
ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଡି ତିୱାରୀଙ୍କର ଆଜି ଦେହାନ୍ତ ହୋଇଛି। ଆଜି ଥିଲା ତାଙ୍କର ୯୩ତମ ଜନ୍ମଦିନ ତାଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସେ ୨.୫୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂହ ଟ୍ୱିଟ୍ କରିଛନ୍ତି।
ସେ କହିଛନ୍ତି, ଆଜି ଶ୍ରୀ ତିୱାରୀଙ୍କ ୯୩ତମ ଜନ୍ମ ଦିନଥିଲା। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ହେଲେ କେହି ଜାଣି ନଥିଲେ ଜନ୍ମଦିନରେ ହିଁ ସେ ପରଲୋକ ଗମନ କରିବେ। ଉତ୍ତରାଖଣ୍ଡ ପ୍ରତି ତିୱାରୀଙ୍କ ଅବଦାନକୁ କେହି କେବେ ବି ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି।
ଶ୍ରୀ ତିୱାରୀ ୨୦୦୨-୨୦୦୭ ଯାଏ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଶ୍ରୀ ତିୱାରୀଙ୍କୁ ଗତବର୍ଷ ସେପ୍ଟେମ୍ବର ମାସରୁ ଅସୁସ୍ଥତା ଯୋଗୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ଜୁଲାଇ ମାସରୁ ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବା ଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଜୁଲାଇ ମାସରୁ ହିଁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କୁ ଆଇସିୟୁରେ ରହିବାକୁ ପଡ଼ିଥିଲା।
ଶ୍ରୀ ତିୱାରୀ କେବଳ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ନଥିଲେ। ସେ ଅବିଭକ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଶ୍ରୀ ତିୱାରୀ ୨ ବର୍ଷ ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ରାଜଭବନରେ ସେକ୍ସ ସ୍କାଣ୍ଡାଲ କଥା ସାମ୍ନାକୁ ଆସିବାରୁ ସେ ୨୦୦୯ରେ ଇସ୍ତଫା ଦେଇଥିଲେ।
୧୯୯୪ରେ ଶ୍ରୀ ତିୱାରୀ କଂଗ୍ରେସ ଛାଡ଼ି କଂଗ୍ରେସ(ତିୱାରୀ) ଦଳ ଗଠନ କରିଥିଲେ। ତେବେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷ ହେବା ପରେ ସେ ପୁଣି କଂଗ୍ରେସରେ ମିଶି ଯାଇଥିଲେ।
from Odisha Reporter https://ift.tt/2CSyjoL
No comments:
Post a Comment