
ଶ୍ରୀନଗର: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର କେଲାମୋରଠାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ମିନିବସ୍ ଭାରସାମ୍ୟ ହରାଇ ୨୦୦ ଫୁଟ୍ ତଳେ ଥିବା ଖାତକୁ ଖସି ପଡ଼ିବାରୁ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବସ୍ରେ ଥିବା ଅନ୍ୟ ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ହେଲିକପ୍ଟର ଯୋଗେ ଜମ୍ମୁ ସ୍ଥିତ ମୁଖ୍ୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବସ୍ଟି ବାନିହାଲ୍ରୁ ରାମବନ୍କୁ ଯାଉଥିବା ବେଳେ ଅଧା ରାସ୍ତାରେ ହିଁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ବସ୍ଟି ୩୪ ଜଣ ଯାତ୍ରୀଙ୍କୁ ନେଇ ରାମବନ୍ ଯାଉଥିବା ବେଳେ କେଲା ମୋରଠାରେ ଥିବା ବୁଲାଣି ନିକଟରେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବସ୍ଟି ସିଧା ରାସ୍ତା କଡ଼ରେ ଥିବା ୨୦୦ ଫୁଟ୍ ତଳେ ଏକ ଖାତକୁ ଖସି ପଡ଼ିଥିଲା। ଖବର ପାଇଁ ସ୍ଥାନୀୟ ଲୋକ ଓ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଦୁର୍ଘଟଣାରେ ବସ୍ଟି ସଂପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗୁରୁତର ଆହତଙ୍କୁ ବିଭିନ୍ନ ହସ୍ପିଟାଲ୍କୁ ନିଆଯାଉଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି।
ପୁଲିସ୍ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛି। ତେବେ ବସ୍ରେ କ୍ଷମତାଠାରୁ ଅଧିକ ଲୋକ ରହିଥିଲେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2C1yZaj
No comments:
Post a Comment