‘ମିଶ୍ରଣ’ ରଣନୀତିକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

‘ମିଶ୍ରଣ’ ରଣନୀତିକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ୟ ଦଳର ନେତାଙ୍କୁ ସାମିଲ କରି ନିର୍ବାଚନ ପୂର୍ବରୁ ଲୋକପ୍ରିୟତାର ମାହୋଲ୍ ସୃଷ୍ଟି କରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବିଜେଡିରେ ଏବେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କଂଗ୍ରେସର କିଛି ବିଧାୟକ ଓ ନେତାଙ୍କ ମିଶ୍ରଣ ପାଇଁ ବିଜେଡିରେ ଚାଲିଥିବା ରଣନୀତିର ଆଭାସ ମିଳିବା ପରେ ଦଳର ଏକ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡି ସଂଗଠନ ସହ ଜଡ଼ିତ ନେତାମାନଙ୍କ ରାଜନୀତିକ ଥଇଥାନ କରିବାରେ ଦଳ ବିଫଳ ହୋଇଥିବାବେଳେ କଂଗ୍ରେସ ନେତାମାନଙ୍କୁ ସାମିଲ କରି ସେମାନଙ୍କୁ ଟିକେଟ୍ ଦେବା କିମ୍ବା ସେମାନଙ୍କର ରାଜନୀତିକ ଥଇଥାନ କରିବାର ରଣନୀତି ଆଗାମୀ ଦିନରେ ବିଜେଡି ନିମନ୍ତେ ବୁମେରାଂ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ବିଜେଡିର ଏକ ସୂତ୍ର ଅନୁସାରେ କଂଗ୍ରେସର ୭ଜଣ ବିଧାୟକ ଓ ବିଜେପିର ୩ଜଣ ବିଧାୟକଙ୍କୁ ବିଜେଡିରେ ସାମିଲ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଛି। ବିଜେଡିର ପ୍ରତିଷ୍ଠା ଦିବସରେ ଏହି ନେତାମାନେ ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହେବାର ସମ୍ଭାବନା ରହିଛି। ଦୁଇ ବିରୋଧୀ ଦଳର ଏହି ବିଧାୟକମାନଙ୍କୁ ଆଣି ବିଜେଡି ନିର୍ବାଚନ ପୂର୍ବରୁ ନିଜର ଲୋକପ୍ରିୟତାର ପ୍ରମାଣ ଦେବାକୁ ରଣନୀତି ତିଆରି କରିଛି।

ଯଦି ବିଜେଡିର ଏହି ସୂତ୍ରକୁ ବିଶ୍ୱାସ କରାଯାଏ ତା’ହେଲେ କଂଗ୍ରେସର ୭ଜଣ ବିଧାୟକଙ୍କ ବିଜେଡିରେ ସାମିଲ ହେବେ। ଯଦି ସବୁକିଛି ଠିକଠାକ୍ ରୁହେ ତା’ହେଲେ ପଶ୍ଚିମ ଓଡ଼ିଶାର ୪ଜଣ, ଉପକୂଳ ଓଡ଼ିଶାର ୨ଜଣ ଓ ଦକ୍ଷିଣ ଓଡ଼ିଶାର ଜଣେ କଂଗ୍ରେସ ବିଧାୟକ ଖୁବଶୀଘ୍ର ବିଜେଡିରେ ମିଶିବେ। ସେହିପରି ବିଜେପିର ପଶ୍ଚିମ ଓଡ଼ିଶାର ୨ଜଣ ବିଧାୟକ ଓ ଜଣେ ଉତ୍ତର ଓଡ଼ିଶାର ବିଧାୟକ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି।

ତେବେ ଏହି ୧୦ ବିଧାୟକ କେଉଁ ସର୍ତ୍ତରେ ଏବଂ କେବେ ବିଜେଡିରେ ମିଶିବେ ତାକୁ ନେଇ ଆଶଙ୍କା ଲାଗି ରହିଛି। କାରଣ ଏହି ସମସ୍ତ ବିଧାୟକଙ୍କୁ ବିଜେଡି ପୁଣିଥରେ ଲୋକସଭା କିମ୍ବା ବିଧାନସଭା ଟିକେଟ୍ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିବ ନାହିଁ।ଏହି ନେତାଙ୍କ ମଧ୍ୟରୁ ୨-୩ଜଣଙ୍କୁ ଛାଡ଼ିଦେଲେ ବାକି ବିଧାୟକମାନଙ୍କର ଜିତିବାର ସମ୍ଭାବନା କ୍ଷୀଣ। ତେଣୁ ଏହି ନେତାମାନେ ବିଜେଡିରେ ମିଶିବା ପରେ ସେମାନଙ୍କୁ ନିଜର ପୂର୍ବ ସହଯୋଗୀମାନଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିପାରେ ବୋଲି ରାଜନୀତିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଅବଶ୍ୟ ଏହି କଂଗ୍ରେସ ବିଧାୟକଙ୍କ ମିଶ୍ରଣ ପାଇଁ ଦଳର ଜଣେ ବରିଷ୍ଠ ନେତା ଏବେ ମିଡିଲମ୍ୟାନ୍ ସାଜିଛନ୍ତି। ସେ ନିଜେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇ ନିଜ ପୁଅକୁ ବିଜେଡି ପ୍ରାର୍ଥୀ କରିବାର ଯୋଜନା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

କାରଣ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ଭୂପିନ୍ଦର ସିଂହ ଓ କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡିରେ ସାମିଲ ହୋଇଥିଲେ। ଏବେ ସେହି ଦୁଇ ନେତା ବିଜେଡିରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ସେହିପରି ପୂର୍ବତନ କଂଗ୍ରେସ ନେତ୍ରୀ ହେମା ଗମାଙ୍ଗ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇ ପରବର୍ତ୍ତୀ ସମୟରେ ଦଳରେ ଅଣଦେଖା ଓ ଅଲୋଡ଼ା ହେବାରୁ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ରନାଥ ପରମାଣିକ ବିଜେଡିରେ ମିଶିବା ପରେ ଏବେ ତାଙ୍କର ରାଜନୀତିକ ସ୍ଥିତି ନକହିବା ଭଲ।

କ୍ଷମତା ରାଜନୀତିରେ ତିଷ୍ଠି ରହିବା ପାଇଁ ବିଜେଡିରେ ସାମିଲ ହୋଇଥିବା କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଭଗବାନ ଗନ୍ତାୟତ(ସମସ୍ତେ ଗଞ୍ଜାମ ଜିଲ୍ଲାର), ପୂର୍ବତନ ବିଧାୟକ ସୁଧୀର ସାମଲ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପରାଜିତ ବିଧାୟକ ପ୍ରାର୍ଥୀ ମାନସ ମଙ୍ଗରାଜ ଏବେ ବିଜେଡି ସଂଗଠନ ଉପରେ ବୋଝ ପାଲଟିବାକୁ ଯାଉଛନ୍ତି। ସେହିପରି ବିଜେପୁରର ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହୋଇ ଏବେ ବିଧାୟିକା ଅଛନ୍ତି। ଏହି ସମସ୍ତ ନେତାଙ୍କୁ ବିଜେଡି ଆଗାମୀ ନିର୍ବାଚନରେ ଟିକେଟ୍ ଦେବାର ସମ୍ଭାବନା କ୍ଷୀଣ।

ଯଦି ସ୍ଥାନୀୟ ସମୀକରଣ ଓ ଦଳୀୟ ସ୍ଥିତିକୁ ଆକଳନ କରାଯାଏ ତେବେ ଏଥିରୁ ବିଜୟ ସମ୍ଭାବନା ଥିବା ନେତାଙ୍କ ସଂଖ୍ୟା ବିଲକୁଲ୍ ନାହିଁ କହିଲେ ଚଳେ। ଯଦିଓ ଗଞ୍ଜାମ ଜିଲ୍ଲାରେ ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କର ପ୍ରଭାବ ରହିଛି ତଥାପି ଗଞ୍ଜାମ ଜିଲ୍ଲା ବିଜେଡିରେ ଏବେ ପରସ୍ପରର ଗୋଛିକଟା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଏହି ନେତାମାନେ ନିର୍ବାଚନରେ ବିଜୟୀ ହେବେ ବୋଲି କେହି ଦମ୍ଭୋକ୍ତି ବାଢ଼ିବା ସମ୍ଭାବନା କ୍ଷୀଣ। ସେହିପରି ରୀତା, ଦୁଷ୍ମନ୍ତ, ସୁଧୀର ଓ ମାନସଙ୍କୁ ଦଳୀୟ ଟିକେଟ୍ ମିଳିଲେ ଦୀର୍ଘଦଶନ୍ଧି ସହ ସ୍ଥାନୀୟ ବିଜେଡି ସଂଗଠନରେ ଥିବା ସ୍ଥାନୀୟ ନେତାମାନେ ବିଦ୍ରୋହୀ ହେବାର ଆଶଙ୍କା ରହିଛି।

ତେଣୁ ଏଭଳି ସ୍ଥିତିରେ କଂଗ୍ରେସ ଓ ବିଜେପିର ବିଧାୟକମାନଙ୍କୁ ଦଳରେ ସାମିଲ କରି ବିଜେଡି କେବଳ ନିର୍ବାଚନ ସମୟରେ ନିଜସ୍ୱ ଫାଇଦା ନେବା ଚକ୍କରରେ ରହିଛି। ନିର୍ବାଚନ ପରେ ଏହି ନେତାମାନଙ୍କୁ ଥଇଥାନ କରିବ ନା ସେମାନେ ବି ଭୂପିନ୍ଦର ଓ ଅନୁପଙ୍କ ଭଳି ଅସ୍ତିତ୍ୱ ସଙ୍କଟରେ ପଡ଼ିବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦଳ ଓ ସଂଗଠନ ସହ ଦୀର୍ଘ ୨ଦଶନ୍ଧି ଧରି ରହିଥିବା ନେତାଙ୍କୁ ଅଣଦେଖା କରି ନୂଆ କରି ସାମିଲ ହେଉଥିବା ନେତାଙ୍କୁ ପ୍ରାର୍ଥୀ କଲେ ତାହା ନିର୍ବାଚନରେ ବିଜେଡି ପାଇଁ ସବୁଠୁ ବଡ଼ ସମସ୍ୟା ହେବ। ଦଳ ଓ ନେତାମାନଙ୍କ ଉପରେ ବିଜେଡି ସୁପ୍ରିିମୋଙ୍କର ୨୦୦୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଯେଉଁ ଏକାଧିପତ୍ୟ ତଥା ନିୟନ୍ତ୍ରଣ ଥିଲା ତାହା ଏବେ ଦୁର୍ବଳ ହୋଇପଡ଼ିଛି। ତା’ଛଡ଼ା ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ବିଜେପି ଏବେ ପ୍ରମୁଖ ଦଳ ଭାବେ ଉଭା ହୋଇଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଜେଡିରେ ମିଶିଥିବା କିମ୍ବା ମିଶିବାକୁ ଥିବା ନେତାମାନଙ୍କୁ ଥଇଥାନ କରିବା ଦଳ ପାଇଁ ଏକ ବିଶାଳ ଚ୍ୟାଲେଞ୍ଜ ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2FIaIJz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages