି ପେଟ୍ରୋଲିୟମ୍ ଡିଲର୍ ଆସୋସିଏସନ୍।
୩ କିଲୋମିଟର ଦୂରତାରେ ୩ ଟଙ୍କାର ଫରକ ଦେଖିବାକୁ ମିଳିଛି। ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜାତୀୟ ରାଜପଥ କଡ଼ରେ ଥିବା ଗାୟତ୍ରୀ ପେଟ୍ରୋଲ ପମ୍ପ ଖାଁ ଖାଁ ଲାଗୁଛି। ମାତ୍ର ଏହାଠାରୁ ୩ କିଲୋମିଟର ଦୂର ପଶ୍ଚିମବଙ୍ଗ ସୁନାକଣିଆ ଟାଙ୍କିରେ ଡିଜେଲ ଭର୍ତ୍ତି କରବା ପାଇଁ ଗାଡ଼ିଗୁଡ଼ିକର ଭିଡ଼ ଲାଗି ରହିଛି। କାରଣ ଜଳେଶ୍ୱରରେ ଡିଜେଲ୍ ଲିଟର ପିଛା ୮୦ ଟଙ୍କା ୫୩ ପଇସା ଥିବା ବେଳେ ପଶ୍ଚିମବଙ୍ଗରେ ଦର ୭୭ ଟଙ୍କା ୨୪ ପଇସା ରହିଛି। ଅର୍ଥାତ୍ ଓଡ଼ିଶା ତୁଳନାରେ ୩ ଟଙ୍କା ୨୯ ପଇସା କମ୍ ରହିଛି। କେବଳ ପଶ୍ଚିମବଙ୍ଗ ନୁହେଁ, ଅନ୍ୟ ପଡୋଶୀ ରାଜ୍ୟରେ ଡିଜେଲ୍ ଦର କମ୍ ଥିବାରୁ ଓଡ଼ିଶାର ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପରେ ଡିଜେଲ ବେପାର ୫୦ ପ୍ରତିଶତ କମିଗଲାଣି।
ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ସାଧାରଣ ସଂପାଦକ ସଂଜୟ ଲାଠ କହିଛନ୍ତି, ଦିଲ୍ଲୀ ସରକାର ଭ୍ୟାଟ ନକମାଇବା ପ୍ରତିବାଦରେ ସେଠାକାର ପେଟ୍ରୋଲ ପମ୍ପ ମାଲିକ ୪ ଶହ ପେଟ୍ରୋଲ୍ ପମ୍ପ ବନ୍ଦ କରି ଧର୍ମଘଟ କରିଥିବା ବେଳେ ଓଡ଼ିଶା ପେଟ୍ରୋଲିୟମ୍ ସଂଘ ସରକାରଙ୍କୁ ଅନୁରୂପ ଦାବିପତ୍ର ଦେବା ପାଇଁ ପ୍ରସ୍ତୁତ ହେଉଛି।
ଏପଟେ କ୍ରମାଗତ ତୃତୀୟ ଦିନ ଭୁବନେଶ୍ୱରରେ ଡିଜେଲ ଦର ପେଟ୍ରୋଲ୍ଠାରୁ ଅଧିକ ରହିଛି। ପେଟ୍ରୋଲ ୮୦ ଟଙ୍କା ୩୬ ପଇସା ଥିବା ବେଳେ ଡିଜେଲ୍ ୧୩ ପଇସା ଅଧିକା ଅର୍ଥାତ ଲିଟର ପିଛା ୮୦ଟଙ୍କା ୪୯ ପଇସା ରହିଛି। ସେପଟେ ପେଟ୍ରୋଲ ଓ ଡିଜେଲ୍ ମୂଳ ଦର ସଂପର୍କରେ ତଥ୍ୟ ରଖି ଆଜି ପୁଣି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ପେଟ୍ରୋଲର ବେସ୍ ପ୍ରାଇସ୍ଠାରୁ ଡିଜେଲ୍ର ବେସ୍ ପ୍ରାଇସ ୫ ଟଙ୍କା ୧୩ ପଇସା ଅଧିକ ଥିବା ସେ କହିଛନ୍ତି।
ତେବେ ରାଜ୍ୟ ସରକାର ଡିଜେଲ୍ ଉପରେ ନେଉଥିବା ୨୬ ପ୍ରତିଶତ ଭାଟ୍ କମାନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।
from Odisha Reporter https://ift.tt/2J91kg6
No comments:
Post a Comment