
ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଛି ଏକ ବଡ଼ ଶକ୍ତି। ଆମେରିକାର ଧମକ ସତ୍ତ୍ୱେ ରୁଷଠାରୁ ଅତ୍ୟାଧୁନିକ ଓ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏସ୍-୪୦୦ କ୍ଷେପଣାସ୍ତ୍ରଭିତ୍ତିକ ବାୟୁ ପ୍ରତିରକ୍ଷା ସିଷ୍ଟମ କିଣିବାକୁ ଆଜି ଭାରତ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି। ଭାରତ ୪୦ ହଜାର କୋଟି ଟଙ୍କା ଦେଇ ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରିପାରୁଥିବା ୫ଟି ଏସ୍-୪୦୦ ରୁଷୀୟ ମିସାଇଲ୍ କିଣିବ। ୨୦୨୦ ସୁଦ୍ଧା ଏହି ଅତ୍ୟାଧୁନିକ ମିସାଇଲ୍ ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି।

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହାଇଦ୍ରାବାଦ୍ ହାଉସ୍ରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏଭଳି ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିସହ ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ପାଖାପାଖି ୮ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ଏସ୍-୪୦୦ ମିସାଇଲ୍ ହେଉଛି ଏସ୍-୩୦୦ କ୍ଷେପଣାସ୍ତ୍ରର ଉନ୍ନତତର ଭର୍ସନ। ୨୦୦୭ରୁ ରୁଷିଆର ଆଲମାଜ୍ ଆଣ୍ଟେ ଏହି କ୍ଷେପଣାସ୍ତ୍ରକୁ ନିର୍ମାଣ କରି ଆସୁଛି। ଏସ୍-୪୦୦ କ୍ଷେପଣାସ୍ତ୍ର ଏକସଙ୍ଗେ ୧୦୦ରୁ ୩୦୦ ଟାର୍ଗେଟକୁ ଚିହ୍ନଟ କରିବା ସହ ତା’କୁ ଧ୍ୱଂସ କରିପାରିବ। ଏହାକୁ ଯୁଦ୍ଧ ସମୟରେ କିମ୍ବା ପରମାଣୁ ଅସ୍ତ୍ରାଗାରର ସୁରକ୍ଷା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ।
ମାତ୍ର ୫ ମିନିଟରେ ପ୍ରସ୍ତୁତ ହୋଇ ଏହା ୬୦୦ କିମି ଦୂରତା ମଧ୍ୟରେ ଥିବା ଉଡ଼ୁଥିବା ଶତ୍ରୁପକ୍ଷର ଯେକୌଣସି ବିମାନ ବା ମିସାଇଲକୁ ଚିହ୍ନଟ କରିପାରିବ। ସେହିପରି ଏହା ୩୮୦ କିମି ଦୂରତା ମଧ୍ୟରେ ଥିବା ଶତ୍ରୁ ପକ୍ଷର ଯେ କୌଣସି ବୋମା ବର୍ଷଣକାରୀ ବିମାନ, ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଓ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର କ୍ଷମତା ରଖିଛି।

ଭାରତ ଏହି ଏସ୍-୪୦୦ କ୍ଷେପଣାସ୍ତ୍ରକୁ ନିଜର ପଶ୍ଚିମ ଓ ଉତ୍ତର ସୀମାରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛି। ଯଦି ଭାରତ ଏହି ମିସାଇଲ୍କୁ ମୁତୟନ କରେ, ତା’ହେଲେ ପାକିସ୍ତାନ ବାୟୁସେନା ସଂପୂର୍ଣ୍ଣ ନିଷ୍ପ୍ରଭ ହୋଇଯିବ। କାରଣ ଭାରତୀୟ ସୀମାର ୬୦୦ କିମି ଦୂରତାରେ ହିଁ ପାକିସ୍ତାନର ସମସ୍ତ ବାୟୁସେନା ଘାଟି ରହିଛି। ଏଥିସହ ଭାରତ ଚୀନ୍କୁ ମଧ୍ୟ ଏଥର ମାତ୍ ଦେଇପାରିବ।
ରୁଷ ସହ ଯେ କୌଣସି ଦେଶ ପ୍ରତିରକ୍ଷା କିମ୍ବା ଗୁଇନ୍ଦା ସମ୍ପର୍କ ବୃଦ୍ଧି କରିବ, ତା’ ଉପରେ ଆମେରିକା ସରକାରଙ୍କ ପ୍ରଚଳିତ କଟକଣା ଆପେଆପେ ଲାଗୁ ହୋଇଯିବ। ଗତ ଅଗଷ୍ଟ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଥିବା ସିଏଏଟିଏସ୍ଏ ଆଇନ୍ ଅନୁଯାୟୀ ଏଭଳି କଟକଣା ଲାଗୁ କରାଯିବ। ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ଚୀନ୍ ଏସ୍-୪୦୦ ମିସାଇଲ୍କୁ ରୁଷ ଠାରୁ କିଣିଥିଲା। ଏଥିପାଇଁ ଚୀନ୍ ଆମେରିକୀୟ କଟକଣାର ସମ୍ମୁଖୀନ ମଧ୍ୟ ହୋଇଥିଲା।

ଏହା ବ୍ୟତୀତ ଭାରତ ରୁଷଠାରୁ ଆସଲଟ୍ ରାଇଫଲ୍ ଏବଂ କିଛି ଅତ୍ୟାଧୁନିକ ହେଲିକପ୍ଟର କିଣିବାକୁ ମଧ୍ୟ ଚୁକ୍ତି କରିଥିବା ଜଣାପଡ଼ିଛି। ରୁଷିଆର ସାଇବେରିଆରେ ଥିବା ନୋଭୋସିବରିସ୍କଠାରେ ଭାରତ ପକ୍ଷରୁ ଏକ ମନିଟରିଂ ଷ୍ଟେସନ୍ ମଧ୍ୟ ନିର୍ମାଣ କରାଯିବ।
from Odisha Reporter https://ift.tt/2Pe1aqb
No comments:
Post a Comment