
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କୁହାଯାଏ ଦୁଇ ଯାଆ ଦୁଇ ଭଉଣୀ। କିନ୍ତୁ ସାମାନ୍ୟ ଈର୍ଷା ଯୋଗୁ ବଡ଼ ଯା’କୁ ସାନ ଯାଆ ସୁପାରୀ କିଲର ମାଧ୍ୟମରେ ଅତି ଵୀଭତ୍ସ ଭାବେ ହତ୍ୟା କରିବା କେବେ ଶୁଣିଛନ୍ତି? ଏପରି ଘଟଣା ଘଟିଛି ଜୁନାଗଡ଼ରେ। ଏହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ସାନ ଯା’ ଜଣେ ନାବାଳକ ସୁପାରୀ କିଲର୍ ଜରିଆରେ ଏହି ଘଟଣାକୁ ରୂପ ଦେଇଥିଲା। ଉଭୟ ସାନ ଯା’ ଓ ନାବାଳକ ସୁପାରୀ କିଲର୍କୁ ଗିରଫ କରାଯାଇଛି।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମାଟିଗାଁ ସୂର୍ଯ୍ୟକାନ୍ତି ମେହେର ଜଣେ ଗରିବ ଶ୍ରେଣୀର ମହିଳା। ସୂର୍ଯ୍ୟକାନ୍ତି ଓ ତାଙ୍କ ସାନ ଯା’ ଚନ୍ଦ୍ରକାନ୍ତିଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ଏହାକୁ ନେଇ ଚନ୍ଦ୍ରକାନ୍ତି ସୂର୍ଯ୍ୟକାନ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ଜଣେ ନାବାଳକକୁ ରାଜି କରାଇଥିଲେ। ପର୍ଯ୍ୟାୟ କ୍ରମେ ଉକ୍ତ ନାବାଳକକୁ ସେ ୨୫ ହଜାର ଟଙ୍କା ମଧ୍ୟ ଦେଇଥିଲେ।
ଗତ ଫେବୃଆରୀ ୧୮ ତାରିଖରେ ସୂର୍ଯ୍ୟକାନ୍ତିଙ୍କ ସ୍ୱାମୀ ଓ ପିଲାମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ରାତିରେ ଘରେ ଏକାକୀ ଥିଲେ ସୂର୍ଯ୍ୟକାନ୍ତି। ଏହା ଜାଣିବା ପରେ ଚନ୍ଦ୍ରକାନ୍ତି ନାବାଳକକୁ ସୂଚନା ଦେଇଥିଲେ। ପରେ ଉଭୟ ସୂର୍ଯ୍ୟକାନ୍ତିଙ୍କ ଘରକୁ ଯାଇ କବାଟ ବାଡ଼େଇ ଥିଲେ। ସେ କବାଟ ଖୋଲିବା ମାତ୍ରେ ନାବାଳକ ଜଣଙ୍କ ତାଙ୍କ ବେକକୁ କାଟି ଦେଇଥିଲେ। ପରେ ଏକ ବାଡ଼ିରେ ସୂର୍ଯ୍ୟକାନ୍ତିଙ୍କୁ ପିଟିଥିଲା। ଏହାପରେ ଏକ ପଥରରେ ସୂର୍ଯ୍ୟକାନ୍ତିଙ୍କ ମୁଣ୍ଡକୁ ଛେଚି ଉଭୟ ହତ୍ୟା କରିଥିଲେ।
ହତ୍ୟାକାଣ୍ଡର ୬ ମାସ ପର୍ଯ୍ୟନ୍ତ ପୁଲିସ କୌଣସି ସୁରାକ ପାଇ ନଥିଲା। ଏହାପରେ ମାମଲାଟି କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଗତ ୮ ଦିନ ହେବ କ୍ରାଇମବ୍ରାଞ୍ଚର ଏକ ଟିମ୍ ଜୁନାଗଡ଼ରେ ରହି ଘଟଣାର ତଦନ୍ତ କରୁଥିଲା।
from Odisha Reporter https://ift.tt/2CjCWr0
No comments:
Post a Comment