
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ରହିଲା। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ପ୍ରତି କେନ୍ଦ୍ରୀୟ ଏଜେନ୍ସୀଗୁଡ଼ିକର ଆଭିମୁଖ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ନବୀନଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ଓ ଚିଟଫଣ୍ଡ ଦୁର୍ନୀତି ତଦନ୍ତ ପ୍ରସଙ୍ଗରେ କେନ୍ଦ୍ରୀୟ ଏଜେନ୍ସୀ ଏବଂ ରାଜ୍ୟ ବିଜେପି ନିରବ ରହି ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ହେବାପରେ ସୁପ୍ରିମକୋର୍ଟ ୨୦୧୭ ଡିସେମ୍ବର ୧୩ ତାରିଖରେ ମାମଲାର ଅନୁଧ୍ୟାନ ପାଇଁ ଜାତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୧୦ମାସ ବିତିଯାଇଥିଲେ ସୁଦ୍ଧା ଏହି ନିର୍ବାଚନୀ ଖର୍ଚ୍ଚ ମାମଲା ଉପରେ ନିର୍ବାଚନ କମିଶନ ଚୁପ୍ ବସିଛନ୍ତି।ଏପଟେ ଅଭିଯୋଗକାରୀ ସୁବାସ ମହାପାତ୍ର ଓ ରାଜ୍ୟ ବିଜେପି ମଧ୍ୟ ନିରବ ରହିଛନ୍ତି। ସୂଚନା ଅଧିକାର କର୍ମୀ ଶ୍ରୀ ମହାପାତ୍ର ନବୀନଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ଆଉ ମୁହଁ ଖୋଲୁନଥିବାବେଳେ ୨୦୧୭ ସେପ୍ଟେମ୍ବର ୧୧ ତାରିଖରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିବା ରାଜ୍ୟ ବିଜେପି ନେତାମାନେ ବି ଉକ୍ତ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଛନ୍ତି।
ସେହିପରି ଚିଟଫଣ୍ଡ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଓ ଜମାକାରୀଙ୍କୁ ଅର୍ଥ ଫେରସ୍ତକୁ ନିର୍ବାଚନୀ ପ୍ରସଙ୍ଗ କରିଥିବା ରାଜ୍ୟ ବିଜେପି ଏବେ ଏହାକୁ ନେଇ ନିରବ ରହିଛି। ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଏବେ କେବଳ ଧର୍ମକୁ ଆଖିଠାର ଭଳି ହୋଇଛି। ସିବିଆଇ ଏହି ଚିଟଫଣ୍ଡ ମାମଲାକୁ ହାତକୁ ନେବାର ୬ବର୍ଷ ବିତିଗଲାଣି, କିନ୍ତୁ ଜମାକାରୀଙ୍କୁ ଆଶ୍ୱସ୍ତି ମିଳୁନି କିମ୍ବା ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ଓଲଟା ଯେଉଁମାନେ ଗିରଫ ହୋଇଥିଲେ ସେମାନେ ଏବେ ଜାମିନ ପାଇ ବେଶ୍ ଆରାମରେ ରହିଛନ୍ତି।
ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ହୋଇଥିବାବେଳେ କେନ୍ଦ୍ରରେ ଶାସନ କ୍ଷମତାରେ ରହିଛି। କିନ୍ତୁ ତଦନ୍ତକାରୀ ଏଜେନ୍ସି ସିବିଆଇ ଏବେ ଚିଟଫଣ୍ଡ ମାମଲାକୁ ସମ୍ପୂର୍ଣ୍ଣ ଭାବେ ଶୀତଳ ଭଣ୍ଡାରକୁ ଠେଲି ଦେଇଛି। ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ବନ୍ଦ କରି ରହିଛନ୍ତି। ସାଧାରଣ ଗରିବ ଜମାକାରୀର ତଦନ୍ତ ପ୍ରକ୍ରିୟା ଉପରୁ ଭରସା ତୁଟିଲାଣି। ଏବେ ଭାଗ୍ୟ ଭରସାରେ ରହିବାକୁ କ୍ଷତିଗ୍ରସ୍ତ ଜମାକାରୀମାନେ ବାଧ୍ୟ ହୋଇଛନ୍ତି।
କେବଳ ଏହି ଦୁଇଟି ପ୍ରସଙ୍ଗ ନୁହେଁ, ରାଜ୍ୟରେ ଖଣି ଦୁର୍ନୀତି, ଗରିବଙ୍କ ପାଇଁ ଆବାସିକ ଯୋଜନା ଓ ମନରେଗା ଅର୍ଥ ହଡ଼ପ ପ୍ରସଙ୍ଗରେ ବି ନବୀନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆଭମୁଖ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।
from Odisha Reporter https://ift.tt/2RSkISA
No comments:
Post a Comment