
କଟକ(ଓଡ଼ିଶା ରିପୋର୍ଟର): କଟକରେ ଆଇନ୍ଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବାର ନାଁ ନେଉନି। ଗତ ଦୁଇ ମାସ ଧରି ଆଇନ୍ଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଗତକାଲି ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟ ଓହରିବା ପରେ ଆନ୍ଦୋଳନକୁ ତୀବ୍ରତର କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସଦସ୍ୟମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ବେଳେ ବିରୋଧ କରିଥିଲେ ଆନ୍ଦୋଳନକାରୀ ଆଇନ୍ଜୀବୀ। ଫଳରେ ହାଇକୋର୍ଟର ବିଭିନ୍ନ ଗେଟ୍ ଆଗରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଠେଲା ପେଲା ମଧ୍ୟ ହୋଇଥିଲା।
ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟର ବିଭିନ୍ନ ଫାଟକରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। କଟକରେ ଓକିଲଙ୍କୁ ପୋଲିସର ମାଡ଼ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନ କଲା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆଇନଜୀବୀମାନେ କହିଛନ୍ତି।

ଆଇନ୍ଜୀବୀଙ୍କୁ ବିଜୁ ଯୁବ ବାହିନୀର କର୍ମୀଙ୍କ ମାଡ଼ !
ହାଇକୋର୍ଟ ଆଗରେ ଆନ୍ଦୋଳନକାରୀ ଆଇନ୍ଜୀବୀ ଓ ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟ ମୁହାଁମୁହିଁ ହୋଇଥିବା ବେଳେ ବିଜୁ ଯୁବ ବାହିନୀ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି କିଛି ଆନ୍ଦୋଳନକାରୀ ଆଇନଜୀବୀ। ବିଜୁ ଯୁବ ବାହିନୀର କିଛି ସଦସ୍ୟ ହାଇକୋର୍ଟ ଫାଟକରେ କେତେକ ଆଇନ୍ଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀର ଦୁଇ ଜଣ କର୍ମକର୍ତ୍ତାଙ୍କୁ ବିକ୍ଷୋଭକାରୀ ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ ଛୁରି ମିଳିଥିବା ନେଇ ଅଭିଯୋଗ କରିଛନ୍ତି କେତେକ ଆଇନ୍ଜୀବୀ। ସେହିପରି ଦୁଇ ପକ୍ଷର ଆଇନ୍ଜୀବୀଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ଜଣେ ମହିଳା ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି।
ହାଇକୋର୍ଟ ପରିସରରେ ଓକିଲ ଗଣ୍ଡଗୋଳ ଘଟଣାରେ ଲାଲବାଗ ଥାନାରେ ମୋଟ୍ ୪ଟି ଏତଲା ହୋଇଛି।
from Odisha Reporter https://ift.tt/2Q1zcOL
No comments:
Post a Comment