ଓଡ଼ିଶାରେ ନିର୍ବାଚନ ବିଗୁଲ ବଜାଇଲା ବିଜେପି, କ୍ଷମତାକୁ ଆସିଲେ କରିବ କୃଷି ଋଣଛାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଓଡ଼ିଶାରେ ନିର୍ବାଚନ ବିଗୁଲ ବଜାଇଲା ବିଜେପି, କ୍ଷମତାକୁ ଆସିଲେ କରିବ କୃଷି ଋଣଛାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ସବୁଦଳର ପ୍ରସ୍ତୁତି ମଧ୍ୟରେ ବିଜେପି ଓଡ଼ିଶାରେ ନିର୍ବାଚନ ବିଗୁଲ ବଜାଇଛି। ୨୦୧୯ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ହିଁ ସରକାର ଗଠନ କରିବ ଏବଂ କ୍ଷମତାକୁ ଆସିଲେ ଓଡ଼ିଶାରେ କୃଷି ଋଣ ଛାଡ଼ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି।

ଯାଜପୁରର ବିଞ୍ଝାରପୁର ଓ ଭଦ୍ରକର ବାସୁଦେବପୁରରେ ଦୁଇଟି ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ଓଡ଼ିଶାରେ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସରକାର କ୍ଷମତାକୁ ଆସିଲେ ଭଦ୍ରକରେ ମେଡିକାଲ କଲେଜ, ଡାଲିଚୋରଙ୍କୁ ଗିରଫ, ଚିଟ୍ ଫଣ୍ଡ ଓ ବ୍ଲାକରୋଜ୍ ବୁଡ଼ି ଘଟଣା ଆଦିର ପର୍ଦ୍ଦାଫାସ କରିବ ବୋଲି ଘୋଷଣା କରିଛନ୍ତି।

ଏହାସହିତ ଶ୍ରୀ ପ୍ରଧାନ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରି କଂଗ୍ରେସ ଏଠି ଦିନରେ ବସନ୍ତ ଓ ରାତିରେ ବାସନ୍ତୀ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି କହିଛନ୍ତି। ଏକବିଂଶ ଶତାବ୍ଦୀରେ ନୂଆ ଭାରତ ସହ ନୂଆ ଓଡିଶା ଗଠନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଏହି ଦୁଇଟି ଯାକ ସଭାରେ କଂଗ୍ରେସ ଓ ବିଜେଡିରୁ ଆସି ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଡବଲ ଇଞ୍ଜିନ ଲାଗିବ। ଭୁବନେଶ୍ୱର ଓ ଦିଲ୍ଲୀରେ ବିଜେପି ହିଁ ସରକାର ଗଠନ କରିବ। ଆଉ ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ କୃଷି ଋଣ ଛାଡ଼ କରାଯିବ। ସେ ରାଜ୍ୟର କ୍ଷମତାସୀନ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ଅପାରଗ, ସ୍ଥାଣୁ, ବ୍ୟଭିଚାରୀ ଓ ମିଛୁଆ ସରକାର ଚାଲିଛି। ଏ ସରକାରକୁ ଅପାରଗ ଓ କ୍ଲୀବ କହିଲେ ବି ବାଧୁଛି। ସେମାନେ ପ୍ରତିପକ୍ଷ ଲୋକଙ୍କୁ ଗାଳିମନ୍ଦ ଓ ମାରପିଟ୍ କରିବାକୁ ପଛାଉ ନାହାନ୍ତି। ଓଡ଼ିଆ ଲୋକଙ୍କ ପ୍ରତି ଏ ସରକାରର କେତେ ପ୍ରତିବଦ୍ଧତା ରହିଛି ତା’ର ତର୍ଜମା ହେବାର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ପିପିପି ମୋଡରେ ଶାସନ ଚାଲିଛି। ଜଣେ ଖଣି ବେପାରୀ ଓ ଜଣେ ଅଧିକାରୀ ଏଠି ବଡ଼ଗୁମାସ୍ତା ପାଲଟିଛନ୍ତି। ଏହି ଦୁଇଜଣ ପି ନାମଧାରୀ ବ୍ୟକ୍ତି ଓ କଂଗ୍ରେସ ଏଠି ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିବାକୁ ଉଦ୍ୟମ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଚିଟଫଣ୍ଡ ନାୟକଙ୍କ ସରକାର ଚାଲିଛି। ସରୋଜ ସାହୁ କିଏ, ତାହା ମୁଖ୍ୟମନ୍ତ୍ରୀ କହିବେ କି? ଶାସକ ଦଳର ମନ୍ତ୍ରୀ, ବିଧାୟକଙ୍କ ଘରେ ଚିଟଫଣ୍ଡର ଚେର ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା ଓ ପାଇଖାନା ନିର୍ମାଣରେ ଯେଉଁ ହେରଫେର ହୋଇଛି ସେହି ତ୍ରୁଟିକୁ କେବେ ମୁଖ୍ୟମନ୍ତ୍ରୀ ସୁଧାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ସରକାର ହେଉଛି କାମ ନକରି ଭେଳିକି ଦେଖାଇବାର ସରକାର ଓ ପିସି ସରକାର, ଯାଦୁଗର ସରକାର। ରାଧୁଆ-ମିଛୁଆ ସରକାର। ପିସିରେ ସାଧାରଣ ଲୋକ ଏବେ ପେଷି ହୋଇଗଲେଣି। ସାମୁଦ୍ରିକ ଝଡ଼ ‘ତିତଲି’ ସମୟରେ ନବୀନ ବାବୁ ଏତେ ମଦମସ୍ତ ହୋଇ ଜିରୋ କାଜୁଆଲିଟି କଥା କହିଲେ କିନ୍ତୁ ଗଞ୍ଜାମ, ଗଜପତି ଓ ରାୟଗଡାରେ ୧୦୦ ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି ବୋଲି ଏବେ ଜଣାପଡ଼ିଲାଣି।

ନବୀନଙ୍କୁ କଟାକ୍ଷ କରି ଶ୍ରୀ ପ୍ରଧାନ କହିଛନ୍ତି “ମୁଖ୍ୟମନ୍ତ୍ରୀ ମହୋଦୟ, ଆପଣଙ୍କ ରାଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥାଇପାରେ। ଆମକୁ ଆପଣ ହେୟଜ୍ଞାନ କରୁଛନ୍ତି, ଓଡିଆ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଉଛନ୍ତି। ଶିକ୍ଷକ ମାନଙ୍କ ପାଇଁ ଦରମା ନାହିଁ। ହେଲେ ହକି ଖେଳ ପାଇଁ କୋଟିକୋଟି ଟଙ୍କା ଅଛି। ଅଣଓଡିଆ ଅଫିସରଙ୍କ ପକେଟ ଗରମ ପାଇଁ ଚେଷ୍ଟା କରାଯାଉଛି। ଓଡିଶାବାସୀଙ୍କୁ ସ୍ୱୁଲରେ ଶିକ୍ଷକ ଦରକାର, ଏଆର ରେହମାନର ଗୀତ ଦରକାର ନାହିାଁ ରୋଜଗାର ଦରକାର, ଶାହାରୁଖ ଖାଁ ଶୋ ଦରକାର ନାହିଁ।”

ସେହିପରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୨ମାସରେ ୧ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚା ଯାଇଛି ବୋଲି ରାଜ୍ୟ ସରକାରଙ୍କ ବିଜ୍ଞାପନକୁ ଶ୍ରୀ ପ୍ରଧାନ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ବିଜ୍ଞାପନଟି ସତ ହେଲେ କଥାଟି ମିଛ। ୨୦୧୬-୧୭ ଇକନମିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଜ୍ୱର, କାଶ ଓ ପେଟବ୍ୟଥା ପରି ଚିକିତ୍ସା ପାଇଁ ଓଡିଶାରେ ବର୍ଷତମାମ ୧୨ ଲକ୍ଷ ଯାଏ ଲୋକ ସ୍ୱାସ୍ଥ୍ୟସେବା ପାଇଥିବା ଉଲ୍ଲେଖ କରିଛନ୍ତି। ୨୦୧୭-୧୮ର ହିସାବ ଦେଇନାହାନ୍ତି। ଯଦି ୧୫ ଲକ୍ଷ ପରିବାରର ୪ ଜଣ ଲେଖାଏ ଚିକିତ୍ସିତ ହୋଇଥିବେ ଏହି ସଂଖ୍ୟା ୬୦ ଲକ୍ଷ ହୋଇପାରିବ। କିନ୍ତୁ ୧ କୋଟିର ଯେଉଁ ହିସାବ ଦିଆଯାଇଛି ତାହା ଦିନରେ ଲଣ୍ଠନ ଦେଖାଇବା ସଦୃଶ। ସେ ଯେଉଁ ହିସାବ ଦେଉଛନ୍ତି ତାହା ରାଜ୍ୟ ସରକାରଙ୍କ ହିସାବା ଯଦି ଏହାକୁ କିଏ ଭୁଲ ପ୍ରମାଣିତ କରିଦେବ ତାହାହେଲେ ଧର୍ମେନ୍ଦ୍ର ପ୍ରଧାନ ଯୋଡ଼ହସ୍ତରେ ଭୁଲ ମାଗିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ୧୮ବର୍ଷର ଶାସନରେ ରାଜ୍ୟରେ ଓଡ଼ିଆଙ୍କ ମୁଣ୍ଡ ଉପରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଋଣବୋଝ ରହିଛି। ୨୦୧୯ ମସିହାରେ ବିଜେପି ରାଜ୍ୟରେ ସରକାରକୁ ଆସିଲେ, ପ୍ରଥମେ ଡାଲିଚୋରକୁ ଧରାଯିବ। ଯାଜପୁର ଜିଲାରେ ଚିଟଫଣ୍ଡ, ବ୍ଲାକରୋଜ୍, ଡଙ୍କାରୀ ପାହାଡ଼ ଲୁଟ, ନଗଡ଼ାରେ ଆଦିବାସୀଙ୍କ ଟଙ୍କା ମଧ୍ୟ ଲୁଟ କରୁଛନ୍ତି। ମା’ ବିରଜା ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କଟାକ୍ଷ କରିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ପ୍ରତିନିଧିମାନଙ୍କର ଅଧିକାର ଛଡ଼ାଇ ନିଆଯାଉଛିା ଭଡ଼ାଟିଆ ଖବରକାଗଜକୁ ଲଗାଇ ଉଜ୍ଜ୍ଵଳା ଯୋଜନାରେ କେଳେଙ୍କାରୀ ହୋଇଥିବା କୁହାଯାଉଛି। ନବୀନବାବୁ ସ୍ଥାନ ଚିହ୍ନଟ କରନ୍ତୁ ସେହି ସ୍ଥାନକୁ ଯାଇ ଉଜ୍ଜ୍ଵଳାରେ ମା-ଭଉଣୀ ଉପକୃତ ହୋଇଛନ୍ତି କି ନାହିଁ, ତା’ର ଅନୁଧ୍ୟାନ ମିଶିକରି କରିବା ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି।

 



from Odisha Reporter https://ift.tt/2JlNJT0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages