
ମୁମ୍ବାଇ: ବଲିଉଡ୍ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଏହାକୁ ନେଇ ସୋଶାଲ୍ ମିଡିଆରେ #MeToo ଅଭିଯାନ ଜୋର୍ ଧରିଛି। ତେବେ ସୋଶାଲ୍ ମିଡିଆରେ ଏହି #MeToo ଅଭିଯାନରେ ନିଜ ସମ୍ପର୍କିତ ଟିପ୍ପଣୀକୁ ନେଇ ଅଭିନେତ୍ରୀ କଙ୍ଗନା ରାନୱତ୍ ବଲିଉଡ୍ ଫ୍ୟାଶନ୍ ଡିଭା ସୋନମ୍ କପୁରଙ୍କ ଉପରେ ଖୁବ୍ ବର୍ଷିଛନ୍ତି।
#MeToo ଅଭିଯାନରେ ବ୍ୟକ୍ତିଗତ ଅନୁଭୂତି ବଖାଣିବାକୁ ଯାଇ କଙ୍ଗନା ନିଜ ଅଭିନୀତ ଫିଲ୍ମ ‘କ୍ୱିନ୍’ର ନିର୍ଦ୍ଦେଶକ ବିକାଶ ବହଲ୍ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। କଙ୍ଗନା କହିଥିଲେ ଯେ ୨୦୧୪ରେ ଏହି ଫିଲ୍ମ୍ର ଶୁଟିଂ ବେଳେ ନିର୍ଦ୍ଦେଶକ ବିକାଶ ତାଙ୍କୁ କାଜୁଆଲ୍ ସେକ୍ସ ସମ୍ପର୍କରେ କହିଥିଲେ। ଏପରିକି ବିଭିନ୍ନ ସର୍ବସାଧାରଣ ସ୍ଥାନରେ କଙ୍ଗନାଙ୍କୁ ଭେଟିବା ମାତ୍ରେ ବିକାଶ ତାଙ୍କୁ ଅସୌଜନ୍ୟ ଆଲିଙ୍ଗନ ମଧ୍ୟ କରୁଥିଲେ।
ତେବେ ନିକଟରେ ଆୟୋଜିତ ଏକ ଇଭେଣ୍ଟ୍ରେ ସୋନମ କପୁରଙ୍କୁ କଙ୍ଗନାଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ପଚରା ଯାଇଥିଲା। ଏହାର ଉତ୍ତରରେ ସୋନମ୍ ପ୍ରଥମେ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଥିଲେ। ପରେ ସୋନମ କହିଥିଲେ, ‘କଙ୍ଗନାଙ୍କ ଉପରେ ସବୁବେଳେ ଭରସା କରିବା ବି ଠିକ୍ ନୁହେଁ।’
ବାସ୍ ସୋନମ୍ଙ୍କ ଏହି ଶେଷ ଦୁଇ ପଦ କଥାରେ କଙ୍ଗନା ଖପ୍ପା ହୋଇଗଲେ। ସୋନମଙ୍କୁ ମନଇଚ୍ଛା ବର୍ଷି କଙ୍ଗନା କହିଛନ୍ତି ଯେ “#MeToo ଅଭିଯାନରେ ମୁଁ ନିଜସ୍ୱ ଅନୁଭୂତି କହିଛି। ମୋତେ ଜଜ୍ କରିବାକୁ ସୋନମ୍ କପୁର୍ କିଏ ? ମହିଳାଙ୍କ ଉପରେ ଭରସା କରିବା, ନକରିବା ଲାଇସେନ୍ସ କ’ଣ ସୋନମଙ୍କ ପାଖରେ ହିଁ ଅଛି ?”
ଖାଲି ଏତିକି ନୁହେଁ, ସୋନମ୍ଙ୍କ ଉଦ୍ଦେଶ୍ୟରେ କଙ୍ଗନା କହିଛନ୍ତି ଯେ ” ମୁଁ ମୋର ବାପାଙ୍କ ପରିଚୟରେ ଫିଲ୍ମ୍ ଇଣ୍ଡଷ୍ଟ୍ରୀରେ ତିଷ୍ଠି ନାହିଁ। ବରଂ ଦୀର୍ଘ ବର୍ଷ କଠିନ ପରିଶ୍ରମ ଓ ସଂଘର୍ଷ କରି ମୁଁ ମୋ ଦେଶକୁ ବହୁ ଅନ୍ତର୍ଜାତୀୟ ମଞ୍ଚରେ ଗୌରବାନ୍ୱିତ କରିଛି।”
ତେବେ କଙ୍ଗନାଙ୍କ ଏହି ରୁକ୍ଷ ଶବ୍ଦ ଶୁଣିବା ପରେ ସୋନମ୍ କପୁର୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମିଡିଆରେ ତାଙ୍କ କଥାକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ବିକାଶ ବହଲଙ୍କ ଦ୍ୱାରା ନିର୍ଯାତିତ ଜଣେ ମହିଳାଙ୍କୁ ସମର୍ଥନ କରିବାକୁ ଯାଇ କଙ୍ଗନା ବିକାଶଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ।
from Odisha Reporter https://ift.tt/2pIyASv
No comments:
Post a Comment