ଶେଷ ଦିନିକିଆକୁ ୯ ୱିକେଟ୍‌ରେ ଜିତିଲା ଭାରତ, ୩-୧ରେ ସିରିଜ୍‌ କବ୍‌ଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଶେଷ ଦିନିକିଆକୁ ୯ ୱିକେଟ୍‌ରେ ଜିତିଲା ଭାରତ, ୩-୧ରେ ସିରିଜ୍‌ କବ୍‌ଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରଥମେ ରବୀନ୍ଦ୍ର ଜାଡେଜାଙ୍କ ୪ ୱିକେଟ୍‌ ଏବଂ ପରେ ରୋହିତ ଶର୍ମାଙ୍କ ୬୩(୫୬ ବଲ୍‌) ଓ ବିରାଟ୍ କୋହଲିଙ୍କ ୩୩(୨୯ ବଲ୍‌) ରନ୍‌କୁ ପୁଞ୍ଜି କରି ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ଟିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ୯ ୱିକେଟ୍‌ରେ ବିଜୟୀ ହୋଇଛି। ଏହା ସହ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଘରୋଇ ମାଟିରେ ଏହି ସିରିଜ୍‌କୁ ବିରାଟ୍‌ ବାହିନୀ ୩-୧ରେ କବ୍‌ଜା କରି ନେଇଛି।

ନିଜ ମ୍ୟାଚ୍‌ ବିଜୟୀ ବୋଲିଂ ଫିଗର୍‌(୯.୫ ଓଭର୍‌ ୧ ମେଡେନ୍‌ ୩୪ ରନ୍‌ ୪ ୱିକେଟ୍‌)ପାଇଁ ଜାଡେଜା ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌’ ହୋଇଥିବାବେଳେ ସିରିଜ୍‌ରେ ତିନିଟି ଶତକ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲି ‘ମ୍ୟାନ୍‌ ଅଫ୍ ଦି ସିରିଜ୍‌’ ବିବେଚିତ ହୋଇଛନ୍ତି।

ପ୍ରଥମେ ପ୍ରଳୟଙ୍କରୀ ବନ୍ୟା ଏବଂ ପରେ ସାବରୀମାଲା ମନ୍ଦିର ପ୍ରସଙ୍ଗକୁ ନେଇ ବେଶ୍‌ କିଛି ମାସ ଧରି ଦେଶବ୍ୟାପୀ ଚର୍ଚ୍ଚାରେ ଥିବା କେରଳକୁ ଗୁରୁବାର ଫେରିଥିଲା କ୍ରିକେଟ୍‌ ଫିଭର୍‌। ବର୍ଷା ଆଶଙ୍କା ହଟିଯିବା ପରେ ଥିରୁବନନ୍ତପୁରମ୍‌ର ଗ୍ରୀନ୍‌ଫିଲ୍‌ଡ୍‌ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିଅମ୍‌ରେ ପ୍ରଥମେ ଟସ୍‌ ଜିତି ଭ୍ରମଣକାରୀ ଇଣ୍ଡିଜ୍ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

୧-୨ରେ ପଛୁଆ ରହି ସିରିଜ୍‌କୁ ବରାବର୍‌ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଅଧିନାୟକ ଜେଶନ୍‌ ହୋଲ୍‌ଡରଙ୍କ ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରି ଇନିଂସ ଓ ନିଜ ପ୍ରଥମ ଓଭର୍‌ରେ ସୁଇଂ ବୋଲର୍‌ ଭୁବନେଶ୍ୱର କୁମାର୍ ଓପନର୍‌ କିଏରନ୍‌ ପୱେଲ୍‌ଙ୍କୁ ୱିକେଟ୍‌ ପଛରେ ଧୋନିଙ୍କ ଦ୍ୱାରା କ୍ୟାଚ୍‌ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ପରେ ସାଥୀ ସ୍ପିଡ୍‌ଷ୍ଟାର୍‌ ଯଶ୍‌ପ୍ରୀତ ବୁମ୍ରା ଇନିଂସ୍‌ର ଦ୍ୱିତୀୟ ଏବଂ ନିଜ ପ୍ରଥମ ଓଭରରେ ନିର୍ଭରଯୋଗ୍ୟ ଶାଇ ହୋପ୍‌ଙ୍କୁ କ୍ଲିନ୍‌ ବୋଲ୍‌ଡ କରି କାରିବିଅନ୍ ଦଳକୁ ବ୍ୟାକ୍‌ ଫୁଟ୍‌କୁ ଠେଲି ଦେଇଥିଲେ। ମାତ୍ର ୨ ରନ୍‌ରେ ୨ଟି ୱିକେଟ୍‌ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ଝଟ୍‌କାରୁ ମୁକୁଳିବା ପାଇଁ ତୃତୀୟ ୱିକେଟ୍‌ ଯୋଡ଼ିରେ ଭେଟେରାନ୍‌ ମାର୍ଲନ୍‌ ସାମୁଏଲ୍‌ସ ଏବଂ ହେମରାଜ୍‌ ଚନ୍ଦ୍ରପଲ୍‌ଙ୍କ ବଦଳରେ ଓପନିଂ କରୁଥିବା ରୋଭମ୍ୟାନ୍‌ କିଛିଟା ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇ ନ ଥିଲେ।

ଉଭୟେ ତୃତୀୟ ୱିକେଟ୍‌ ପାଇଁ ୩୪ ରନ୍‌ ଯୋଡ଼ିବା ପରେ ବିପଜ୍ଜନକ ହେବା ପୂର୍ବରୁ ମାର୍ଲନ୍ ସାମୁଏଲ୍‌ସ୍‌(୨୪)ଙ୍କୁ ରବୀନ୍ଦ୍ର ଜାଡେଜା ଏକ ସ୍ଲୋ ଡେଲିଭରିରେ ଚକ୍‌ମା ଦେଇ କୋହଲିଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରିଥିଲେ। ପରେ ବ୍ୟକ୍ତିଗତ ମାତ୍ର ୯ ରନ୍‌ କରିଥିବାବେଳେ ବିସ୍ଫୋରକ ଶିମ୍‌ରନ୍‌ ହେଟ୍‌ମେୟାରଙ୍କୁ ଲେଗ୍‌ ବିଫୋର୍‌ କରାଇ ଜାଡେଜା ଇଣ୍ଡିଜ୍‌ ମଧ୍ୟକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ।

ଏହା ପରେ ଭ୍ରମଣକାରୀ ଦଳର ୱିକେଟ୍ ପତନ ଧାରା ଅବ୍ୟାହତ ରହିଥିଲା। ବେଶ୍ କିଛି ସମୟ କ୍ରିଜ୍‌ରେ ରହିବା ପରେ ଅନ୍ୟତମ ଓପନର୍‌ ରୋଭ୍‌ମ୍ୟାନ୍ ପୱେଲ୍‌ ୩୯ ବଲ୍‌ରୁ ମାତ୍ର ୧୬ ରନ୍‌ କରି ଗତ ମ୍ୟାଚ୍‌ର ବୋଲିଂ ହିରୋ ବାମହାତୀ ଖଲିଲ୍‌ ଅହମ୍ମଦଙ୍କ ମ୍ୟାଚ୍‌ର ପ୍ରଥମ ଶିକାର ହୋଇଥିଲେ। ଅଧିନାୟକ ଜେଶନ୍‌ ହୋଲ୍‌ଡର୍‌ ଦଳୀୟ ଇନିଂସରେ ସର୍ବାଧିକ ୨୫ ରନ୍ କରି ଭାରତୀୟ ବୋଲର୍‌ଙ୍କୁ କିଛିଟା ମୁକାବିଲା କରିଥିଲେ ହେଁ ବାମହାତୀ ଦ୍ରୁତ ବୋଲର୍‌ ଅହମ୍ମଦ ତାଙ୍କୁ ନିଜର ଦ୍ୱିତୀୟ ଶିକାର କରି ଏଥିରେ ଯବନିକା ଟାଣିଥିଲେ।

ଟେଲ୍‌ ଏଣ୍ଡର୍‌ ରୋଚ୍‌ ଓ ଥୋମାସ୍‌ଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇ ଜାଡେଜା ଇଣ୍ଡିଜ୍‌ ପାଳିକୁ ମାତ୍ର ୧୦୪ ରନ୍‌ (୩୧.୫ ଓଭର୍)ରେ ସୀମିତ ରଖିବାରେ ପ୍ରମୁଖ ଭୂମିକା ନେଇଥିଲେ।

୧୦୫ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ମ୍ୟାଚ୍‌ର ଦ୍ୱିତୀୟ ଓଭର୍‌ରେ ବାମହାତୀ ଓପ୍‌ନର୍‌ ଶିଖର ଧୱନ୍‌ଙ୍କୁ ହରାଇଥିଲା। ଧୱନ୍‌ ମାତ୍ର ୬ ରନ୍ କରିଥିବାବେଳେ ଇଣ୍ଡିଜ୍‌ ଦ୍ରୁତ ବୋଲର୍‌ ଥୋମାସ୍‌ ତାଙ୍କୁ ବୋଲ୍‌ଡ କରି ଦେଇଥିଲେ। ସେତେବେଳକୁ ଦଳୀୟ ସ୍କୋର୍ ଥିଲା ମାତ୍ର ୬ ରନ୍‌। ଏହା ପରେ ଆରମ୍ଭ ହୋଇଥିଲା ଡେପୁଟି ଓ କ୍ୟାପ୍‌ଟେନ୍‌ଙ୍କ ମଧ୍ୟରେ ଅବିଭାଜିତ ତଥା ମ୍ୟାଚ୍‌ ବିଜୟୀ ଭାଗୀଦାରୀ। ବ୍ୟକ୍ତିଗତ ମାତ୍ର ୧୯ ରନ୍‌ରେ ଥୋମାସ୍‌ଙ୍କ ଏକ ନୋ ବଲ୍‌ରେ ଜୀବନଦାନ (କଟ୍‌ ବିହାଇଣ୍ଡ୍‌)ରୁ ଫାଇଦା ଉଠାଇ ରୋହିତ୍ ଶର୍ମା ଉଗ୍ର ଅବତାର ନେଇଥିଲେ।

ମାତ୍ର ୫୬ ବଲ୍‌ରୁ ୫ଟି ଚୌକା ଓ ୪ଟି ଛକା ବଳରେ ରୋହିତ୍‌ ୬୩ ରନ୍‌ର ଦର୍ଶନୀୟ ଇନିଂସ ଖେଳିଥିଲେ। ତାଙ୍କୁ ଅନ୍ୟପାର୍ଶ୍ୱରେ ଆବଶ୍ୟକ ସହାୟତା ଦେଇ ଅଧିନାୟକ କୋହଲି ଅପରାଜିତ ୩୩ ରନ୍‌( ୨୯ ବଲ୍‌, ୬ ଚୌକା)ର ତ୍ରୁଟିଶୂନ୍ୟ ପାଳି ଖେଳିଥିଲେ। ଉଭୟଙ୍କ ଦମ୍‌ଦାର୍‌ ବ୍ୟାଟିଂ ଯୋଗୁ ଟିମ୍ ଇଣ୍ଡିଆ ମାତ୍ର ୧୪.୫ ଓଭର୍‌ରେ ୧୦୫ ରନ୍‌ର ଟାର୍ଗେଟ୍‌ ହାସଲ କରିଥିଲା।

ସିରିଜ୍‌ରେ ଭ୍ରମଣକାରୀ ଦଳ ତୃତୀୟ ମ୍ୟାଚ୍‌ରେ ପରାଜିତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ଟି ‘ଟାଇ’ ହୋଇଥିଲା।



from Odisha Reporter https://ift.tt/2AGBE82

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages