
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗାରଙ୍ଗ ପରିବେଶରେ ଉଦ୍ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍ ଉଦ୍ଘାଟନୀ ଘୋଷଣା କରିଥିଲେ। ଏହି ମେଗା ଉତ୍ସବରେ ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ । ସେହିଭଳି ଦେଶ ବିଦେଶର ୧୮୦୦ କଳାକାରଙ୍କୁ ନେଇ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା।
ଉଦ୍ଘାଟନୀ ଉତ୍ସବର ଢେର ଆଗରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଆଗରେ ଲମ୍ବିଥିଲା ଦର୍ଶକଙ୍କ ଲମ୍ବା ଧାଡ଼ି। କେବଳ ହକିପ୍ରେମୀ ନୁହଁନ୍ତି, ବହୁସଂଖ୍ୟାରେ ମହିଳା ଓ କୁନି କୁନି ପିଲା ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ଷ୍ଟାଡିୟମରେ ପ୍ରବେଶ ପାଇଁ। ଅନେକ ଟିକଟ ନପାଇଁ ନିରାଶ ହୋଇଥିବା ବେଳେ ଯେଉଁମାନଙ୍କ ପାଖରେ ଟିକଟ ଥିଲା, ସେମାନଙ୍କ ଖୁସି କହିଲେ ନସରେ। ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ସମସ୍ତେ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଚାହୁଁଥିଲେ। କିଏ ସେଲଫି ନେଉ ଥିଲେ ତ ଆଉ କିଏ କ୍ୟାମେରା ଆଗରେ ଚିୟର ଅପ୍ ସାଇନ୍ ଦେଇ ନିଜ ଉପସ୍ଥିତି ସଂପର୍କରେ ସୂଚାଇ ଦେବାକୁ ଚାହୁଁଥିଲେ। ଆଉ କିଏ ପାରମ୍ପରିକ ବେଶରେ ଆସି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ।
ସେପଟେ ଖେଳାଳି, ଦର୍ଶକ ଓ ବିଦେଶୀ ଅତିଥିଙ୍କ ସୁରକ୍ଷା ନିମନ୍ତେ ହୋଇଛି ଜବରଦସ୍ତ ସୁରକ୍ଷା ବନ୍ଦୋବସ୍ତ। ସାଧରଣ ଦର୍ଶକ ୩ ଓ ୪ ନମ୍ବର ଗେଟ୍ରେ ପ୍ରବେଶ କରିଥିବା ବେଳେ ଖେଳାଳି, ଭିଭିଆଇପି ଓ ଅନ୍ୟମାନେ ୮ ନମ୍ବର A ଓ B ଗେଟ୍ ଦେଇ ଷ୍ଟାଡିୟମକୁ ଯାଇଥିଲେ।
ଷ୍ଟାଡିଅମ୍ ଭିତରକୁ ପ୍ଲାଷ୍ଟିକ ଆଇଟମ୍, ଖୁଚୁରା ପଇସା, ପେନ୍ ନେବାକୁ ବାରଣ ରହିଛି। ସେହିଭଳି ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ସମୟରେ ଜୟଦେବ ବିହାର ଛକରୁ ‘ଦି ଓ୍ୱାର୍ଲଡ୍ ପର୍ଯ୍ୟନ୍ତ ରାସ୍ତାକୁ ନୋ ଭେଇକିଲ୍ ଜୋନରେ ପରିଣତ କରାଯାଇଛି ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ସାରା ଓଡ଼ିଶାକୁ ଗ୍ରାସିଛି ହକି ଫିଭର। ବିଭିନ୍ନ ସହରରେ ଲାଗିଥିବା LED ସ୍କ୍ରିନ୍ରେ ଲୋକେ ଉଦ୍ଘାଟନୀ ଉତ୍ସବର ମଜା ନେଇଛନ୍ତି। ରାଉରକେଲା ପାନପୋଷ କ୍ରୀଡ଼ା ହଷ୍ଟେଲରେ ଛାତ୍ରଛାତ୍ରୀମାନେ ଟିମ୍ ଇଣ୍ଡିଆର ଶୁଭ ମନାସି ସ୍ୱତନ୍ତ୍ର ଚିୟର ଅପ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ରେଶମ ସହର ବ୍ରହ୍ମପୁରରେ ହକିପ୍ରେମୀ ବିଶ୍ୱକପ୍ ଓ କଳିଙ୍ଗ ଷ୍ଟାଡିୟମର କଳାକୃତି ପ୍ରସ୍ତୁତ କରାଯାଇଥିବା ବେଳେ ଜୟପୁରରେ ଆୟୋଜିତ ହୋଇଛି ଗଣଦୌଡ଼।
from Odisha Reporter https://ift.tt/2KCQSOB
No comments:
Post a Comment