
ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ):ଭୂଲୋକରୁ ଶରୀର ତ୍ୟାଗ କଲେ ମଣିଷ ଭୂତଲୋକକୁ ଯାଏ। ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି ।୨ହଜାର ଟଙ୍କାର ସହାୟତା ରାଶି ଦେବାର ଯୋଜନା ମଧ୍ୟ ରହିଛି। ହେଲେ କାଗଜପତ୍ରରେ ଗଫଲାତି କରି ଭୂତଲୋକରେ ଥିବା ମୃତବ୍ୟକ୍ତିର ସହାୟତା ରାଶିକୁ ମର୍ତ୍ତ୍ୟଲୋକରେ ଥିବା ଜୀବନ୍ତ ଭୂତମାନେ ଖାଇଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅଧିକାର ଆଇନ ବଳରେ କାଗଜପତ୍ର ଆସିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ଗ୍ରାମପଞ୍ଚାୟତରେ। ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା।
ନକଲି ସାକ୍ଷୀ ପକାଇ ଟଙ୍କା ହଡ଼ପ କରାଯାଉଛି। ବର୍ଷେ ତଳେ ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁର ଖଗେଶ୍ୱର ସାହୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା କାଗଜପତ୍ରରେ ଲେଖା ଅଛି, ସେହି ଦିନ ହିଁ ୨ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ଖଗେଶ୍ୱର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଉଠାଇଛନ୍ତି। ସେହିପରି ବଡ଼କ୍ଷୀରି ଗାଁର ସୁବାସ ଚନ୍ଦ୍ର ପାତ୍ର ଓ ଜୟନ୍ତୀ ମଳିକଙ୍କ ନାଁରେ ମଧ୍ୟ ୨ ହଜାର ଟଙ୍କା ଲେଖାଏଁ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି।
ତେବେ ସରପଞ୍ଚଙ୍କ ନାଁରେ ଏହି ଗୁରୁତର ଅଭିଯୋଗ ଆସିବା ପରେ ବଡ଼କ୍ଷୀରି ପଞ୍ଚାୟତର ନାଏବ ସରପଞ୍ଚ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ପଞ୍ଚାୟତର ୪୧ ଜଣ ହିତାଧିକାରୀଙ୍କୁ ୮୨ ହଜାର ଟଙ୍କା ମଞ୍ଜୁର ହୋଇଥିବା ରିପୋର୍ଟରୁ ଜଣାପଡିଛି।
ଆଶ୍ଚର୍ଯ୍ୟର କଥା ଅନେକ ହିତାଧିକାରୀ ଟଙ୍କା ପାଇ ନାହାନ୍ତି । ନିଶ୍ଚିନ୍ତ କୋଇଲି ବ୍ଲକର ବିଡିଓ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ବ୍ୟକ୍ତିର ମୃତ୍ୟୁ ପରେ ସତ୍କାର ପାଇଁ ପରିବାର ଲୋକଙ୍କୁ ସହାୟତା ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି । ହେଲେ ଏଠି ବି ଦୁର୍ନୀତି। ମୃତ ବ୍ୟକ୍ତିର ପ୍ରାପ୍ୟକୁ ହଡ଼ପ କରି ନେଉଛନ୍ତି ଦଲାଲ।
from Odisha Reporter https://ift.tt/2yTScrW
No comments:
Post a Comment