
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଜଣ ବରିଷ୍ଠ ଅଫିସରଙ୍କୁ କୁଆଡ଼େ ତୃତୀୟ ମହଲାରୁ ବ୍ଲାଙ୍କ୍ ଚେକ୍ ମିଳିଛି। ସେମାନେ ରାଜକୋଷକୁ ଯେଭଳି ଲୁଟିବାକୁ ଚାହିଁବେ,ସେଥିରେ ପ୍ରଚଳିତ ଆଇନକାନୁନ୍ ବାଧକ ସାଜିବ ନାହିଁ ବୋଲି ପ୍ରତିଶ୍ରୁତି ପାଇଥିବା ପାୱାର କରିଡରରେ ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ବିଶ୍ୱ କପ୍ ହକି ଆୟୋଜନ ଆଳରେ ଏହି ୩ ଅଫିସର କୁଆଡ଼େ ବିଧିବ୍ୟବସ୍ଥାକୁ ଅଣଦେଖା କରି ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି। ଏମାନେ ଯେଉଁ ବିଲ୍ ଦେଉଛନ୍ତି ତାହା ତ୍ରୁଟିପୂର୍ଣ୍ଣ ହୋଇଥିଲେ ବି ତା’ଉପରେ ଆପତ୍ତି ଉଠାଇବାର ସାହସ ଅର୍ଥ ବିଭାଗର ରହୁନି। ବିଶ୍ୱକପ୍ ହକି ନାଁରେ ଏହି ୩ ଅଫିସର କୁଆଡ଼େ ନିଜନିଜର ସମ୍ପର୍କୀୟ ଓ କିଛି ରାଜ୍ୟ ବାହାର ଠିକାଦାରଙ୍କୁ ଅନୈତିକ ଭାବେ କୋଟିକୋଟି ଟଙ୍କା ଟେକି ଦେଉଛନ୍ତି।
ଚର୍ଚ୍ଚା ହେଉଛି, ଏହି ୩ ଅଫିସରଙ୍କ ମଧ୍ୟରୁ ୨ଜଣ ଏବେ କ୍ରୀଡ଼ା ବିଭାଗ ସହ ଜଡ଼ିତ ଥିବାବେଳେ ଅନ୍ୟଜଣେ ନଗର ଉନ୍ନୟନ ବିଭାଗ(ସଚିବ ନୁହନ୍ତି)ରେ କାର୍ଯ୍ୟ କରୁଛନ୍ତି। ଏହି ୩ ଅଫିସର ଖୋଲାଖୋଲି ଭାବେ ରାଜକୋଷରୁ ମନଇଚ୍ଛା ଖର୍ଚ୍ଚ କରୁଥିଲେ ମଧ୍ୟ ତୃତୀୟ ମହଲାର କ୍ଷମତାକେନ୍ଦ୍ର ବାବୁଙ୍କ ଭୟରେ କେହି ମୁହଁ ଖୋଲୁନାହାନ୍ତି। ହକିର ପ୍ରଚାରପ୍ରସାର ପାଇଁ କୋଟିକୋଟି ଟଙ୍କା ଟେକି ଦିଆଯାଉଛି। ବିଶ୍ୱକପ୍ ହକି ଆୟୋଜନ ନାଁରେ ରାଜ୍ୟର ଟେଣ୍ଡର ନିୟମକୁ ବି ଅଣଦେଖା କରି ଅନେକ ନିର୍ମାଣ କାର୍ଯ୍ୟ ଚାଲିଛି।
ସବୁଠୁ ବଡ଼ କଥା ହେଲା, ଏହି ଅଫିସରମାନେ ଯେଉଁ ଖର୍ଚ୍ଚ କରୁଛନ୍ତି ବା ଟେଣ୍ଡର ଡାକୁଛନ୍ତି ତାକୁ ଯାଞ୍ଚ କରିବାକୁ ବି କେହି ନାହାନ୍ତି। ନିକଟରେ କେବିସିରେ ବିଶ୍ୱକପ୍ ହକିର ପ୍ରସାର ପାଇଁ କୁଆଡ଼େ ମୋଟାଅଙ୍କର କିକବ୍ୟାକ ହୋଇଥିବା ନେଇ ଟୁପୁରୁଟାପୁରୁ ଶୁଣିବାକୁ ମିଳୁଛି। ଓଡ଼ିଶାର ଜଣେ ପ୍ରତିଷ୍ଠିତ ସିନେ ନିର୍ଦ୍ଦେଶକ କୁଆଡ଼େ ଏହି ପ୍ରସାରଣର ଦାୟିତ୍ୱ ନେଇଥିଲେ।
ସେହିପରି ଦେଶୀ ବିଦେଶୀ ମିଡିଆରେ ପ୍ରଚାରପ୍ରସାରଠୁ ଆରମ୍ଭ କରି ହକି ଟିମର ୫ବର୍ଷ ପାଇଁ ପ୍ରାୟୋଜକ ଦାୟିତ୍ୱ ଓଡ଼ିଶା ମୁଣ୍ଡାଇବା ପଛରେ କୁଆଡ଼େ ବଡ଼ଧରଣର କିକବ୍ୟାକ୍ କାରବାର ହୋଇଛି। ଚର୍ଚ୍ଚା ହେଉଛି, ହକିକୁ ପ୍ରୋତ୍ସାହନ ଯୋଗାଇବା ନାଁରେ ଗତ ଦୁଇବର୍ଷ ମଧ୍ୟରେ କୁଆଡ଼େ ରାଜ୍ୟର ବିଭିନ୍ନ ବିଭାଗର ତହବିଲରୁ ୭୦୦ କୋଟି ଟଙ୍କା ଚଳୁ କରାଯାଇ ସାରିଲାଣି। ଆଉ ପର୍ସେଣ୍ଟ କାରବାର ଥିବାରୁ ଏସବୁ ଅନିୟମିତତାକୁ ତୃତୀୟ ମହଲା କୁଆଡ଼େ ଆଖିବୁଜି ଦେଇଛି ।
from Odisha Reporter https://ift.tt/2EyAwXU
No comments:
Post a Comment