
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତିତ୍ଲି’ ବାତ୍ୟାର ମାଡ଼ରେ ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲି ଚରିଛି ତ ଆଉ କେଉଁଠି ପାଣି ଜମି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ ଶହରୁ ଅଧିକ ଏକର ଜମିରେ ଏବେ ଦେଖିବାକୁ ମିଳିଛି ଏଭଳି ଦୁର୍ଦ୍ଦଶାର ଚିତ୍ର।
ଗଞ୍ଜାମ ଜିଲ୍ଲାକୁ ଅଧିକାଂଶ ପରିବା ଯୋଗାଇଥାନ୍ତି ବୁରୁପଡ଼ା ଓ ଚାନ୍ଦିଲି ଅଞ୍ଚଳର ପ୍ରାୟ ୨ ହଜାର ଚାଷୀ। କିନ୍ତୁ ବାତ୍ୟା ମାଡ଼ରେ ବୁଡ଼ିଯାଇଛି ଚାଷ ବେଉସା। ପ୍ରଚୁର ପରିମାଣର ଫୁଲକୋବି ସହ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀ କ୍ଷୟକ୍ଷତିର ଆକଳନ ପାଇଁ ଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।
ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳରେ ସ୍ଥିତି ଭୟଙ୍କର। ବାତ୍ୟା ପରବର୍ତ୍ତୀ ବର୍ଷା ମାଡ଼ରେ ଉଜୁଡ଼ିଯାଇଛି ଏକର ଏକର କଦଳୀ କ୍ଷେତ। ଏପଟେ ପାଣିରେ ବୁଡ଼ି ବାଲି ମାଡ଼ିଯାଇ ନଷ୍ଟ ହୋଇଯାଇଛି ଧାନ। ବର୍ଷା ମାଡ଼ରେ ଶୋଇଯାଇଛି ପାଚିଲା ଧାନକେଣ୍ଡା। କପା ଗଛ ସବୁ ମଧ୍ୟ ମାଟିରେ ଲୋଟି ନଷ୍ଟ ହୋଇଯାଇଛି। ପଦ୍ମପୁର, ଗୁଡାରୀ ଓ ରାମନାଗୁଡ଼ା ଅଞ୍ଚଳରେ ଏଭଳି ଦୁର୍ଦ୍ଦଶା ବେଶୀ ଦେଖିବାକୁ ମିଳିଛି।
from Odisha Reporter https://ift.tt/2J7mEmk
No comments:
Post a Comment