ବିଜେଡିକୁ ମହଙ୍ଗା ପଡ଼ିବ କି ବରିଷ୍ଠ ନେତାଙ୍କ ଦଳ ଛାଡ଼ିବା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ବିଜେଡିକୁ ମହଙ୍ଗା ପଡ଼ିବ କି ବରିଷ୍ଠ ନେତାଙ୍କ ଦଳ ଛାଡ଼ିବା ?

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ବରିଷ୍ଠ ନେତାଙ୍କୁ ଦଳରୁ ବିଦା କରାଯିବା ଓ ଆଉ କିଛି ସ୍ୱ ଇଚ୍ଛାରେ ଦଳ ଛାଡ଼ିବା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ବରିଷ୍ଠ ନେତାଙ୍କ ଅନୁପସ୍ଥିତିରେ ୨୦୧୯ ନିର୍ବାଚନରେ ବିଜେଡିର ଘାଟା ହେବାର ଆଶଙ୍କା ନେଇ ଚର୍ଚ୍ଚା ଜୋର ଧରିଛି।

ଖାସ୍ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦଳ ଛାଡ଼ିବା ବିଜେଡିକୁ ମହଙ୍ଗା ପଡ଼ିବ ବୋଲି ଜାତୀୟ ଗଣମାଧ୍ୟମ ଆକଳନ କରିଛନ୍ତି। ସେପଟେ ଦଳ ଛାଡ଼ିବା ନେତାଙ୍କ ତାଲିକାରେ ଯୋଡ଼ି ହୋଇଛି ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଲକ୍ଷ୍ଣଣ ଟୁଡୁଙ୍କ ନାଁ। ଦଳ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରିବା ସହ ଦଳୀୟ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଟୁଡୁ।

କେବଳ ଟୁଡୁ ନୁହଁନ୍ତି, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ, ଜୟରାମ ପାଙ୍ଗି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିକଟରେ ଦଳ ଛାଡ଼ିଥିବା ବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିଛି ବିଜେଡି। ଏହି ନେତାମାନେ ଦଳୀୟ ବ୍ୟାପାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାସହ ବିଭିନ୍ନ ଦୁର୍ନୀତି ଓ ବିଶୃଙ୍ଖଳା ପଛରେ ପାଣ୍ଡିଆନ ଓ ଏକ ନିର୍ଦ୍ଦିଷ୍ଟ କୋଟେରୀର ଭୂମିକା ଥିବା ଅଭିଯୋଗ ବି ଆଣିଛନ୍ତି।

କେବଳ ବିରୋଧୀ ନୁହଁନ୍ତି, ବିଜେଡି ସହିତ ଦୀର୍ଘ ଦିନ ଧରି ଜଡ଼ିତ ଥିବାରୁ ଏ ନେତାମାନଙ୍କ ଅଭିଯୋଗକୁ ସାଧାରଣ ଲୋକ ମଧ୍ୟ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହା ଆଗାମୀ ଦିନରେ ସରକାରୀ ବିରୋଧୀ ହାଓ୍ୱାକୁ ଖୋରାକ ଯୋଗାଇବ।

ଆଜି ଦଳ ଛାଡ଼ିଥିବା ପୂର୍ବତନ ସାଂସଦ ଟୁଡୁ କହିଛନ୍ତି,“ବିଜୁ ପରିବାରରେ ଯେଉଁମାନେ ଥିଲେ ସେମାନଙ୍କୁ ଅଣଦେଖା କରାଗଲା। ଯେଉଁମାନେ ଦଳ ଗଢ଼ିଥିଲେ ସେମାନଙ୍କ ସ୍ଥିତି ଦଳରେ କିଛି ନାହିଁ। ଖଗା ମଗା ଯିଏ ଆସିଲେ ସିଏ ଏବେ ଦଳରେ ବସିଛନ୍ତି।”

କିଛି ପ୍ରଭାବ ପଡ଼ିବନି: ବିଜେଡି

ତେବେ ବିଜେଡି ନେତା କିନ୍ତୁ ଏହାକୁ ମାନିବାକୁ ନାରାଜ। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ନିର୍ବାଚନ ଆସିଲେ ଏମିତି ଘଟଣା ଘଟିଥାଏ। ଏହା କିଛି ଅସ୍ୱଭାବିକ ନୁହେଁ। ଯିଏ ଦଳରୁ ବାହାରକୁ ଯାଉଛନ୍ତି, ସେ ଦଳ ବିରୋଧରେ କହିବେ। ସେମାନେ ନିଜ ମନର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହା ସାଧାରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।”

ନିକଟରେ ଜାତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଜନମତ ସର୍ଭେ ରିପୋର୍ଟ ବିଜେଡିର ବିଷମ ସ୍ଥିତିକୁ ଦର୍ଶାଉଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ତାତି ରହିବ ଓ ବିଜେଡିର ସ୍ଥିତି ଖରାପ ହେବ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି। ଖାସ୍ କରି ବୈଜୟନ୍ତ ପଣ୍ଡା ଦଳ ଛାଡ଼ିବା କାରଣରୁ ବିଜେଡିକୁ ବେଶି ଘାଟା ହେବ ବୋଲି ଜାତୀୟ ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି।

କ’ଣ କହୁଛନ୍ତି ରାଜନୀତିକ ସମୀକ୍ଷକ

କେବଳ ଜାତୀୟ ଗଣମାଧ୍ୟମ ନୁହନ୍ତି, ବିଜେଡି ଖସୁଥିବା ନେଇ ରାଜନୀତିକ ସମୀକ୍ଷକ ମଧ୍ୟ ମତ ରଖିଛନ୍ତି।

ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି, “ସର୍ଭେ ରିପୋର୍ଟ କ’ଣ ଲେଖିଲା ତାହା ମୁଁ କହୁନାହିଁ। ହେଲେ ତୃଣମୂଳ ସ୍ତରରେ ବିଜେଡିର ଦୁର୍ଗ ଭୁଶୁଡୁଛି। ଏହା ନିଶ୍ଚିତ ଭାବେ ଶାସକ ଦଳ ପାଇଁ ବିପଦଜନକ।”

ତେବେ ବିଜେଡି ପାଇଁ ଏବେ ଦ୍ୱୈତ ସଂକଟ ଛିଡ଼ା ହୋଇଛି। ପ୍ରଥମ ହେଲା ବରିଷ୍ଠ ନେତା ଦଳ ଛାଡିବା, ଦ୍ୱିତୀୟଟି ହେଉଛି ବାହାରୁ ଆସି କିଛି ନେତାଙ୍କ ସାଙ୍ଗକୁ କେତେକ ଅଫିସର ଦଳରେ ଆସ୍ଥାନ ଜମାଇବା। ଏହାକୁ ନେଇ ଦଳରେ ଅସନ୍ତୋଷ କୁହୁଳୁଥିବା ବେଳେ ଟିକଟ ବଣ୍ଟା ଆରମ୍ଭ ହେଲେ ଏହା ବିସ୍ଫୋରକ ରୂପ ନେବ ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2PjvOyc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages