
ନୂଆଦିଲ୍ଲୀ: ସିବିଆଇର ନଂ ୨ ରାକେଶ ଆସ୍ଥାନାଙ୍କୁ ଆଜି ସୁପ୍ରିମକୋର୍ଟ କଟାକ୍ଷ ବାଣୀ ଶୁଣାଇଛନ୍ତି। ସେ ମଧ୍ୟ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଭଳି ସରକାରଙ୍କ ବାଧ୍ୟତାମୂଳକ ଛୁଟି ନିଷ୍ପତ୍ତି ବିରୋଧରେ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି। ଏଥିସହ ଆଜି ଯାଏ କୁଆଡ଼େ ଯାଇଥିଲ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ଶ୍ରୀ ଆସ୍ଥାନାଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଅତର୍କିତ ଭାବେ ଉଭୟ ଶ୍ରୀ ବର୍ମା ଓ ଶ୍ରୀ ଆସ୍ଥାନାଙ୍କୁ ଛୁଟିରେ ଯିବାକୁ କହିଥିଲେ।
ଏହା ବିରୋଧରେ ଶ୍ରୀ ବର୍ମା ତୁରନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏହି ସମୟରେ ଶ୍ରୀ ଆସ୍ଥାନାଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ କେନ୍ଦ୍ର ସରକାରଙ୍କ ବାଧ୍ୟତାମୂଳକ ଛୁଟି ବିରୋଧରେ ଆବେଦନ କରିଥିଲେ।
ଏହି ସମୟରେ ଖଣ୍ଡପୀଠର ନେତୃତ୍ୱର ନେଉଥିବା ଜଷ୍ଟିସ୍ ଗୋଗୋଇ କହିଥିଲେ “ କ’ଣ ପାଇଁ ଆପଣ ଏତେ ବିଳମ୍ବରେ ଆସିଲେ? ଆମେ ଆଗରୁ ଆବେଦନ କରି ନଥିବା ମାମଲାର ଶୁଣାଣି କରିପାରିବୁ ନାହିଁ। ଏତେ ଦିନ ଯାଏ ଆବେଦନ ନ କରି ଆପଣ କୁଆଡ଼େ ଯାଇଥିଲେ? ଆପଣ ବସ୍ ଫେଲ ହୋଇଗଲେ।”
ଶ୍ରୀ ରୋହତଗୀ କହିଥିଲା, “ ଆମେ ପୁଣିଥରେ ଆବେଦନ କରିବୁ।”
ଏହି ସମୟରେ କେନ୍ଦ୍ର ସରକାର କହିଥିଲେ, “ ଭ୍ରଷ୍ଟାଚାର ଅଭିଯୋଗ କେବଳ ଶ୍ରୀ ବର୍ମାଙ୍କ ବିରୋଧରେ ଆସିନାହିଁ। ବରଂ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ତେଣୁ ଉଭୟଙ୍କ ଆବେଦନର ବିଚାର କରାଯିବା ଦରକାର।” ଏହି ସମୟରେ ଜଷ୍ଟିସ୍ ଗୋଗୋଇ କହିଥିଲେ, “ ଆମେ କେବଳ ଶ୍ରୀ ବର୍ମାଙ୍କ ଆବେଦନର ଶୁଣାଣି କରିଛୁ। କାରଣ ସେ କେନ୍ଦ୍ର ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। ଶ୍ରୀ ଆସ୍ଥାନା କୌଣସି ପ୍ରକାରର ଆବେଦନ କରି ନଥିଲେ। ଶେଷ ମିନିଟ୍ରେ ଆବେଦନ କଲେ, ଆମେ ଏହାର ଶୁଣାଣି କରିପାରିବୁ ନାହିଁ। ”
ତେବେ ବିଳମ୍ବରେ ଆବେଦନ କରିଥିବା ଶ୍ରୀ ଆସ୍ଥାନାଙ୍କ ମାମଲାର ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2Q4xHz6
No comments:
Post a Comment