
କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ସାଙ୍ଗକୁ ବଞ୍ଚାଇବାକୁ ଆସି ଦୁଇ ଜଣ ହାତ ଧରାଧରି ହୋଇ ଚାଲିଗଲେ। ବିଦ୍ୟୁତ୍ ତାର ନେଇଗଲା ସେମାନଙ୍କ ଜୀବନ। ଆଜି ଏପରି ଅଘଟଣ କୋରାପୁଟ ଜିଲ୍ଲାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାପଡ଼ିଛି।
ଦାମନଯୋଡ଼ି ଓ ସେମିଳିଗୁଡ଼ା ମଝିରେ ଥିବା ଏକ ନାଳରେ ଟିପ୍ପର୍ ଧୋଇବା ପାଇଁ ନେଇଥିଲେ ସୋନୁ ଯାନୀ। ଗାଡ଼ି ଧୋଇବା ପୂର୍ବରୁ ସୋନୁ ଟିପ୍ପରର ହାଇଡ୍ରୋଲିକ୍ ମେସିନ୍ ଅନ୍ କରିଦେଇଥିଲେ। ଟିପ୍ପର ଡାଲା ଉଠି ନାଳ ଉପର ଦେଇ ଯାଇଥିବା ୪୪ କେଭି ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିଥିଲା। ଫଳରେ ଟିପ୍ପର ଭିତରେ ଥିବା ସୋନୁ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲେ। ସୋନୁଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା ତାଙ୍କ ସାଙ୍ଗ ରଘୁରାମ ଦିଶାରୀ ତାଙ୍କୁ ଟିପ୍ପର୍ ଭିତରୁ ଉଦ୍ଧାର କରିବାକୁ ଯାଇଥିଲେ। ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କୋରାପୁଟ ମେଡ଼ିକାଲ୍ କଲେଜକୁ ପଠାଇ ଦେଇଛନ୍ତି।
ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୨୬ ନମ୍ୱର ଜାତୀୟ ରାଜପଥର ଦାମନଯୋଡ଼ିରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଗାଡ଼ି ଚଳାଚଳ ଏପପ୍ରକାର ଠପ୍ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ମାତ୍ର ଲୋକେ ନିଜ ଜିଦ୍ରେ ଅଟକ ରହିଛନ୍ତି। ଶେଷ ଖବର ସୁଦ୍ଧା ରାସ୍ତାରୋକ ହଟିନାହିଁ।

from Odisha Reporter https://ift.tt/2CXiQD8
No comments:
Post a Comment