ବିଜେଡିର ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛନ୍ତି: ଖାରବେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବିଜେଡିର ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛନ୍ତି: ଖାରବେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ପାଣିପାଗରେ ଉଷ୍ମତା ଭରିଛି ଶାସକ ଦଳ କର୍ମୀଙ୍କ ତଥାକଥିତ ଗୁଣ୍ଡାଗର୍ଦ୍ଦି। ପରବିର୍ତ୍ତନର ନାରାବାଜି ଦେଇ ରାଜ୍ୟବ୍ୟାପୀ ସଭା ସମିତି କରୁଥିବା ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ସଂଖ୍ୟାଧିକ ସ୍ଥାନରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ପୂର୍ବରୁ କେନ୍ଦ୍ରାପଡ଼ାର ଆଳି ଏବଂ ନିକଟରେ ରାୟଗଡ଼ାର କାଶୀପୁରରେ ଖାରବେଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କାହିଁକି ତାଙ୍କୁ କେବଳ ଟାର୍ଗେଟ୍‌ କରାଯାଉଛି, ଏ ସମ୍ପର୍କରେ ଶ୍ରୀ ସ୍ୱାଇଁଙ୍କ ସହ ଅଧିକ କଥା ହୋଇଥିଲେ ଓଡ଼ିଶା ରିପୋର୍ଟର୍‌ର ପ୍ରତିନିଧି ତାପସ ରଞ୍ଜନ ବେହେରା।

ପ୍ରଶ୍ନ: ଆପଣଙ୍କୁ ଆକ୍ରମଣ କରିଥିବା ଯୁବକ ଗିରଫ ହୋଇଛନ୍ତି। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇଛି। ଆପଣ ଖୁସି ତ?

ଉ: ମୋର ଖୁସି ହେବା ନ ହେବାର ମାନେ କିଛି ନାହିଁ। ମୋର କହିବାର କଥା ଗୋଟିଏ ଗଣତନ୍ତ୍ରରେ ଏକ ବିରୋଧୀ ଦଳକୁ ତା’ର ମତ ପ୍ରକାଶ କରିବାର ଅଧିକାର ଦିଆଯିବା ଉଚିତ୍‌। ତାହା ଏହି ସରକାର କରୁନାହାନ୍ତି। ଦେଢ଼ ମାସ ପୂର୍ବେ ଆଳିରେ ମୋ ଉପରେ ଏମିତି ଆକ୍ରମଣ ହୋଇଥିଲା। ପୁଣି ବାଲେଶ୍ୱରର ଖଇରାରେ ଆକ୍ରମଣ ହେଲା। ଯଦି ସେମାନେ କାହାକୁ ଜଣକୁ ଗିରଫ କରିଥାନ୍ତେ ତା’ହେଲେ ହୁଏତ ଏମିତି କାମ କରିବାକୁ କେହି କରିବାକୁ ସାହସ କରି ନଥାନ୍ତେ। ଯେହେତୁ ପୂର୍ବ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ତେଣୁ ସରକାରୀ ଦଳର ସମର୍ଥକମାନେ ଭାବୁଛନ୍ତି ଯେ, ଆକ୍ରମଣ କଲେ କିଛି ହେବନି ।

ପ୍ରଶ୍ନ: ଆକ୍ରମଣକାରୀ ବିଜେଡି ଲୋକ ବୋଲି ଆପଣ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଦଳ ଖଣ୍ଡନ କରିଛି। ବିଜେଡିର ବରିଷ୍ଠ ନେତା ଏନ୍‌. ଭାସ୍କର ରାଓ ଅଭିଯୋଗ ସତ ନୁହେଁ ବୋଲି କହିଛନ୍ତି ।

ଉ: ଆପଣ କ’ଣ ଆଶା କରୁଛନ୍ତି ଭାଷ୍କର ରାଓ କହିଥାନ୍ତେ ହଁ ସେ ଆମ ଲୋକ। ଆମେ ଯାଇ ତାଙ୍କୁ ଆକ୍ରମଣ କରିଛୁ ? ଏହା ସ୍ୱାଭାବିକ୍ କଥା ଯେ, ଲୋକେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ଅଛନ୍ତି। ଗଣମାଧ୍ୟମ ତାଙ୍କ ବିରୋଧରେ କହିବାରେ ଲାଗିଛି। ତେଣୁ ଏଯେଉଁ ଘଟଣା ଘଟୁଛି ତାଙ୍କ ପାଇଁ ବୁମେରାଂ ହେବ। ଆକ୍ରମଣକାରୀ ନିଜେ କହିଛନ୍ତି ଯେ, ଆମେ ବିଜେଡି ଲୋକ। ପ୍ରଥମେ କହିଛନ୍ତି ଏଠି ଯିଏ ବିଜେଡି ବିରୋଧରେ କହିବ ତାକୁ ଆମେ ହାଣିଦେବୁ। ମତେ ଯିଏ ଆକ୍ରମଣ କରିଥିଲା ତାଙ୍କର ଫଟୋ ବିଜେଡି ନେତାଙ୍କ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ମିଛ କହିପାରେ କିନ୍ତୁ ଫଟୋ ମିଛ କହେନି।

ପ୍ରଶ୍ନ: ଯଦି ଆଗକୁ ଏମିତି ବାରମ୍ବାର ଆକ୍ରମଣ ଜାରି ରହିଲା ଆପଣ କ’ଣ କରିବେ? ଆଗକୁ ନିଜ ଦୃଢ଼ ସ୍ୱର ବଜାୟ ରଖିବେ ନା ଭୟରେ ଦୂରେଇ ଯିବେ?

ଉ: ମୁଁ କେବେ ହେଲେ ଦୂରେଇ ଗଲିଣି କି? ବର୍ତ୍ତମାନ ବିଜେଡି ତା’ର ନିଜ ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛି।

ପ୍ରଶ୍ନ: ଆପଣ କହୁଛନ୍ତି ରାଜ୍ୟରେ ବିଜେଡି ବିରୋଧରେ ଗୋଟିଏ ଅନ୍ତଃସ୍ରୋତ ପ୍ରବାହିତ ହେଲାଣି। ଲୋକେ ପରିବର୍ତନ ଚାହୁଁଛନ୍ତି। କିନ୍ତୁ ସର୍ଭେ କହୁଛି ପୁଣି ନବୀନ ପଟ୍ଟନାୟକ ସରକାର ଆସିବ। ବିଜେଡି ସରକାର ଗଠନ କରିବ।

ଉ. ସର୍ଭେ କେବେ ହୋଇଥିଲା? ପ୍ରାୟ ମାସେ ଭିତରେ ହୋଇଥିଲା। ସେମାନେ କ’ଣ ସର୍ଭେ କରୁଛନ୍ତି କରନ୍ତୁ। ବର୍ତ୍ତମାନ ଆପଣ ଏହି ମାସେ ଦିମାସ ଭିତରେ ଦେଖିବେ।

ପ୍ରଶ୍ନ: ଦଳ ହିସାବରେ ଦେଖିଲେ ଉତ୍କଳ ଭାରତ ଏତେ ଶକ୍ତିଶାଳୀ ନୁହଁ। ଆଗକୁ କେଉଁ ଦଳ ସହ ଗଠବନ୍ଧନ କରିବ କି? ପୂର୍ବରୁ ଆପଣ ସୌମ୍ୟ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ଦଳ ସହ ମେଣ୍ଟ କରିଥିଲେ। କିନ୍ତୁ ସେ ତାଙ୍କ ବାଟରେ ଚାଲିଗଲେ।

ଉ: ଏସବୁ ହେଉଛି ସ୍ପେକୁଲେଟିଭ ପ୍ରଶ୍ନ। ଆମେ କାହା ସହ ମେଣ୍ଟ କରିବୁ ସେଥିପାଇଁ ଦଳ ଗଠନ କରିନୁ। ଆମେ ଗତ ଥର ଯାହା ସହ ମେଣ୍ଟ କରିଥିଲୁ ତାହା ଆମର ଇଚ୍ଛାକୃତ ନ ଥିଲା ଗତଥର ବିଜେପି ଆମ ସହ ମେଣ୍ଟ କରିବ ବୋଲି କହିଥିଲା। ଅରୁଣ ଜେଟଲୀ ଓ ଚନ୍ଦନ ମିତ୍ର ପ୍ରମୁଖ ଆସିଥିଲେ। ଆମ ସହ ମେଣ୍ଟ କରିବାକୁ କହି ପ୍ରାର୍ଥିପତ୍ର ଦାଖଲର ଦୁଇଦିନ ପୂର୍ବରୁ ପ୍ରତିଶ୍ରୁତିରୁ ଓହରିଗଲେ। ସେମାନେ ନିଜେ ଜିତିଲେନି। ତାଙ୍କର ନବୀନ ବାବୁଙ୍କ ସହ ଭିତିରିଆ ମେଣ୍ଟ ହୋଇଗଲା। ଯେହେତୁ ବିଜେପି ମେଣ୍ଟ କରିବ ବୋଲି କହି ଓହରିଗଲା ଆମେ ବାଧ୍ୟ ହୋଇ ଆମେ ଆମ ଓଡ଼ିଶା ସହ ମେଣ୍ଟ କରିଥିଲୁ।

ପ୍ରଶ୍ନ: ଚଳିତ ବର୍ଷ ‘ଆମ ଓଡ଼ିଶା’ ବିଜେଡିର ବିଲୀନ ହୋଇଗଲା। ଆପଣ ଭାଭୁଛନ୍ତି କି ସୌମ୍ୟ ପଟ୍ଟନାୟକ ଆପଣଙ୍କୁ ଠକିଦେଲେ?

ଉ: ନା ସେମିତି କିଛି ନୁହେଁ। କାରଣ ନିର୍ବାଚନ ବେଳେ ତାଙ୍କ ଲଢ଼େଇ ଓ ମୋ ଲଢେଇ ଅଲଗା ଅଲଗା ଥିଲା। ତାଙ୍କର ଆଭିମୁଖ୍ୟ ଅଲଗା ରହିଲା ଆମେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ଚାହିଁଲୁ କିନ୍ତୁ ମେଣ୍ଟ ହୋଇଗଲା ପରେ ସେମାନେ କଂଗ୍ରେସ ବିରୋଧରେ ଲଢ଼ିଲେ। ମୁଁ ବିଜେଡି ବିରୋଧରେ ଲଢ଼ିଲି।

ପ୍ରଶ୍ନ: ଆପଣଙ୍କ ଅଭିଯୋଗ ଯେ, ଓଡ଼ିଶାର ଲୋକଙ୍କୁ ଛତ୍ରଖିଆରେ ପରିଣତ କରାଯାଇଛି। କିନ୍ତ ମୁଖ୍ୟମନ୍ତ୍ରୀ ଏକନମ୍ବର ବୋଲି ପୁରସ୍କାର ମିଳୁଛି। ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଉଛନ୍ତି।

ଉ: ଆପଣ ଯେଉଁ ପୁରସ୍କାର କଥା କହୁଛନ୍ତି ଦେଖିଲେ ଜାଣିବେ କେଉଁ ରାଜ୍ୟରେ ତାଙ୍କ ଲୋକମାନେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କେତେ ପ୍ରତିଶତ ପସନ୍ଦ କରୁଛନ୍ତି। ଅନେକ ଜାଗାରେ ପଇସାପତ୍ର ଦେଇ ପୁରସ୍କାର ଯୋଗାଡ଼ କରାଯାଏ। ଦ୍ୱିତୀୟ କଥା ହେଉଛି ବିକଳ୍ପର କଥା। ଯେ ପର୍ଯ୍ୟନ୍ତ ଆହୁରି ଭଲ ବିକଳ୍ପ ନମିଳିଛି ସେ ପର୍ଯ୍ୟନ୍ତ ଲୋକେ ଭଲ ବୋଲି କହୁଥିବେ ।

ପ୍ରଶ୍ନ: ଆପଣ ଭାବୁଛନ୍ତି କି ‘ଉତ୍କଳ ଭାରତ’ ବିଜେଡି ବିରୋଧରେ ଏକ ବିକଳ୍ପ ହୋଇ ଛିଡ଼ା ହୋଇପାରିବ?

ଉ: ହଁ ନିଶ୍ଚିତ। ଆମେ ତ ଠିଆ ହୋଇଛୁ। ଯଦି ଆମର କିଛି ସମର୍ଥନ ନାହିଁ ତା’ହଲେ ସେମାନେ କାହିଁକି ଆକ୍ରମଣ କରୁଛନ୍ତି ?

ପ୍ରଶ୍ନ: ଆପଣ କହୁଛନ୍ତି ‘ଉତ୍କଳ ଭାରତ’ ବିଜେଡିର ବିକଳ୍ପ ଭାବେ ସମର୍ଥ ହୋଇଛି। ଆଉ ଆପଣ ଲୋକଙ୍କ ପାଖରେ ପହଞ୍ଚିପାରିଛନ୍ତି। ଆପଣ ପୂର୍ବରୁ ୩ ଥର ଏମପି ବି ହୋଇଥିଲେ। ସେ ଦୃଷ୍ଟିରୁ ‘ଉତ୍କଳ ଭାରତ’ ଗଠନ ହେବା ପରଠାରୁ କିଛି ବି ଗୋଟିଏ ସିଟ୍ ପାଇବା କଥା। କିନ୍ତୁ ତା’ ହୋଇ ନାହିଁ।

ଉ:ବର୍ତ୍ତମାନ ଆମ ଆଦମୀ ପାର୍ଟି ଦୁଇଥର ଜିତିଲା। ସେ କ’ଣ ତା’ପୂର୍ବରୁ ଆଗରୁ କେଉଁଠି ସିଟ ପାଇଥିଲା ? ଏହା ଗୋଟିଏ ବାତାବରଣ ଉପରେ ନିର୍ଭର କରେ। ତେଣୁ ଆଗରୁ ବାତାବରଣ ନ ଥିଲା। ବର୍ତ୍ତମାନ ହୋଇଗଲାଣି।

ପ୍ରଶ୍ନ: ‘ଉତ୍କଳ ଭାରତ’କୁ ଏଥର ଲୋକେ କାହିଁକି ଭୋଟ ଦେଇ କ୍ଷମତାକୁ ଆଣିବେ? ଦଳକୁ ଜନ ସମର୍ଥନ ବଳରେ କିଛି ସିଟ୍‌ ଆସିପାରିବ?

ଉ: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧୀ ତଥା ବିଜେଡି ବିରୋଧୀ ଏକ ପ୍ରବଳ ମତ ତିଆରି ହୋଇଗଲାଣି। କେବଳ ତା’ର ନେତୃତ୍ୱଟା ସ୍ଥିର ହୋଇ ନାହିଁ। ମୁଁ ଅଶା କରୁଛି ସେହି ନେତୃତ୍ୱଟି ଆଉ ମାସେ, ଦୁଇମାସ ଭିତରେ ତିଆରି ହୋଇଯିବ।

ପ୍ରଶ୍ନ: କେବଳ ନବୀନ ପଟ୍ଟନାୟକଙ୍କୁ ବିରୋଧ ଦଳର ଏଜେଣ୍ଡା ହେବ ? ଏଥିପାଇଁ କ’ଣ ଲୋକେ ଆପଣଙ୍କୁ ଭୋଟ ଦେବେ?

ଉ: ଆମେ ଯେଉଁ ରାସ୍ତାକଡ଼ରେ ସଭା କରୁଛେ କେବଳ ନବୀନ ବାବୁଙ୍କୁ ବିରୋଧ କରୁନେ। ଆମେ ଗୋଟିଏ ବିକଳ୍ପ ତିଆରି କରୁଛେ। ଗୋଟେ ନେତୃତ୍ୱ ଆପେ ଆପେ ଆଗକୁ ଆସିବ। କାରଣ ଏଥର ଯେଉଁଭଳି ଭାବେ ନବୀନ ବିରୋଧୀ ମତ ତିଆରି ହେଲାଣି ତାହା ଅତୀତରେ ନଥିଲା। ୨୦୧୪ରେ ନଥିଲା ଏବଂ ୨୦୦୯ରେ ନଥିଲା, ଏପରିକି ତା’ ପୂର୍ବରୁ ମଧ୍ୟ ନଥିଲା।

ପ୍ରଶ୍ନ: କିନ୍ତୁ ତା’ର ଫାଇଦା କଂଗ୍ରେସ ଓ ବିଜେପି ନେଇଯିବେ। ‘ଉତ୍କଳ ଭାରତ’ କଣ ସେଇ ଫାଇଦା ନେଇପାରିବ?

ଉ: ନବୀନ ବିରୋଧୀ ମତ ତିଆରି ହେଲେ ଏହାର ଫାଇଦା କଂଗ୍ରେସ ଓ ବିଜେପି ନେଇଯିବେ, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଲୋକଙ୍କ ମୁଡ୍‌ କିମ୍ବା ମତ ଉପରେ ଗୋଟିଏ ଦଳ ଜିତିବ କି ହାରିବ। ଅର୍ଥ ବଳ, ବାହୁ ବଳ କିମ୍ବା ମଦ ମାଂସ ଦେଇ ନୁହେଁ।

ପ୍ରଶ୍ନ: ଆପଣ ଚଳିତ ସାଧାରଣ ନିର୍ବାଚନରରେ ବିଧାନ ସଭା ୧୪୭ ଏବଂ ଲୋକସଭାରେ ୨୧ଟି ସିଟରେ ଲଢ଼ିବେ?

ଉ: ହଁ।



from Odisha Reporter https://ift.tt/2ReSUHc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages